ଜୀବନ ଦର୍ଶନ ହିଁ ବିଶ୍ୱ ଦର୍ପଣ

ପ୍ରତ୍ୟେକ ସଭ୍ୟତାର ପ୍ରତୀକଭାବେ ସାହିତ୍ୟ, ସଂସ୍କୃତି ଓ ଦର୍ଶନ ପ୍ରାଚୀନ ଅସ୍ତ୍ରରୂପେ ସମାଜକୁ କାଳଜୟୀ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶ୍ୱରେ ଗଢି ଉଠିଥିବା ଅଧିକାଂଶ ସଭ୍ୟତାର ଅନ୍ତରାଳେ ସାହିତ୍ୟ,ସଂସ୍କୃତି ଓ ଦର୍ଶନର ଝଲକ ନିଶ୍ଚତି ଦେଖିବାକୁ ମିଳେ। ଭାବନାର ପ୍ରତୀକଭାବେ ଭାଷା ଓ ଭାଷାକୁ ସାମାଜିକ ଜୀବନରେ ବିସ୍ଥାପିତ କରିବା ପାଇଁ ସାହିତ୍ୟ ସାଜିଲା ଏକମାତ୍ର ମାଧ୍ୟମ। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥାନରେ ଥିବା ସାମାଜିକ ଚଳଣି, ଜୀବନଶୈଳୀ, ରୀତିନୀତି, ପ୍ରଥା ପରମ୍ପରାକୁ ବଜାୟ ରଖିଥିବା ବିଶ୍ୱାସର ପରିପ୍ରକାଶକୁ ସଂସ୍କୃତି କୁହାଯାଏ। ସାହିତ୍ୟ ଓ ସଂସ୍କୃତିର ବିଶ୍ଳେଷଣାତ୍ମକ ତତ୍ତ୍ୱ ଜୀବନଦର୍ଶନ। ଜୀବନ ଦର୍ଶନସହ ମଣିଷ ଓତପ୍ରୋତଭାବେ ଜଡ଼ିତ। ଅର୍ଥାତ ଜୀବନର ମାର୍ଗଦର୍ଶକରୂପେ ଦର୍ଶନ ତା’ର ମହତ ଜ୍ଞାନତତ୍ତ୍ୱକୁ ବ୍ୟକ୍ତିତ୍ୱର ବିକାଶରେ ନିୟୋଜିତ କରିଛି। ମାନବୀୟ ସ୍ଥିତିର ମହତ୍ତ୍ୱ ଓ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ତା’ ଭିତରେ ଅନ୍ତର୍ନିହିତ ସତ୍ୟାସତ୍ୟକୁ ସମୀକ୍ଷାକରି ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ଜିଜ୍ଞାସାକୁ ଦର୍ଶନ କୁହାଯାଏ। ବିଶ୍ୱ ଚିନ୍ତାଚେତନାର ପରିବର୍ତ୍ତନର ପ୍ରଚ୍ଛଦପଟରେ ଦାର୍ଶନିକ ଚିନ୍ତାଧାରା ଏକ ବୃହତ ଅସ୍ତ୍ରରୂପେ କାର୍ଯ୍ୟ କରିଆସିଛି। ବିଶ୍ୱର କୋଣଅନୁକୋଣରେ ସୃଷ୍ଟିହୋଇଥିବା ବୈପ୍ଳବିକ ସଂଗଠନରେ ଦାର୍ଶନିକମାନଙ୍କ ଭୂମିକାର ଗୁରୁତ୍ୱ ସର୍ବାଗେ। ଯେବେଯେବେ ମାନବୀୟ ମହତ୍ତ୍ୱ ଓ ମୂଲ୍ୟବୋଧର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସେ ସେବେସେବେ ଦର୍ଶନ ମାନବ ସମାଜ ପାଇଁ କେନ୍ଦ୍ରବିନ୍ଦୁ ପାଲଟିଯାଏ। ସାମାଜିକ ବ୍ୟବସ୍ଥାକୁ ମଜଭୁତ ସହ ମଣିଷକୁ ଦିଗ-ଦର୍ଶନ ଦେବାରେ ଦର୍ଶନ ସଦାସର୍ବଦା ଚେଷ୍ଟିତ। ବିଶ୍ବର ପ୍ରତ୍ୟେକ ବିକଶିତ ସଭ୍ୟତା ସହ ଦାର୍ଶନିକ ଚିନ୍ତାଚେତନା ଉଭୟ ରାଷ୍ଟ୍ରୀୟ ଓ ସାମାଜିକ ଜୀବନରେ ଜଡ଼ିତ। ଦର୍ଶନର ମୂଳତତ୍ତ୍ୱକୁ ସାମାଜିକ ମୂଲ୍ୟବୋଧର ପରିଚାୟକରୂପେ ଯୁଗେଯୁଗେ ଗ୍ରହଣ କରାଯାଇଛି। ଭାରତୀୟ ଦର୍ଶନ ଓ ପାଶ୍ଚାତ୍ୟ ଦର୍ଶନରେ ବୁଦ୍ଧିବାଦ, ଇନ୍ଦ୍ରିୟାନୁଭୂତିବାଦ, ଆତ୍ମଜ୍ଞାନବାଦ ଏବଂ ବିଚାରବାଦର ବିଚାରଧାରାକୁ ଉପଯୁକ୍ତ ତର୍କ ଓ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଉପସ୍ଥାପନ କରାଯାଇଥାଏ। ତତ୍ତ୍ୱବିଦ୍ୟା, ତର୍କବିଦ୍ୟା, ଜ୍ଞାନବିଦ୍ୟା, ନୈତିକ ବିଦ୍ୟା ଏବଂ ସୌନ୍ଦର୍ଯ୍ୟ ବିଦ୍ୟା ମାଧ୍ୟମରେ ଦର୍ଶନ ନିଜର ପରିଚୟ ଅର୍ଜନ କରେ।

ପ୍ରକୃତି ଏବଂ ପଦାର୍ଥର ନିହିତ ଗୁଣକୁ ଖୋଜିବା ବିଜ୍ଞାନର ଦାୟିତ୍ୱ। ଯେଉଁଠି ଜଡ ବିଜ୍ଞାନର ପରିସୀମା ଅନ୍ତହୁଏ ସେଇଠି ତତ୍ତ୍ୱବିଦ୍ୟାରୂପକ ଦର୍ଶନ ହିଁ ପାଲଟିଯାଏ ଜଗତର ମୂଳାଧାର। କାରଣ ସବୁ ବିଜ୍ଞାନର ସୃଷ୍ଟି ମଣିଷର ଜ୍ଞାନଜଗତରୁ। ଦାର୍ଶନିକ ପ୍ଲାଟୋଙ୍କ ମତରେ ଆତ୍ମାର ଖାଦ୍ୟ ହେଉଛି ଜ୍ଞାନ। ଦର୍ଶନ ହିଁ ଜ୍ଞାନ ଏବଂ ଜ୍ଞାନ ବିନା ବିଜ୍ଞାନର ଅସ୍ତିତ୍ୱ ବା କାହିଁ? ଅର୍ଥାତ ଦର୍ଶନରେ ସବୁ ପ୍ରଜାତିର ବିଜ୍ଞାନ ନିହିତ। କାରଣ ସବୁର ଏକ ଶେଷସୂକ୍ଷ୍ମ ସିଦ୍ଧାନ୍ତରୂପେ ଦାର୍ଶନିକ ତତ୍ତ୍ୱ ଆବିର୍ଭାବ ହୋଇଥାଏ। ଉଭୟ ଅନ୍ତଃଜଗତ ଓ ବାହ୍ୟଜଗତର ସତ୍ୟାସତ୍ୟକୁ ଉପସ୍ଥାପନ ଦର୍ଶନର ମୂଳଲକ୍ଷ୍ୟ। ଜୀବନର ଆତ୍ମିକ ଅନୁଭୂତି, ଆତ୍ମିକ ସମୀକ୍ଷା ଏବଂ ଆତ୍ମିକ ସିଦ୍ଧାନ୍ତର ଶ୍ରେଷ୍ଠତ୍ୱକୁ ଅନୁଭବ କରିବା ହିଁ ଦର୍ଶନ। ଏହା ଜଡ ଜାଗତିକ ଅନୁଭୂତିରୁ ଆରମ୍ଭ ହୋଇ ଆଧ୍ୟାତ୍ମିକ ଜାଗରଣରେ ସମାପ୍ତ ହୁଏ।

ସୃଷ୍ଟିର ଗୂଢ଼ରହସ୍ୟକୁ ଉନ୍ମୋଚନ ସହ ମଣିଷର ଚାରିତ୍ରିକ ଆଚରଣ ଓ ଉଚ୍ଚାରଣ ପରିବର୍ତ୍ତନରେ ଲୁଚିରହିଛି ଦର୍ଶନର ସତ୍ୟତା। ଚାରିତ୍ରିକ ଆଚରଣ କହିଲେ ମଣିଷର ନୈତିକ ଆଧାର ଯାହା ଅତ୍ୟାବଶ୍ୟକ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ସମସ୍ତ ସାଂସାରିକ ଦୁଃଖଯନ୍ତ୍ରଣାର କାରଣ ନୈତିକହୀନତା ଯାହା ବୁଦ୍ଧ ତାଙ୍କ ଅଷ୍ଟାଙ୍ଗମାର୍ଗରେ ଅଭିହିତ କରିଛନ୍ତି। ମଣିଷର ଅତ୍ୟାବଶ୍ୟକ ମୂଲ୍ୟବୋଧ ଯାହା ଜୈନ ଦର୍ଶନରେ ଅଣୁ ମହାବ୍ରତ ଭାବେ ନାମିତ କରାଯାଇଛି। ଅଣୁ ମହାବ୍ରତର ଅନୁସରଣରେ ହିଁ ଶ୍ରେଷ୍ଠ ଜୀବନଦର୍ଶନ ନିହିତ। ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟକୁ ମହାବ୍ରତ କୁହାଯାଏ। ଏହି ସାଧନାକୁ ଯେପର୍ଯ୍ୟନ୍ତ ମାନବ ଜାତି ଆନ୍ତରିକଭାବେ ପାଳନ ନକରିଛି ସେ ପର୍ଯ୍ୟନ୍ତ ଧ୍ୟାନ ଜପ ଓ ତପରେ କୌଣସି ମୂଲ୍ୟନାହିଁ। ଏହାହିଁ ଜୀବନ ଦର୍ଶନ ଯାହାକୁ ମହାତ୍ମା ଗାନ୍ଧୀ ତାଙ୍କ ଜୀବନରେ ଅନୁସରଣପୂର୍ବକ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଅହିଂସା ଓ ସତ୍ୟକୁ ଏକ ଶ୍ରେଷ୍ଠ ହତିଆର କରିଥିଲେ।

ଅହିଂସା ଏକ ମାନସିକ ଅବସ୍ଥା ଯାହା ସଦାସର୍ବଦା ଅନ୍ୟର କ୍ଷତି ନ ପହଞ୍ଚାଇବାରେ ଏକ ପ୍ରତିଷେଧକ । ମନର ପରିକଳ୍ପନା, ବାକ୍ୟ ଓ କର୍ମ ଉପରେ ନକାରାତ୍ମକ ନିୟନ୍ତ୍ରିତ ପରିଭାଷା ହିଁ ଅହିଂସା। ପ୍ରେମ ଓ ସକାରାତ୍ମକ ଭାବନା ବି ଅହିଂସା। ପ୍ରତ୍ୟେକ ମଣିଷକୁ ମଣିଷ ଭଳି ବ୍ୟବହାର କରିବା ସହ ବିନା ଭେଦଭାବର ସଂକୀର୍ଣ୍ଣତାର ପୃଷ୍ଠପୋଷକତା କରିବା ଅହିଂସା। ହିଂସା ମଣିଷକୁ ଓ ତା’ ମନକୁ ପଥଭ୍ରଷ୍ଟ କରେ, ଆତ୍ମାକୁ କଳୁଷିତ ଓ କବଳିତ କରେ। କଳୁଷିତ ଓ କବଳିତ ମଣିଷ ସର୍ବଦା ହିଂସ୍ର ସ୍ବଭାବର। ଜୀବ ପ୍ରତି ଦୟା, ଅନୁକମ୍ପା ଓ ସେବା ଅହିଂସାର ପ୍ରତୀକ। ଅହିଂସା ମାଧ୍ୟମରେ ଗାନ୍ଧୀ ସାଧୀନତା ଆଣିବାରେ ସଫଳ ହୋଇଥିଲେ। ଏହି ଅହିଂସାକୁ ସାହାରା କରି ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ ମଣ୍ଡେଲା ମଧ୍ୟ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରି ତେଇଶ ବର୍ଷ କାରାବାସ କରିଥିଲେ। ଅହିଂସା ସହ ସତ୍ୟ ମଣିଷର ଆଉ ଏକ ସାଧନା ବା ବ୍ରତ। ସତ୍ୟ ହିଁ ସୁନ୍ଦର, ସତ୍ୟ ହିଁ ଚିରନ୍ତନ, ନିରାକାର, ଚିରସବୁଜ। ପ୍ରତ୍ୟେକ ବ୍ୟକ୍ତି ନିଜର ଭାବନା, ବାକ୍ୟ ଓ କର୍ମରେ ସତ୍ୟର ସମ୍ମାନ କରିବା ଉଚିତ। ନିଜ କର୍ମ ଓ ଜୀବିକା ପ୍ରତି ସଚେତନ ସହ କର୍ତ୍ତବ୍ୟପରାୟଣତାକୁ ଜୀବନର ଶ୍ରେଷ୍ଠ ବ୍ରତଭାବେ ପାଳନ କରିବା। ଏହା ଜୀବନର ବାସ୍ତବତା ଓ ବାସ୍ତବତା ହିଁ ସତ୍ୟ। ସତ୍ୟପଥରେ ପଥିକ ସର୍ବଦା ସଚ୍ଚୋଟ ପଣିଆକୁ ଏକ ଅସ୍ତ୍ରଭାବେ ବ୍ୟବହାର କରିଥାଏ। ସତ୍ୟନିଷ୍ଠ ବ୍ୟକ୍ତିର ମାନସିକ ଅବସ୍ଥା ସୁସ୍ଥ, କାରଣ ମିଥ୍ୟା ଓ ଭୟ ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣାର କାରଣ। ଆସ୍ତେୟ ପଞ୍ଚ ମହାବ୍ରତର ଅନ୍ୟ ଏକ ଆଚରଣ ବିଧି। ଯେତେବେଳେ ଆମେ ଅନ୍ୟର ଜିନିଷକୁ ଚୋରି, ଠକି,ଶୋଷଣ ତଥା ପ୍ରତାରିତ କରି ନିଜର କରିବାର ଇଚ୍ଛା ପ୍ରକାଶ କରନ୍ତି ତାହା ମାନବୀୟ ମୂଲ୍ୟବୋଧ ନୁହେଁ। ଏଥିରୁ ନିବୃତ୍ତ ହେବା ନିହାତି ଜରୁରୀ ଓ ଏହା ଆସ୍ତେୟ। ଆପରିଗ୍ରହ ଚତୁର୍ଥ ମହବ୍ରତ ଯାହା ଆମ ସମସ୍ତଙ୍କୁ ଶିଖାଏ ଯେତିକି ଆବଶ୍ୟକ ସେତିକି ଗ୍ରହଣ କରାଯାଉ। ଆବଶ୍ୟକତାଠାରୁ ଅଧିକ ଗ୍ରହଣ ଲୋଭ । ଲୋଭର ବଶବର୍ତ୍ତୀ ବ୍ୟକ୍ତି ମାନସିକ ଯନ୍ତ୍ରଣା ଅନୁଭବ କରିବା ସହ ସାମାଜିକ ବିକାଶରେ ବାଧା ସୃଷ୍ଟି କରେ। ଖାଦ୍ୟ ଗ୍ରହଣଠାରୁ ବସ୍ତ୍ର ଆସବାସ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ନିଜକୁ ନିୟନ୍ତ୍ରିତ ରଖିବା ଦ୍ୱାରା କୌଣସି ମାନସିକ ଦ୍ୱନ୍ଦ୍ୱ ଉପୁଜେ ନାହିଁ। ବ୍ରହ୍ମଚର୍ଯ୍ୟ ଆମ ଚତୁରାଶ୍ରମ ଜୀବନର ପ୍ରଥମ ଆଶ୍ରମ ଓ ପଞ୍ଚ ମହାବ୍ରତ ସର୍ବଶ୍ରେଷ୍ଠ ବ୍ରତ। ପ୍ରତ୍ୟେକ ମଣିଷର ଏହା ଏକ ଶ୍ରେଷ୍ଠ ଓ ଉତ୍କୃଷ୍ଟ ଜୀବନ ଶୈଳୀର ପ୍ରଥମ ପାହାଚ। ଉଭୟ ମନ ଓ ଶରୀରକୁ, ସ୍ବଚ୍ଛ ଓ ଶୁଦ୍ଧ ରଖିବା ପାଇଁ ଇନ୍ଦ୍ରିୟମାନଙ୍କୁ ବିକାରଗ୍ରସ୍ତ ଚିନ୍ତାଧାରାରୁ ନିବୃତ୍ତ ରଖିବା ହିଁ ବ୍ରହ୍ମଚର୍ଯ୍ୟ। ଯୌନତୃପ୍ତିର ଅହେତୁକ ବ୍ୟାକୁଳ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରିୟମାନଙ୍କର ଅସଂଯତ ଉଚ୍ଚାରଣ ଓ ଆଚରଣ ସମସ୍ତ ସମସ୍ୟାର ମୂଳକାରଣ।
ଏକବିଂଶ ଶତାବ୍ଦୀ ଅତ୍ୟାଧୁନିକ ଜୀବନଶୈଳୀର ଯୁଗ। ଖାଦ୍ୟପେୟ, ବସ୍ତ୍ର ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀରେ କୁତ୍ରିମତା ଭରିଭରି ରହିଛି। କାମ-କ୍ରୋଧ-ଲୋଭ-ମଦ- ମୋହ-ମାତ୍ସର୍ଯ୍ୟର କରାଳ ଗର୍ଭରେ କବଳିତ ମଣିଷ କଣବା କରିବ?ସେଇ କଳୁଷିତ ଓ କୃତ୍ରିମ ମାନସିକତାକୁ ମଣିଷ ସମାଜ ସମ୍ପୂର୍ଣରୂପେ ଗ୍ରହଣ କରିବାରେ ଲାଗିଛି। ସାମ୍ପ୍ରତିକ ବିଶ୍ୱମାନବ ଜାତି ଉଭୟ ଶାରିରୀକ ଓ ମାନସିକ ସ୍ତରରେ ରୋଗାକ୍ରାନ୍ତ ହେବାରେ ଲାଗିଛି। ବସ୍ତୁବାଦୀ ଦୁନିଆରେ ବସ୍ତୁପ୍ରତି ଅହେତୁକ ଦୁର୍ବଳତା ସହ ନିଜ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଲକ୍ଷ୍ୟରେ ସମସ୍ତେ ଧାବମାନ। ପ୍ରତିଦ୍ବନ୍ଦ୍ୱିତା ଓ ଈର୍ଷାପରାୟଣତା ଧୀରେଧୀରେ ମାନସିକ ଉତ୍ତେଜନା ଓ ଚାପଗ୍ରସ୍ତ ଜୀବନ ସୃଷ୍ଟି କରିଚାଲିଛି। ଏହି ପରିପ୍ରେକ୍ଷୀରେ ଦର୍ଶନର ତତ୍ତ୍ୱ ନିଶ୍ଚିତଭାବେ ଏକ ଉତ୍ତମମାର୍ଗ ଭାବେ ବିଶ୍ୱର ଜନସାଧାରଣଙ୍କୁ ମାର୍ଗଦର୍ଶକ ହୋଇ ସୁସ୍ଥ ସମାଜ ଗଠନ କରିବାରେ ସଫଳ ହେବ।

ଡ.ମନୋଜ କୁମାର ମହାନ୍ତି
ଦର୍ଶନ ବିଭାଗୀୟ ମୁଖ୍ୟ, ବି.ଏନ୍‌.ଏମ୍‌.ଏ ମହାବିଦ୍ୟାଳୟ, ଭଦ୍ରକ
ମୋ: ୮୮୯୫୩୪୧୦୩୩

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri