ବିକାଶ ଦେଖିବ ବତିଘର

କେନ୍ଦ୍ରାପଡ଼ା ଅଫିସ, ୧୧ା୧୨: ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍‌ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ ନେଇ ବଜାର ସୃଷ୍ଟି ହେବ। ସମସ୍ତ ସ୍ଥାନରେ ସୌର ବିଦ୍ୟୁତ୍‌ କାର୍ଯ୍ୟକାରୀ ହେବ। ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବତିଘରର ବିକାଶ ପିପିପି ମୋଡ୍‌ରେ ହେବ ବୋଲି ଶୁକ୍ରବାର କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କୋଷ୍ଟାଲ ରେଗୁଲେଶନ ଜୋନ୍‌(ସିଆରଜେଡ୍‌)ରେ ଥିବାରୁ ଅନୁମତି ପାଇଁ ଅଥରିଟି କାର୍ଯ୍ୟାଳୟକୁ ଚିଠି ହୋଇଥିବା କେନ୍ଦ୍ରମନ୍ତ୍ରୀ ସୋନୋୱାଲ ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ, ଗୋପାଳପୁର, ଚନ୍ଦ୍ରଭାଗା, ପୁରୀ ଓ ଫଲ୍‌ସ ପଏଣ୍ଟ ବତିଘର ସହ ଦେଶର ୬୫ଟି ବତିଘର ସାଗରମାଳା ଯୋଜନାରେ ବିକଶିତ ହେବ ବୋଲି ଏଥିରେ ସୂଚନା ମିଳିଛି। ତେବେ ଫଲ୍‌ସ ପଏଣ୍ଟ ବତିଘରକୁ ଛାଡ଼ି ଓଡ଼ିଶାର ଅନ୍ୟ ୪ ବତିଘରକୁ ଯୋଗାଯୋଗ ରାସ୍ତା ସହ ପର୍ଯ୍ୟଟନ ପାଇଁ କ୍ଷେତ୍ର ଅଛି। ଏଥିପାଇଁ ପ୍ରତିବର୍ଷ ସେହିସ୍ଥାନକୁ ପର୍ଯ୍ୟଟକଙ୍କ ଗସ୍ତ ଦ୍ରୁତଗତିରେ ବଢୁଥିବା ବେଳେ ଫଲ୍‌ସ ପଏଣ୍ଟ ବତିଘର ପାଇଁ ଖରିନାସୀ ସେତୁ ବାଧକ ସାଜିଛି। ଅପରପକ୍ଷରେ ବିକାଶ ଅପେକ୍ଷାରେ ଥିବା ଫଲ୍‌ସ ପଏଣ୍ଟ ବତିଘରଠାରେ ହେନ୍ତାଳ ବଣ, ଲୁଣା କୁମ୍ଭୀର, ସାମୁଦ୍ରିକ ଓ ବନ୍ୟ ଜୀବଙ୍କ ସମାହାର ଦେଖିବାକୁ ମିଳିବ। ସଦର ମହକୁମାଠାରୁ ମାତ୍ର ୪୫ କି.ମି. ଦୂର ଖରିନାସୀ ନଦୀକୂଳରେ ଏହି ବତିଘର ଅଛି। ଭାରତର ପୂର୍ବତଟରେ ପ୍ରଥମଥର ପାଇଁ ଏହି ବତିଘର ନିର୍ମାଣ ୧୮୧୯ ମସିହାରେ ଆରମ୍ଭ ହୋଇ ୧୮୨୬ରେ ଶେଷ ହୋଇଥିଲା। ତେବେ କେତେକ କାରଣରୁ ପ୍ରକଳ୍ପଟି ଭାଙ୍ଗିଯିବାରୁ ଏହାର ପୁନଃ ନିର୍ମାଣ ୧୮୩୬ରେ ହୋଇଥିଲା। ୧୮୩୬ ଅକ୍ଟୋବର ୧୬ରେ ପେଟ୍ରୋଲିୟମ ଗ୍ୟାସ୍‌ ଦ୍ୱାରା ଏହା ଆଲୋକିତ ହୋଇଥିଲା। ୧୮୮୦ରେ ବେଙ୍ଗଲର ଲେଫ୍ଟନାଣ୍ଟ ଗଭର୍ନର ସାର ଆସଲେ ଇଡେନ ନୂଆ ଲାଇଟ୍‌ ଡିଓପିଟ୍ରିଆକୁ ଉଦ୍‌ଘାଟନ କରିଥିଲେ। ବିଗତ ଦଶନ୍ଧିଗୁଡ଼ିକରେ ଏଠାରେ ଜେନେରେଟର ମାଧ୍ୟମରେ ଆଲୋକ ବ୍ୟବହାର ହେଉଥିବା ବେଳେ ଏବେ ସେହି ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇଛି। ପ୍ରାୟ ୧୨୫ ମିଟର ଉଚ୍ଚତା ବିଶିଷ୍ଟ ଏହି ବତିଘର ନିର୍ମାଣରେ କଟକସ୍ଥିତ ବାରବାଟୀ ଦୁର୍ଗର ପଥର ଲାଗିଛି। ଏହି ବତିଘର ପରିସରରେ କେତେଜଣ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପଥରନିର୍ମିତ ପୁରାତନ କବର ଓ କୂଅ ଅଛି। ହେନ୍ତାଳ ବଣ ପରିବେଷ୍ଟିତ ଏହି ବତିଘର କେନ୍ଦ୍ରାପଡ଼ା ଜିଲାରେ ଏକ ଦ୍ୱୀପ ପରି, ଯାହାର ଚାରିପଟେ ଜଳ ଘେରି ରହିଛି। ମୃତ୍ତିକା ଓ ତଟକ୍ଷୟ ଏହି ସ୍ଥାନକୁ ସଂକୁଚିତ କରୁଛି। ପ୍ରଶାସନର ଅଣଦେଖାରୁ ଏଠାରେ ଏବେ ଅନୁପ୍ରବେଶକାରୀ ଓ ଚିଙ୍ଗୁଡି ଘେରି ସଂଖ୍ୟା ବଢ଼ିଛି। ସ୍ଥାନଟି ବିକଶିତ ହେଲେ ପର୍ଯ୍ୟଟନ ଶିଳ୍ପରୁ ଜିଲାବାସୀଙ୍କୁ ଫାଇଦା ସହିତ ଆତ୍ମନିଯୁକ୍ତି ମିଳିବ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।