Categories: ରାଜ୍ୟ

କେନାଲ ହିଡରେ ବିିତୁଛି ଜୀବନ

ଅତାବିରା, ୪।୧ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ପୋଡବାଡି-ବରାହମୁଣ୍ଡା ଛକ କେନାଲ ହିଡରେ ରହୁଛନ୍ତି ଗଦାଧର ଡୋରା। ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅ, ଝିଅ। ପୁଅ, ଝିଅ ବିବାହ କରି ସାରିଲେଣି । ତେବେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାରକୁ ବର୍ତ୍ତମାନ ସୁଦ୍ଧା ଆବାସ ଗୃହ ଯୋଜନାରେ ସାମିଲ କରାଯାଇନାହିଁ। ସେହିପରି ଗଦାଧରଙ୍କୁ ଭତ୍ତା ମିଳୁ ନ ଥିବା ଜଣାପଡିଛି। ସରକାରୀ ସହାୟତା କହିଲେ ୧ ଟଙ୍କିଆ ଚାଉଳ, ୫ ଲିଟର କିରୋସିନ ବ୍ୟତୀତ ଆଉ କିଛି ନାହିଁ। ଆବାସ ଗୃହ ପାଇଁ ପଞ୍ଚାୟତକୁ ବାରମ୍ବାର ଦୌଡୁ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ସେ କହିଛନ୍ତି । ରାତି ପାହିଲେ ଏକ ତମ୍ବା ଥାଳିରେ କିଛି ଫୁଲ, ଚନ୍ଦନ ଏବଂ ତମ୍ବାରେ ନିର୍ମିତ ଏକ ନାଗସାପ ଧରି ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରି ଗଦାଧର ପରିବାରକୁ ଦାନା ଯୋଗାଉଛନ୍ତି। ଏ ନେଇ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।