ସୃଷ୍ଟି ହେଲା ଲଘୁଚାପ, ଆରମ୍ଭରୁ ବର୍ଷିଲା

ଭୁବନେଶ୍ୱର, ୫ା୭(ବ୍ୟୁରୋ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୫.୮ କିମି ଯାଏ ବ୍ୟାପିଛି। ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଛି। ସକାଳ ସାଢ଼େ ୮ଟାରୁ ଅପରାହ୍ନ ୨ଟା ୩୦ ସୁଦ୍ଧା ରାଜଧାନୀରେ ୪୬.୮ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ୩୦.୧, କେନ୍ଦୁଝର ୩୦, ମାଲକାନଗିର ୨୫.୪, ଅନୁଗୋଳ ୧୯, ଜଗତ୍‌ସିଂହପୁର ୬.୨, ଢେଙ୍କାନାଳ ୫.୯, ଝାରସୁଗୁଡ଼ା ୪.୬, ନବରଙ୍ଗପୁର ୫.୬ ଓ ଦାରିଙ୍ଗବାଡ଼ିରେ ୭ମିମି ବର୍ଷା ହୋଇଛି। ସେହିଭଳି ସମ୍ବଲପୁର, କୋରାପୁଟ, କଟକ, ନୟାଗଡ଼, ଯାଜପୁରରେ ମଧ୍ୟ ବର୍ଷା ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ସେଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଏବଂ ଅନୁଗୋଳରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ବୁଧବାର ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ। ତେବେ ଗୁରୁବାର ବୌଦ୍ଧ, ସୋନପୁର, କନ୍ଧମାଳ, ଅନୁଗୋଳ ଏବଂ ସମ୍ବଲପୁରରେ ଓ ଶୁକ୍ରବାର ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ମାଲାକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଜୁନ୍‌ ଶେଷ ସୁଦ୍ଧା ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇର ପ୍ରଥମ ଦିନରେ ଏହି ନିଅଣ୍ଟିଆ ବର୍ଷାରେ ୧୧ ପ୍ରତିଶତ ଭରଣା ହୋଇଛି। ଜୁଲାଇ ୪ ସୁଦ୍ଧା (ଜୁନ ୧ରୁ ଜୁଲାଇ ୪) ରାଜ୍ୟରେ ୧୮୧.୪ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୨୫୬.୧ମିମି ଠାରୁ ୨୯ପ୍ରତିଶତ କମ୍‌ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।