ଦାରିଙ୍ଗବାଡ଼ି, ୨୨/୧୧ (ଅରୁଣ ସାହୁ): ବାତ୍ୟା ‘ଅକୱନ’କୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ିରୁ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଏଥିସହ ଗଞ୍ଜାମ ଜିଲାର ଗାଜଲବାଡ଼ି ଏବଂ ଦାରିଙ୍ଗବାଡ଼ିର ବାଇମାଳାଠାରେ ପ୍ରଶାସନ ପକ୍ଷରୁ ରାସ୍ତାକୁ ସିଲ୍ କରାଯାଇଥିଲା। ତେବେ ବାତ୍ୟାର ବିପଦ ଟଳିବା ପରେ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟା ପରଠାରୁ ପୁଣି ଥରେ ଏହି ରାସ୍ତାରେ ପୂର୍ବଭଳି ହାଲୁକା ଯାନ ଚଳାଚଳ ଆରମ୍ଭ ହୋଇଛି।
ଖବର ଲେଖା ହେବା ସୁଦ୍ଧା ଏ ନେଇ କନ୍ଧମାଳ ଓ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି ହୋଇନଥିଲେ ମଧ୍ୟ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ରାସ୍ତା ଖୋଲାଯାଇଥିବା ଜଣାପଡ଼ିଛି। ହାଲୁକା ଯାନ ଚଳାଚଳ ସ୍ୱାଭାବିକ ହେବା ପରେ ଗଞ୍ଜାମ ଜିଲ୍ଲାରୁ ପନିପରିବା ବୋଝେଇ ମିନି ଟ୍ରକ୍ଗୁଡ଼ିକ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା ଆଦି ଅଞ୍ଚଳରେ ସୁବିଧାରେ ପହଞ୍ଚି ପାରୁଛନ୍ତି।
ତେବେ ପୂର୍ବଭଳି ଉକ୍ତ ଘାଟି ରାସ୍ତାରେ ଯାତ୍ରୀବାହୀ ବସ୍ ସମେତ ଅନ୍ୟ ଭାରୀଯାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିଛି। ଆଉ ଦୁଇ ଦିନ ମଧ୍ୟରେ ଭାରୀଯାନ ଚଳାଚଳ ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗାଜଲବାଡ଼ି ଘାଟିରେ ଭୂସ୍ଖଳନ ହୋଇଥିଲା। ଏଥିରେ ବଡ଼ ବଡ଼ ପଥର, ଗଛ ଓ ମାଟି ଅତଡ଼ା ଖସି ଘାଟି ରାସ୍ତା ଅବରୋଧ ହୋଇଥିଲା। ଏହା ସହ ଗାଜଲବାଡ଼ି ନିକଟ ଅଡ଼ଙ୍ଗୀ ନଦୀର ଗତିପଥ ପରିବର୍ତ୍ତନ ହେବା ଫଳରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ଧୋଇ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ମରାମତି କାର୍ଯ୍ୟ ଶେଷ ହେବା ପରେ ୬ ତାରିଖରେ ପ୍ରଥମେ ହାଲୁକା ଯାନ ଚଳାଚଳ ପାଇଁ ଅନୁମତି ମିଳିଥିଲା।
ତେବେ ପରବର୍ତ୍ତୀ ସମୟରେ ଲଗାତାର ଆଉ ଦୁଇଟି ବାତ୍ୟା ଆସିବା ପରେ ଉକ୍ତ ଘାଟି ଓ ଫୁଲବାଣୀ ସଂଯୋଗୀକରଣ ରାସ୍ତାର ମରାମତି କାର୍ଯ୍ୟରେ ବିଳମ୍ବ ହେବା ସହ ଭାରୀଯାନ ଚଳାଚଳ ଆରମ୍ଭ ହେବାରେ ବିଳମ୍ବ ହେଉଥିବା କୁହାଯାଉଛି।