ଭୁବନେଶ୍ୱର,୨୯ା୭(ରବିନାରାୟଣ ଜେନା):ସଂସଦରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ବିତର୍କ ଉପରେ ବିଜୁ ଜନତା ଦଳ(ବିଜେଡି)ର ଆଭିମୁଖ୍ୟ କ’ଣ ରହିବ ସେନେଇ ଭୁବନେଶ୍ୱରରୁ ଦଳୀୟ ଏମ୍ପିମାନଙ୍କୁ ଚିଠା ପରାମର୍ଶ ଦିଆଯାଇଛି।
ସୋମବାର ଏ ସଂକ୍ରାନ୍ତରେ ଭୁବନେଶ୍ୱରରୁ ପ୍ରଦତ୍ତ ତଥ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କୌଣସି ଦସ୍ତଖତ ନ ଥିବାବେଳେ ତାଙ୍କ ପକ୍ଷରୁ ୬ଟି ବିନ୍ଦୁ ଉପରେ ରାଜ୍ୟ ସଭାରେ କ’ଣ ବକ୍ତବ୍ୟ ରଖାଯିବ, ସେନେଇ ଦଳର ଏମ୍ପିମାନଙ୍କୁ କୁହାଯାଇଛି। ସବୁଠାରୁ ବଡ଼କଥା ହେଲା, ଏହି ପ୍ରସଙ୍ଗ ଉପରେ କେଉଁ ସଦସ୍ୟ କ’ଣ କହିବେ ଏବଂ କେଉଁମାନେ ଚୁପ୍ ରହିବେ ସେଥିନେଇ ଅଲିଖିତ ଫତୁଆ ଜାରି ହୋଇଥିବା ନୂଆଦିଲ୍ଲୀ ସୂତ୍ରରୁ ଜଣାପଡ଼ିଛି।
ବିଜେଡି ପକ୍ଷରୁ ଚିଠା ପରାମର୍ଶରେ କୁହାଯାଇଛି, ସେନା ପାଇଁ ‘ଅପରେଶନ ସିନ୍ଦୂର’ ଶ୍ରଦ୍ଧା ଓ ସମ୍ମାନ। ଏଥିରୁ ଭାରତୀୟ ସେନାଙ୍କ ଅଦ୍ୱିତୀୟ ସାହସ, ଶାନ୍ତି ଓ କର୍ତ୍ତବ୍ୟର ଏକ ଜ୍ୱଳନ୍ତ ଉଦାହରଣ ପ୍ରତିଷ୍ଠା ହେଉଛି। ‘ଅପରେଶନ ସିନ୍ଦୂର’ ପୁଣିଥରେ ଆମ ସେନାଙ୍କ ଆପାତ୍କାଳୀନ ପରିସ୍ଥିତିରେ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଥିବା ପ୍ରମାଣିତ ହେଉଛିି। ଯେତେବେଳେ ଭାରତବାସୀ ସଙ୍କଟରେ ପଡ଼ନ୍ତି, ସେତେବେଳେ ସେନା ତା’ର ଉଚିତ ଜବାବ ଦେଇଥାଏ। କୌଣସି ପାହାଡ଼ ବଡ଼ ନୁହେଁ, କୌଣସି ପରିସ୍ଥିତି ମଧ୍ୟ ଅତି ଦୁର୍ଗମ ନୁହେଁ। ମାନବିକତାର ଉତ୍ତମ ଦୃଷ୍ଟାନ୍ତ
ଅପରେଶନ ସିନ୍ଦୂରର ସଫଳତା ଭାରତୀୟ ସେନାର ଜାତୀୟ ସୁରକ୍ଷା ପାଇଁ ଅତୁୁଟ ପ୍ରତିବଦ୍ଧତା ସହ ମାନବିକ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି।
ବିଜେଡି ପକ୍ଷରୁ କୁହାଯିବାକୁ ରହିଛିି ଯେ, ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନିଜ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସେନା ପ୍ରମାଣ କରିଛି। ଏହି ମିଶନ ପ୍ରମାଣ କରୁଛି, ଆମ ପାରମ୍ପରିକ ଯୋଦ୍ଧାମାନେ କେବଳ ଅସ୍ତ୍ରଧାରୀ ନୁହନ୍ତି, ସଙ୍କଟରେ ଜୀବନ ରକ୍ଷା ପାଇଁ ଅତୁୁଟ ଭାବେ ଅଟଳ ରହିଥାନ୍ତି। ଅପରେଶନ ସିନ୍ଦୂର ଅନ୍ୟ ମିଶନଠାରୁ ଅଧିକ ଚିରସ୍ମରଣୀୟ। ବିପଜ୍ଜନକ ପରିସ୍ଥିତି ଓ ପ୍ରାକୃତିକ ବାଧା ସତ୍ତ୍ୱେ ଏହି ଅଭିଯାନ କେତେ ଦକ୍ଷତାର ସହ ଚାଲିଥିଲା, ତାହା ବିଶ୍ୱବାସୀ ଦେଖିଛନ୍ତି। ଏହା କେବଳ ସେନାର ଦକ୍ଷତା ନୁହେଁ, ଏହା ହେଉଛି ଏକ ‘ଅସାଧାରଣ ଅପରେଶନ’। ଓଡ଼ିଶା ସର୍ବଦା ଆମ ସେନା ପ୍ରତି ଗଭୀର ସମ୍ମାନ ଓ ସମର୍ଥନ ଜଣାଇଆସୁଛି। ଅପରେଶନ ସିନ୍ଦୂର ଆମକୁ ମନେପକାଇଥାଏ ଯେ, ଜାତୀୟ ସୁରକ୍ଷା ଓ ନିରାପତ୍ତା ରାଜନୀତି ଉପରେ ପର୍ଯ୍ୟବସିତ ନୁହେଁ। ଏହା ସବୁ ରାଜନୈତିକ ଦଳରୁ ଊର୍ଦ୍ଧ୍ୱରେ ଏବଂ ଏହା ପ୍ରତ୍ୟେକ ଭାରତବାସୀଙ୍କ ଗର୍ବ। ଏସବୁ ବିଷୟ ଉପରେ କହିବାକୁ ବିଜେଡି ଏମ୍ପିମାନଙ୍କୁ କୁହାଯାଇଛି। ତେବେ ମଙ୍ଗଳବାର ରାଜ୍ୟ ସଭାରେ ବିଜେଡି ସଦସ୍ୟମାନେ ଏହି ପରାମର୍ଶକୁ କେତେଦୂର ପାଳନ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିବ।
ଏ ସମ୍ପର୍କରେ ବିଜେଡି ନେତା ତଥା ରାଜ୍ୟ ସଭା ଏମ୍ପି ମୁଜିବୁଲ୍ଲା ଖଁା (ମୁନା ଖଁା) କହିଛନ୍ତି, ‘ଅପରେଶନ ସିନ୍ଦୂର’ ଉପରେ ସଂସଦରେ କହିବା ପାଇଁ ଏପର୍ଯ୍ୟନ୍ତ (ରାତି ୧୧.୩୦) ମୋତେ ଦଳ ପକ୍ଷରୁ କିଛି କୁହାଯାଇନାହିଁ। ଯଦି ମଙ୍ଗଳବାର କୁହାଯିବ, ତେବେ କହିବି।

