ଜୁଲାଇରେ ବି ନିଅଣ୍ଟିଆ ବର୍ଷା

ଯାଜପୁର ଅଫିସ,୧ା୮: ସବୁପ୍ରକାରର ପଦକ୍ଷେପକୁ ଆପଣାଇବା ପରେ ଶେଷ ବିକଳ୍ପ ଥିଲା ମୌସୁମୀ। ପୂର୍ବାନୁମାନକୁ ନେଇ ଆକଳନ କରାଗଲା ଯେ, ଏଥର ସ୍ବାଭାବିକ ବର୍ଷା ହେବ। ଫଳରେ ଶସ୍ୟ ଉତ୍ପାଦନ ବଢ଼ିବ। କିନ୍ତୁ ଚଳିତ ବର୍ଷାଋତୁର ପ୍ରଥମ ଦୁଇ ମାସରେ ଯାଜପୁର ଜିଲାରେ ବର୍ଷାର ଅନିୟମିତତା କୃଷି କ୍ଷେତ୍ରକୁ ଉଜାଡ଼ି ଦେଇଛି। ଗତ ଜୁନରେ ଜିଲାରେ ୨୫% କମ୍‌ ବର୍ଷା ଏବଂ ଭୀଷଣ ଖରା ଯୋଗୁ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୁଲାଇରେ ୩୪୧.୨୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ (୩୫୦.୯ ମିମି) ବର୍ଷାଠାରୁ ପ୍ରାୟ ୯ ମିମି କମ୍‌। କିନ୍ତୁ ଜୁଲାଇ ଶେଷ ବେଳକୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ସୁକିନ୍ଦା, ବଡ଼ଚଣା ଓ ବରୀ ବ୍ଲକରେ ସ୍ବାଭାବିକଠାରୁ ଅଧିକ ବର୍ଷା ଯୋଗୁ କେତେକ ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଅନ୍ୟପକ୍ଷରେ ଦଶରଥପୁର, କୋରେଇ ଓ ରସୁଲପୁର ବ୍ଲକରେ ୩୦୦ ମିିମି ବର୍ଷା ମଧ୍ୟ ହୋଇ ନ ଥିବା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷାର ଏଭଳି ଅନିୟମିତତା ଯୋଗୁ ଜିଲାର କୃଷି ଉପତ୍ାଦନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ନିର୍ଦ୍ଧାରିତ ସମୟରେ ମୌସୁମୀ ବାୟୁର ପ୍ରବେଶ ଘଟିଥିଲେ ହେଁ ଜିଲାରେ ବର୍ଷାର ଅନିୟମିତତା ଦେଖାଦେଇଛି। ଖଣି ଅଞ୍ଚଳ ସୁକିନ୍ଦାରେ ଏଥର ସ୍ବାଭାବିକଠାରୁ ଆଶାନୁରୂପ ବର୍ଷା ହୋଇଛି। ଏଠାରେ ୪୩୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ରୁଆ, ବିହୁଡା କାମ ସ୍ବାଭାବିକ ଚାଲିଥିବା ଜଣାପଡିଛି। ବଡ଼ଚଣା ବ୍ଲକରେ ମଧ୍ୟ ୪୫୯ ମିମି ବର୍ଷା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି କାରଣରୁ ବଡଚଣା ବ୍ଲକର ଚାଷୀମାନେ ବିଳମ୍ବରେ ହେଲେ ବି ଏଥର ଚାଷକାର୍ଯ୍ୟ ଜୋରସୋରରେ ଚଳାଇଥିବା କୁହାଯାଉଛି। ଜିଲାର ସର୍ବାଧିକ ବନ୍ୟାପ୍ରବଣ ବରୀ ବ୍ଲକରେ ସ୍ବାଭାବିକ ଠାରୁ ସାମାନ୍ୟ ଅଧିକ ୪୦୪.୬୦ ମିମି ବର୍ଷା ରେକର୍ଡ କରାଯାଇଛି। ହେଲେ ବ୍ରାହ୍ମଣୀର ଜଳସ୍ତର ସ୍ଥିର ରହିଥିବାରୁ ଚାଷ ପାଇଁ କୌଣସି ବିପଦ ହୋଇନାହିଁ। ଚାଷୀ ସ୍ବାଭାବିକ ଚାଷ କାର୍ଯ୍ୟରେ ମାତିଛନ୍ତି। କେତେକ ସ୍ଥାନରେ ଜମି ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଜଳନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଡ୍ରେନେଜ ବିଭାଗ ପକ୍ଷରୁ ବିଭିନ୍ନ ନଦୀନାଳର ପୁନରୁଦ୍ଧାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ତାହା ଚାଷୀଙ୍କ କୌଣସି କାମରେ ଲାଗିନାହିଁ। ଅନ୍ୟପକ୍ଷରେ ଦଶରଥପୁରରେ ୨୨୩ ମିମି, କୋରେଇରେ ୨୭୪.୮୦ ମିିମି, ରସୁଲପୁରରେ ୨୭୭.୪୦ ମିମି, ଯାଜପୁରରେ ୩୧୦ ମିମି ଏବଂ ବିଞ୍ଝାରପୁରରେ ୩୦୯ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ କମ୍‌। ଫଳରେ ଏଠାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଲ ମୌସୁମୀ ହେଲେ କୃଷି ଉତ୍ପାଦନରେ ବୃଦ୍ଧି ଘଟିବ, ଗ୍ରାମୀଣ ଅର୍ଥନୀତି ପାଇଁ ଅନୁକୂଳ ବାଟ ଦେଖାଇବ ବୋଲି ଆଶା କରାଯାଏ। ମାତ୍ର ଏଥର ସେଭଳି ଆଶା ପୂରଣ ହେବା ନେଇ ସନ୍ଦେହ କରାଯାଉଛି।