ସାଢ଼େ ୮ ହଜାର ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ୮ ହଜାର ୫୬୭ ଡାକବାକ୍ସରୁ ସମାନ ଚିଠି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଉକ୍ତ ଚିଠିରେ ମହିଳା ସୁରକ୍ଷା ନେଇ ଶାସକ ଦଳର ଦୋମୁହଁା ଆଭିମୁଖ୍ୟ ସମ୍ପର୍କରେ ଅବଗତ ଲାଗି ଏହି ପତ୍ର ଲେଖାଯାଇଛି। ଏହା ଓଡ଼ିଆରେ ଲେଖାଯାଇଛି, ଯାହା ଆପଣଙ୍କ ସହଯୋଗୀଙ୍କ ନିକଟରୁ ବୁଝିପାରିବେ। ଅଞ୍ଜନା ମିଶ୍ର ଗଣବଳାତ୍କାରର ଶିକାର ହେବାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢାଇବା ସହ ସେତେବେଳେ ବିଜେଡି ତାଙ୍କ ଇସ୍ତଫା ଦାବି କରିଥିଲା। ସେତେବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲା ଦଳ। ୨୦୦୦ ମସିହା ନିର୍ବାଚନରେ ଆପଣଙ୍କ ଦଳର ପ୍ରମୁଖ ସ୍ଲୋଗାନ ଥିଲା ‘ଅଞ୍ଜନା ମିଶ୍ର ଗଣବଳାତ୍କାର ପାଇଁ ଦାୟୀ କିଏ-ଜାନକୀ ପଟ୍ଟନାୟକ ଆଉ କିଏ’। ଏବେ ଖୋଦ୍‌ ଅଞ୍ଜନା କହିଲେଣି ସେତେବେଳର ଶାସନ ଏବଂ ଏବର ସରକାର ମଧ୍ୟରେ କୌଣସି ଫରକ ନାହିଁ। ଅଞ୍ଜନା ମିଶ୍ରଙ୍କ ଘଟଣାରେ ଯେମିତି ଇନ୍ଦ୍ରଜିତ୍‌ ରାୟଙ୍କୁ ଦୋଷୀ କରାଯାଇଥିଲା ଠିକ୍‌ ସେହିପରି ବର୍ତ୍ତମାନ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟବାସୀ ଦାୟୀ କରୁଛନ୍ତି। ନୀତି ନୈତିକତାର ଦ୍ୱାହି ଦେଇ ଆପଣ ଅନେକ ମନ୍ତ୍ରୀଙ୍କୁ ବାହାର କରିଥିଲେ। ହେଲେ ଏବେ ମମିତା ଘଟଣାରେ ସରକାରର ଦୋମୁହଁା ନୀତି କାହିଁକି ବୋଲି ଭାଜପା ପ୍ରଶ୍ନ ଉଠାଇଛି। ରାଜ୍ୟରେ ଦୈନିକ ୪ଟି ବଳାତ୍କାର ଏବଂ ୬ଟି ଅପହରଣ ହେଉଥିବା ରାଜ୍ୟ ସରକାରଙ୍କ ତଥ୍ୟ କହୁଛି। ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ଏହି ଚିଠି ପାଇବା ପରେ ରାଜ୍ୟବାସୀଙ୍କୁ ଉତ୍ତର ଦେବାକୁ ଭାଜପା ଦାବି କରିଛି।