ଆର୍‌ପିଏଫ୍‌ କନ୍‌ଷ୍ଟେବଲ ସୁବ୍ରତଙ୍କୁ ଜୀବନ ରକ୍ଷା ପଦକ

ଖଣ୍ଡପଡ଼ା,୨୪।୯(ଅଜୟ କୁମାର ମହାରଣା): ଭାରତୀୟ ରେଳ ବିଭାଗର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ରେଳ ମନ୍ତ୍ରଣାଳୟ ପକ୍ଷରୁ ୪୨ ଜଣଙ୍କୁ ସାହସିକତା ପାଇଁ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ରେଲୱେ ସୁରକ୍ଷା ବଳ(ପ୍ରୋଟେକ୍ସନ ଫୋର୍ସ)ର ଖୋର୍ଦ୍ଧା ପୂର୍ବତଟ ରେଳ ବିଭାଗରେ କାର୍ଯ୍ୟରତ ସୁବ୍ରତ କୁମାର ମହାରଣା ଅଛନ୍ତି। ସିକନ୍ଦରାବାଦ ମୌଲା ଅଲ୍ଲିଠାରେ ଆୟୋଜିତ ଏକ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ରାୟସାହେବ ପାତିଲ ଦନଭେ ଯୋଗଦେଇ ମହାରଣାଙ୍କୁ ସମ୍ବର୍ଦ୍ଧିତ କରି ପୁରସ୍କାର ରାଶି ବାବଦକୁ ୧ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି। ୨୦୨୦ ଫେବୃୟାରୀ ୧୫ରେ ଆଇଟି ଅଧ୍ୟାପିକା ନିବେଦିତା ସାହୁ(୨୭) ଓ ତାଙ୍କ ସାନଭାଇ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଯିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେଶନରେ ଥିବାବେଳେ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ପ୍ଲାଟଫର୍ମ ଛାଡୁଥିଲା। ନିବେଦିତା ଓ ତାଙ୍କ ଭାଇ ଚଳନ୍ତା ଟ୍ରେନରେ ଚଢ଼ି ଯାଇଥିଲେ। ହେଲେ ନିବେଦିତାଙ୍କ ଗୋଡ଼ ହଠାତ୍‌ ଖସି ଯିବାରୁ ଘୋଷାଡ଼ି ହୋଇଯାଇଥିଲେ। ଭୁବନେଶ୍ୱର ପ୍ଳାଟଫର୍ମରେ କାର୍ଯ୍ୟରତ କନ୍‌ଷ୍ଟେବଲ ସୁବ୍ରତ ଦୌଡିଯାଇ ଓହଳି ରହିଥିବା ନିବେଦିତାଙ୍କୁ ଟାଣି ଆଣିବାରୁ ସେ ବର୍ତ୍ତିଯାଇଥିଲେ।