ଲିଫ୍ଟ ଅଚଳ, ଟଏଲେଟ୍‌ରେ ତାଲା

ରାଉରକେଲା,୧୯।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ରେଲଓ୍ବେ ଷ୍ଟେଶନରେ ସ୍ବୟଂଚାଳିତ ଲିଫ୍ଟ ଅଚଳ ହୋଇପଡିଥିବା ବେଳେ ଟଏଲେଟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ଏହି ଷ୍ଟେଶନର ୪ ଓ ୫ ନମ୍ବର ଫ୍ଲାଟଫର୍ମର ଲିଫ୍ଟ ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ପହିଛି। ଏଥିସହିତ ୨ ଓ ୩ ନମ୍ବର ପ୍ଲାଟଫର୍ମର ସ୍ବୟଂଚାଳିତ ସିଢ଼ି ମଧ୍ୟ ଅଚଳ ରହିଛି। ଫଳରେ ବୟୋଜ୍ୟେଷ୍ଠ ରେଳଯାତ୍ରୀମାନେ ୨ ଓ ୩ ନମ୍ବର ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବାରେ କଷ୍ଟ ଭୋଗୁଛନ୍ତି। କେବଳ ୧ନଂ ପ୍ଲାଟଫର୍ମର ସ୍ବୟଂଚାଳିତ ସିଢ଼ି କାର୍ଯ୍ୟ କରୁଥିବା ବେଳେ ଅନ୍ୟ ପ୍ଲାଟଫର୍ମରୁ ରେଳଯାତ୍ରୀ ସ୍ବୟଂଚାଳିତ ସିଢ଼ି ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେହିପରି ୪ ଓ ୫ ନମ୍ବର ପ୍ଲାଟଫର୍ମରେ ରେଳଯାତ୍ରୀ ମାନଙ୍କ ପାଇଁ ଟଏଲେଟ ସୁବିଧା ନାହିଁ। ଅଧିକାଂଶ ସମୟରେ ପୁରୁଷ ଟଏଲେଟରେ ତାଲା ଝୁଲୁଥିବା ବେଳେ ଅନ୍ୟ ଏକ ପୁରୁଷ ଟଏଲେଟ ବ୍ୟବହାର ଉପଯୋଗୀ ନୁହଁ। ପ୍ଲାଟଫର୍ମ ନଂ ୪ ଓ ୫ର ରାଞ୍ଚତ୍ ରେଳପଥ ପଟକୁ ମୁଖ୍ୟ ପ୍ଲାଟଫର୍ମ ଦୂରତା କମ୍‌ ଥିବାବେଳେ ସେଠାରେ ସାର୍ବଜନୀନ ଟଏଲେଟ ତିଆରି ହେଉନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ ରେଲଓ୍ବେ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ନେଇ ଷ୍ଟେଶନ ମ୍ୟାନେଜର ପ୍ରଭାସ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଉଭୟ ଲିଫ୍ଟ ବିଦ୍ୟୁତ୍‌ ଜନିତ ସମସ୍ୟା ଯୋଗୁ ବନ୍ଦ ଥିଲା। ଆଜି ମରାମତି ହୋଇଯିବ। ଏହାସହିତ ୨ ଓ ୩ ନମ୍ବର ପ୍ଲାଟଫର୍ମରୁ ସ୍ବୟଂଚାଳିତ ସିଢି ଦେଇ କମ୍‌ ରେଳଯାତ୍ରୀ ଯିବାଆସିବା କରୁଛନ୍ତି। ରେଳଯାତ୍ରୀଙ୍କ ଆଂଶିକ ବ୍ୟବହାର ଯୋଗୁ ବେଳେ ବେଳେ ସିଢି ବନ୍ଦ ରହୁଛି। ତେବେ ଏହାକୁ ସର୍ବକାଳୀନ ଚାଲୁ କରାଯିବ। ଖୁବଶୀଘ୍ର ଟଏଲେଟ ମରାମତି ଓ ନିର୍ମାଣ ହେବ ବୋଲି ଦାଶ କହିଥିଲେ।