ହାଲୁକା ବର୍ଷା ସାଙ୍ଗକୁ କୁହୁଡ଼ି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କଟକ, ନୟାଗଡ଼ ଏବଂ ଜଗତ୍‌ସିଂହପୁର ଜିଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖରୁ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ୫ରୁ ୬ ଡିଗ୍ରୀ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବ। ପୂର୍ବ ଦିଗରୁ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଶୀତ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୧୫, ଦାରିଙ୍ଗବାଡି ୧୪ ଏବଂ କୋରାପୁଟ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି।
କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସର ଧାରଣା
ଭୁବନେଶ୍ୱର,୧୫ା୧୨(ବ୍ୟୁରୋ)

କେନ୍ଦ୍ର ସରକାର ପ୍ରଣୟନ କରିଥିବା କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ସାରା ଦେଶରେ ଚାଲିଛି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ। ଏହାକୁ ସମର୍ଥନ ଜଣାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଦଳର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ୍‌ ଦାସଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦେବୀପ୍ରସାଦ ପୃଷ୍ଟି, ମୋହନ ଜେନା, ଚିନ୍ମୟ ସୁନ୍ଦର ଦାସ, ଜୟନ୍ତ ଭୋଇ, ଅଶୋକ ସାହୁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।