ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି, ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରହିଛି। ଦିନରାତି ଝିପିଝିପି ବର୍ଷା ହେଉଥିବା ବେଳେ କେତେବେଳେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ବର୍ଷା ସାଙ୍ଗକୁ ଜଙ୍ଗଲ ଓ ଘାଟି ଅଞ୍ଚଳରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇପଡ଼ୁଥିବାରୁ ଗାଡ଼ିମୋଟର ଯାତାୟାତରେ ବାଧା ସୃଷ୍ଟି ହେଉଛି। ସେହିପରି ଲଗାଣ ବର୍ଷା ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ କୋହଲା ପବନ ଯୋଗୁଁ ଥଣ୍ଡାର ପ୍ରଭାବ ଆହୁରି ବଢ଼ିଯାଇଛି।

ତେବେ ବର୍ଷାକୁ ଖାତିର ନକରି ଲୋକେ ଜରୁରୀ କାର୍ଯ୍ୟରେ ବଜାରକୁ ଆସିବା ସହ କିଣାବିକା କରୁଛନ୍ତି। ବିଶେଷକରି ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଅର୍ଥରାଶି ଆସିଥିବାରୁ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ସମେତ ବିଭିନ୍ନ କ୍ଷୁଦ୍ର ବ୍ୟାଙ୍କରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଛି।

ସେହିପରି ବର୍ଷା ସତ୍ତ୍ୱେ ବଜାରରେ ମଧ୍ୟ ବିଭିନ୍ନ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଲଗାଣ ବର୍ଷା, ଘନ କୁହୁଡ଼ି ଓ କୋହଲା ପବନ ଯୋଗୁଁ ଦାରିଙ୍ଗବାଡ଼ି ଅଞ୍ଚଳର ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

Dharitri – Odisha’s No.1 Odia Daily

Share