ଯୁବଶକ୍ତି ଲେଖୁ ଜୀବନର ଜୟଗୀତି

ଉପେନ୍ଦ୍ର ବିଶ୍ୱାଳ

 

ଯୁବ ସମାଜର ଚିର ଆଦର୍ଶ ସ୍ବାମୀ ବିବେକାନନ୍ଦ ସେଦିନ କହିଥିଲେ ‘ମୋତେ ଶହେଜଣ ଆଦର୍ଶ ଯୁବକ ଦିଅ, ମୁଁ ଦେଶର ଭାଗ୍ୟ ବଦଳାଇ ଦେବି।’ ଯେ କୌଣସି ଦେଶର ଉତ୍ଥାନ ପତନର ସୂତ୍ରଧର ହେଉଛନ୍ତି ଯୁବସମାଜ। ଏମାନେ ହେଉଛନ୍ତି ଦେଶର ଭାଗ୍ୟ ଓ ଭବିଷ୍ୟତ ଗଠନର ମୂଳାଧାର। ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ଯୁବମାନସର ଏମିତି ଅନେକ ଜାଜ୍ଜ୍ୱଲ୍ୟମୟ ଯଶଗାଥାମାନ। ନୂଆକରି ଇଟାଲିର ଇତିହାସ ରଚିଥିଲେ କିଏ? ଯୁବକ ଗାରିବାଲ୍‌ଡି। ପତନ ମୁଖରୁ ଫ୍ରାନ୍ସକୁ ରକ୍ଷା କରି ତା’ର ବିଜୟବାନା ଉଡ଼ାଇଥିଲେ କିଏ? ଯୁବକ ନେପୋଲିୟନ। ଗ୍ରୀସ୍‌କୁ ଗରିମାମୟ କରିଥିଲେ, ଶକ୍ତିଶାଳୀ କରିଥିଲେ କିଏ? ଯୁବକ ଆଲେକ୍‌ଜାଣ୍ଡାର। ସେମିତି ଭାରତର ସ୍ବାତନ୍ତ୍ର୍ୟ ସଂଗ୍ରାମକୁ ଅଧିକ ଗତିଶୀଳ କରିଥିଲେ, ଭାରତର ତେଜସ୍ବୀ ତରୁଣଦଳ। ସେମାନଙ୍କ ତ୍ୟାଗ, ତିତିକ୍ଷା, ବଳିଦାନ ହିଁ ଭାରତର ସ୍ବାଧୀନତାର ପଥକୁ ପ୍ରଶସ୍ତ କରିଥିଲା। ନିଜ ଜୀବନକୁ ବାଜି ଲଗାଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଭାରତର ଅଗଣିତ ତରୁଣଦଳ। ଭାରତର ପ୍ରତିଟି କୋଣ-ଅନୁକୋଣରେ ତୋଳି ଧରିଥିଲେ ବ୍ରିଟିଶ୍‌ ବିରୋଧୀ ବିପ୍ଳବର ବହ୍ନି। ବିଳାସ-ବ୍ୟସନ-ବିଭବକୁ ବେଖାତିର କରି, ଦୁର୍ଦ୍ଧର୍ଷ ବ୍ରିଟିଶ ଶକ୍ତିକୁ ଶକ୍ତ ମୁକାବିଲା କରୁଥିଲେ ସେମାନେ। ମାତୃଭୂମିର ମୁକ୍ତି ପାଇଁ ହସି ହସି ଫାଶୀଖୁଣ୍ଟରେ ଝୁଲି, ଭାରତୀୟ ତରୁଣଦଳ ରଚି ଯାଇଛନ୍ତି ଏକ ଏକ ଅମ୍ଳାନ କୀର୍ତ୍ତି। ଖୁଦିରାମ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ମଦନଲାଲ ଧୀଙ୍ଗ୍ରା, ବାଘାଯତୀନ, ଆସଫକ୍‌ ଉଲ୍ଲା ଖାଁ, ଯତୀନ୍ଦ୍ରନାଥ ଦାସ, ଲକ୍ଷ୍ମୀବାଈ, ବୀଣା ଦାସ, ଦୁର୍ଗାବତୀ, ଜୟୀ ରାଜଗୁରୁ, ସୁଖଦେବ ଆଦି ତରୁଣ ଶହୀଦଙ୍କ ବୟସ ଥିଲା ମାତ୍ର ୧୬ରୁ ୩୫ ବର୍ଷ ମଧ୍ୟରେ। ଯୌବନ ହେଉଛି, ଜୀବନର ବସନ୍ତ। ଅର୍ଥାତ୍‌ ଯୌବନ ହେଉଛି ତାହା, ଯେଉଁଠି ଥାଏ ସୁନ୍ଦରତା ଆଉ ମଧୁରତା। ଯହିଁ ବିରାଜିତ ବିନମ୍ର ଭାବ ଓ କୋମଳ ସ୍ବଭାବ। ଯୁବା ହେଉଛି ସିଏ, ଯେ ବଳ-ବୁଦ୍ଧି-ଚରିତ୍ରର ଉପାସକ। ଯୁବା ସିଏ, ଯିଏ ସୁସ୍ଥ ସମାଜଟିଏ ପାଇଁ ସମର୍ପିତ। ଯୁବ ମନ ହେଉଛି ଶିବ ମନ, ଯିଏ ସଦା ସମାଜ ହିତୈଷୀ। ଜଗତର କଲ୍ୟାଣ ନିମନ୍ତେ କେବେ ଗରଳ ପାନ କରିପାରନ୍ତି ତ ଆଉ କେବେ ମୁଣ୍ଡ ବି ପତେଇ ଦେଇଥାନ୍ତି, ଭାରି ବୋଝକୁ (ଗଙ୍ଗାମାତାଙ୍କ ପରି) ଧରି ରଖିବାକୁ। ଆଉ, ପୁଣି କେବେ ତାଣ୍ଡବ ବି ରଚି ପାରନ୍ତି ଦାନବ ସଂହାର ପାଇଁ। ବୟସ ନୁହଁ, ସ୍ବଭାବ ହିଁ ସ୍ବୀକୃତି ଦିଏ ଯୁବାର। ବଳ ଅପେକ୍ଷା ଲକ୍ଷଣ ହିଁ ସୂଚାଇ ଥାଏ ଯୁବା ପରିଚୟ। ବଢ଼ି ଚାଲୁଥିବା ପାପାଚାର, ହିଂସା, ଅନୀତି, ଅନାଚାର ବିରୋଧରେ ଲଢ଼ିବା ପାଇଁ ଯିଏ ତପତ୍ର, ସିଏ ହେଉଛି ଅସଲରେ ଯୁବା।
ଅତଏବ ଏହି ଯୁବାକାଳ ହେଉଛି କୀର୍ତ୍ତି ସ୍ଥାପନର, ଇତିହାସ ରଚିବାର। ଜୀବନର ଜୟଗୀତି ଲେଖିବାର ମାଙ୍ଗଳିକ ମୁହୂର୍ତ୍ତ ହେଉଛି ଏଇ ଯୁବାକାଳ। କାରଣ ଏହି ସମୟରେ ଯୁବକର ମନରେ ଥାଏ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନା। ବାହୁରେ ଭରି ରହିଥାଏ ତୋଫାନକୁ ସାମ୍ନା କରିବାର ସାମର୍ଥ୍ୟ। ଦେହରେ ଥାଏ ଅସରନ୍ତି ଊର୍ଜଃ। ପର୍ବତକୁ ଫଟାଇ, ଗିରିଚୂଡ଼ା ଲଙ୍ଘି ଆଗକୁ ଅଗ୍ରସର ହେବାର, ଶତ୍ରୁ ରକ୍ତରେ ସ୍ନାନ କରି ବିଜୟବାନା ଉଡ଼ାଇବାର ସାମର୍ଥ୍ୟ ବି ଥାଏ ସେତେବେଳେ। ଯୁବାକାଳ ହେଉଛି ସାଧନାର ସମୟ, ତର୍ପଣର ପ୍ରକୃଷ୍ଟ ପହର। ଏହି ସମୟରେ ନ ଥାଏ ବାର୍ଦ୍ଧକ୍ୟର କ୍ଲାନ୍ତିି ଅବା ଶରୀରର ଶିଥିଳତା। ଲୋଭ, ମୋହ, ମାୟା ପରି ବିକାରଗ୍ରସ୍ତ ଭାବନା ବି ବସା ବାନ୍ଧି ନ ଥାଏ ସେତେବେଳେ। ବରଂ ଥାଏ ବିଜିଗୀଷୁ ମନୋବୃତ୍ତି, କିଛି କରି କି ଦେଖାଇବାର ପ୍ରବଣତା। ଯୁବାକାଳ ହେଉଛି ଜ୍ୱଳନ୍ତ ଅଗ୍ନିପିଣ୍ଡ ସଦୃଶ। ଅଗ୍ନିକୁ ଆୟତ୍ତରେ ରଖିଲେ ସେ ଆମର ପ୍ରଭୂତ ଉନ୍ନତି ସାଧନ କରିଥାଏ। ମାତ୍ର ଅଣାୟତ୍ତ ହେଲେ ରଚିଚାଲେ ଧ୍ୱଂସର ତାଣ୍ଡବ ଲୀଳା। ସେହିପରି ଯୁବ ସମାଜ ଉଦ୍ଭ୍ରାନ୍ତ, ଉଚ୍ଛୃଙ୍ଖଳିତ ହେଲେ, ଅବାଧ୍ୟ, ଆୟତ୍ତହୀନ, ଆଦର୍ଶଚ୍ୟୁତ ହେଲେ ଜୀବନଟା ସମସ୍ୟାବହୁଳ ଓ ଯନ୍ତ୍ରଣା ଜର୍ଜରିତ ହୋଇଉଠେ। ସଙ୍କଟଗ୍ରସ୍ତ ହୋଇ ଉଠେ ସମାଜ। ଗାନ୍ଧିଜୀଙ୍କୁ ଥରେ ପଚରା ଯାଇଥିଲା – ଆପଣଙ୍କ ଦୃଷ୍ଟିରେ ଭାରତର ଆଶା ଓ ନିରାଶାର ଉତ୍ସ କ’ଣ ? ତାଙ୍କର ସୁଚିନ୍ତିତ ମତ ଏମିତି ଥିଲା – ”ଯାବତୀୟ ଷଡ଼ଯନ୍ତ୍ର, ଶୋଷଣ, କଷଣ, ଅତ୍ୟାଚାର, ଚକ୍ରାନ୍ତ ସତ୍ତ୍ୱେ ଆଜି ବି ଆଧ୍ୟାମତ୍ିକତା ଆମ ସମାଜରେ ଅକ୍ଷୁଣ୍ଣ ରହିଛି। ଏହା ହିଁ ଆମ ପାଇଁ ଆଶା ଓ ଆଶ୍ୱାସନାର ବିଷୟ । ମାତ୍ର, ଦିନକୁ ଦିନ ଭାରତୀୟ ତରୁଣ ନିଜର ସ୍ବାଭିମାନ ଓ ଆମତ୍ପ୍ରତ୍ୟୟ ଭୁଲି ଯିବାରେ ଲାଗିଛି।
ତା’ଠାରେ ନପୁଂସକତା, ସ୍ବାର୍ଥପରତା ଗ୍ରାସ କରିବାରେ ଲାଗିଛି। ଏହା ହିଁ ନିରାଶାର ପ୍ରମୁଖ କାରଣ।“ ସ୍ବାମୀ ବିବେକାନନ୍ଦଙ୍କ ଶବ୍ଦରେ ”ବଳ ଓ ସାହସ ହିଁ ଜୀବନ। ଦୁର୍ବଳତା ହିଁ ଭୀରୁ। ସାମର୍ଥ୍ୟ ହିଁ ପୁରୁଷାର୍ଥ। ଏଣୁ ହେ ଯୁବାବର୍ଗ, ପୁରୁଷାର୍ଥର ଉପାସନା କର। ଅନ୍ଧକାର ଆସିଲେ ଡର ନାହିଁ। ବରଂ ଅନ୍ଧାର ହଟେଇବାକୁ ଚେଷ୍ଟାକର। ପାରୁଛ ଯଦି, ଆଦିତ୍ୟ ସମ ନିଜକୁ ପ୍ରତିଭାତ କର। କିଛି ନ ହେଲେ ଦୀପଟିଏ ହୋଇ ଅନ୍ଧାର ନାଶିବାକୁ ପ୍ରୟାସ କର। କାରଣ ଆଦିତ୍ୟଙ୍କ ଆବିର୍ଭାବ ହେଲାକ୍ଷଣି, ଅନ୍ତର୍ଦ୍ଧାନ ହୋଇଯାଏ ଅନ୍ଧକାର। ଦୀପଟିକୁ ଦେଖିଦେଲେ, ଦୂରକୁ ହଟିଯାଏ ତମସା। ଉଚ୍ଚତମ ଆଦର୍ଶ ଉପରେ ଦୃଢ଼ ରହିଲେ, ତମସା କେବେ ଆଚ୍ଛନ୍ନ କରି ନ ପାରେ ତୁମକୁ । ଈର୍ଷା ଓ ସ୍ବାର୍ଥପରତାଠାରୁ ମୁକ୍ତ ରୁହ। ସତ୍ୟ ଓ ମାନବତାକୁ ସାଥିକରି, ଚିରକାଳ ମାତୃଭୂମି ପ୍ରତି ନିଷ୍ଠାବାନ ହୋଇ ରୁହ, ଦେଖିବ ସାରା ସଂସାର ତୁମକୁ ସହସ୍ର ସହସ୍ର ସଲାମ ବାଢ଼ିବ।“
ଆଜି ସାରା ଦୁନିଆ କହୁଛି- ଦେଶର ୮୦ କୋଟି ଯୁବାଧନ ଜାଗ୍ରତ ହେଲେ ଭାରତ ବିଶ୍ୱର ମଉଡ଼ମଣି ହୋଇଯିବ। ଶୃଙ୍ଖଳା, ଅନୁଶାସନ ଡୋରିରେ ବାନ୍ଧି ହୋଇ ତାରୁଣ୍ୟକୁ ଠିକ୍‌ ଉପଯୋଗ କଲେ ଜୀବନ ହୋଇଉଠିବ ପ୍ରୀତିଛନ୍ଦା, ମଧୁଛନ୍ଦା। ଏହି ସମୟରେ ସଂଯମତ୍ତାପୂର୍ବକ ନିଷ୍ଠାରେ ନିମଗ୍ନ ରହି ସମୟର ଠିକ୍‌ ଉପଯୋଗ କରିପାରିଲେ ଆମେ ହୋଇପାରିବା ବିଶ୍ୱବିଜୟୀ, ଠିକ୍‌ ନେପୋଲିଅନଙ୍କ ପରି। ନେପୋଲିଅନକୁ ପାଇବା ପାଇଁ ପ୍ରାଣପଣେ ପ୍ରୟାସ କରୁଥିଲେ ଜଣେ ସଦ୍ୟ ବିବାହିତା ସୁନ୍ଦରୀ ବିଧବା ତରୁଣୀ। ବିଭିନ୍ନ ଉପାୟରେ ଦୃଷ୍ଟି ଆକର୍ଷିତ କରି ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥାନ୍ତି। ମାତ୍ର ସଫଳ ହୋଇ ପାରି ନ ଥିଲେ ସେ। ତା’ପରେ ଅନେକ ଦିନ ପରେ ଏକଦା ସେହି ବାଟ ଦେଇ ଯିବାବେଳେ ମନେ ପଡ଼ିଲା ସମ୍ରାଟ ନେପୋଲିଅନଙ୍କର ସେହି ମହିଳାଙ୍କ କଥା। ମହିଳାଙ୍କ ଘରକୁ ଯାଇ ଦ୍ୱାରାଘାତ କରିବାରୁ ଜଣେ ମହିଳା ବାହାରକୁ ଆସି ଦେଖିଲେ ସୈନ୍ୟ ସାମନ୍ତଙ୍କ ସହିତ ଫ୍ରାନ୍ସର ସମ୍ରାଟ। ମହିଳାଙ୍କୁ ଅଭୟବାଣୀ ଶୁଣାଇ ସମ୍ରାଟ ପଚାରିଲେ ‘ଅନେକଦିନ ତଳେ ନେପୋଲିୟନ ବୋଲି ଯୁବକ ଏହିଠାରେ ରହୁଥିଲେ କି?’ ମହିଳାଜଣକ କହିଲେ ‘ହଁ, ଖୁବ୍‌ ଲାଜକୁଳା, ଶାନ୍ତସ୍ବଭାବର ନେପୋଲିୟନ ନାମରେ ଜଣେ ଯୁବକ ଏଠାରେ ରହି ପାଠ ପଢ଼ୁଥିଲେ।’ ସେଇଠୁ ସ୍ମିତହାସ୍ୟରେ ନେପୋଲିୟନ କହିଲେ – ”ମୁଁ ହେଉଛି ସେଦିନର ସେହି ନେପୋଲିୟନ।
ସେଦିନ ଯଦି ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି, ନିଷ୍ଠାରେ ନିମଗ୍ନ ରହି ନ ଥାନ୍ତି, ସଂଯମତା ପୂର୍ବକ ସଂକଳ୍ପରେ ଦୃଢ଼ ନ ଥାନ୍ତି ତେବେ ଆଜି ମୁଁ ଫ୍ରାନ୍ସର ସମ୍ରାଟ ହୋଇ ପାରି ନ ଥାନ୍ତି ।“
ପ୍ରତିବର୍ଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ଯୁବ ପ୍ରେରଣା ଉତ୍ସ ହେଉ। ଅତଏବ ବୈଭବଶାଳୀ ଭାରତର ସଂକଳ୍ପ ନେଇ ଜାଗ, ହେ ସୁପ୍ତସିଂହ। ଏ ମାଟିର ଧୂଳିକଣାକୁ ହାତରେ ତୋଳିଧରି ଦେଖ, କେତେ ବୀର ଶହୀଦଙ୍କ ଉଷ୍ମ ଶୋଣିତରେ ସିକ୍ତ ଏ ମାଟିର ଧୂଳି। ମାଟିରେ କାନ ଦେଇ ଶୁଣ, ମାଗନ୍ତି ସେମାନେ ତାଙ୍କ ବଳିଦାନର ପ୍ରତିଦାନ। ହେ ଭାରତର ବହ୍ନିଶିଖା, ଅରୁଣର ଆଲୋକ, ତରୁଣଦଳ! ଉଠ, ଜାଗ ପ୍ରସ୍ତୁତ ହୁଅ। ଦେଖୁ ଏ ଦୁନିଆ, ଭାରତର ତରୁଣଦଳ ସୂର୍ଯ୍ୟସମ ତେଜିଆନ।
ଗୋଡି଼ଶୁଳ, ସଜନାଗଡ଼, ବାଲେଶ୍ୱର
ମୋ :୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri