ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍‌ କଟକଣା ଭିତରେ ହାତବାନ୍ଧି ବସିଥିବା ଶିଳ୍ପୀ ଓ ବୁଣାକାରମାନେ ଜୀବନଜୀବିକାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଗୌରବମୟ କଳାର ଅଧିକାରୀ ହୋଇଥିଲେ ବି ନିଜକୁ ଅସହାୟ ମନେ କରୁଛନ୍ତି। ଏ ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ କଥା ଚିନ୍ତା କରୁ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ସୂଚନାନୁସାରେ, ରାଜ୍ୟରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ ବୁଣାକାର ରହିଛନ୍ତି। ଇତିମଧ୍ୟରେ ରାଜ୍ୟର ବହୁ ଶିଳ୍ପୀ ଓ ବୁଣାକାର କରୋନାରେ ଆଖି ବୁଜିଛନ୍ତି। ଏହାସତ୍ତ୍ୱେ ସରକାର ଏମାନଙ୍କୁ ଅଣଦେଖା କରୁଥିବା ବାରମ୍ବାର ଅଭିଯୋଗ ହେଉଛି। କେବଳ ମେ’ ମାସରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସମେତ ଆକାଶ ମହାରଣା, ପ୍ରସ୍ତର ଶିଳ୍ପୀ ଅଭୟ କୁମାର ମହାନ୍ତି, ପଟଚିତ୍ର କଳାକାର ପ୍ରଣବ ନାରାୟଣ ଦାସ, କେନ୍ଦରା (ବାନାମ୍‌) ତିଆରି କରୁଥିବା ଆଦିବାସୀ ଶିଳ୍ପୀ ଉଦୟ ମୁର୍ମୁ ପ୍ରମୁଖଙ୍କ ମୃତ୍ୟୁ ଘଟିଛି। କିଏ କରୋନାରେ ତ କିଏ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଆଖି ବୁଜିଛନ୍ତି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହସ୍ତଶିଳ୍ପୀଙ୍କ ପାଇଁ ଆମ୍‌ ଆଦ୍‌ମୀ ବୀମା ଯୋଜନା ଓ ବୁଣାକାରଙ୍କ ପାଇଁ ମହାତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ଏହାକୁ ଏବେ ବନ୍ଦ କରି ଦିଆଯାଇଛି। ସେହିପରି ପୂର୍ବରୁ ଥିବା ସ୍ବାସ୍ଥ୍ୟ ବୀମାକୁ ମଧ୍ୟ ୫/୬ବର୍ଷ ହେବ ବନ୍ଦ କରି ଦିଆଯାଇଛି। କରୋନା କାଳରେ ଗୋଟିଏ ପଟେ ଏମାନେ ଜୀବିକା ହରାଇ ବସୁଥିବାବେଳେ ଅନ୍ୟପକ୍ଷେ ଜୀବନ ମଧ୍ୟ ହରାଉଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ଏମାନଙ୍କ ପାଇଁ ସ୍ବାସ୍ଥ୍ୟ ଓ ଜୀବନ ବୀମା ଯୋଜନାର ନିହାତି ଆବଶ୍ୟକ ରହିଛି। ଗତ ୨ବର୍ଷ ଧରି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ପାଇଁ ପର୍ଯ୍ୟଟନ ଶିଳ୍ପ ବନ୍ଦ ହୋଇପଡିଛି। ପ୍ରସିଦ୍ଧ ରଘୁରାଜପୁରକୁ ପର୍ଯ୍ୟଟକ ଆସୁ ନ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଶିଳ୍ପୀଙ୍କ ଭାତହାଣ୍ଡି ଉଜୁଡି ଯାଇଛି। ସେହିପରି କୋଣାର୍କ, ନିମାପଡା, ପୁରୀ, ପିପିଲି ହାଟ, ଭୁବନେଶ୍ୱରର ଏକାମ୍ର ହାଟ ସମେତ ସମସ୍ତ ପ୍ରଦର୍ଶନୀ ବନ୍ଦ ରହିଛି। ଫଳରେ ଶିଳ୍ପୀ ଓ ବୁଣାକାରମାନେ ନିଜର ସାମଗ୍ରୀ କେଉଁଠାରେ ବିକ୍ରି କରିବେ ଓ କିପରି ପରିବାର ଚଳାଇବା ସେ ନେଇ ଚିନ୍ତାରେ ଅଛନ୍ତି।