ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର କ୍ଲବ୍ ୯୯ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରୁ ଅନ୍ୟୂନ ୬୦ ଜଣ ନେତୃସ୍ଥାନୀୟ ବ୍ୟକ୍ତି ଯୋଗଦେଇଥିଲେ।
ଜନସାଧାରଣଙ୍କ ମୌଳିକ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ କିପରି ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଯାଇପାରିବ, ସେନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। ମୁଖ୍ୟତଃ କନ୍ଧମାଳ ଜିଲାରେ ନେତୃତ୍ୱର ବିକାଶ, ଯୁବଗୋଷ୍ଠୀ ଓ ସାଧାରଣ ଜନତାଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଜିଲାର ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କୃଷି, ବ୍ୟାଙ୍କିଙ୍ଗ୍, ଶିକ୍ଷା, ରାଜନୀତି ତଥା ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଅନେକ ଅଭିଜ୍ଞ ନାଗରିକ ଏଥିରେ ସାମିଲ ହୋଇ ନିଜ ମତ ପ୍ରକାଶ କରିଥିଲେ।
କର୍ମଶାଳାରେ କନ୍ଧମାଳ ଜିଲାର ଲୋକଙ୍କ ଆର୍ଥିକ ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା। ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଠିକ୍ ସମୟରେ ପ୍ରଶାସନ ତଥା ସରକାରଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ଅନେକେ ମତବ୍ୟକ୍ତ କରିଥିଲେ। ଏଥିସହ ସରକାରୀ ଯୋଜନାର ତୃଣମୂଳସ୍ତରୀୟ କାର୍ଯ୍ୟକାରିତାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।
କୃଷି ବିଭାଗ ପକ୍ଷରୁ ଠିକ୍ ସମୟରେ ବିହନ ଓ କୃଷି ଉପକରଣ ଯୋଗାଣ ନ ହେବା ଫଳରେ ଅନେକ କୃଷିଭିତ୍ତିକ ଯୋଜନା ବିଫଳ ହେଉଥିବା ଦର୍ଶାଇ ବୁଦ୍ଧିଜୀବୀମାନେ ନୂତନ ସରକାର ଏହି ଦିଗରେ ତୁରନ୍ତ ଦୃଷ୍ଟି ଦେବା ପାଇଁ ଲିଖିତ ଭାବେ ଦାବି ଜଣାଇବାକୁ ପ୍ରସ୍ତାବ ଦେଇଥିଲେ।
ଜିଲାରେ କର୍ମସଂସ୍ଥାନର ଘୋର ଅଭାବ ଏବଂ ପାଠପଢ଼ା ଅଧାରୁ ଛାଡ଼ି ଯୁବକମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ଏକ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ସମ୍ବଳଭିତ୍ତିକ ନିଯୁକ୍ତି, ଦକ୍ଷତା ବିକାଶ ଓ ପର୍ଯ୍ୟଟନର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶେଷରେ ଜିଲାର ସମସ୍ତ ମୌଳିକ ସମସ୍ୟାକୁ ଏକତ୍ରିତ କରି ଏକ ଚିଠା ପ୍ରସ୍ତୁତ କରାଯିବା ସହ ଜିଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ଦିନରେ ଏହି ଅଭିଯାନକୁ ସମସ୍ତ ବ୍ଲକସ୍ତରରେ ବ୍ୟାପକ କରିବା ପାଇଁ ସଂକଳ୍ପ ନିଆଯାଇ କର୍ମଶାଳା ଶେଷ ହୋଇଥିଲା।