ସାଲିଆ ସାହିରେ ଚଢ଼ାଉ

ଭୁବନେଶ୍ୱର,୨୦।୧୦ (ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ତିଆରି ହେଉଛି ଦେଶୀ ମଦ। ବିଶେଷକରି ବସ୍ତି ଅଞ୍ଚଳରେ ଦେଶୀ ଭାଟି ରହିଥିବାବେଳେ ଏଠାରୁ ସହର ସମେତ ବାହାରକୁ ମଧ୍ୟ ମଦ ଚୋରା ଚାଲାଣ ହେଉଛି। ପୋଲିସ ଓ ଅବକାରୀ ବିଭାଗ ସବୁଜାଣି ଅଜଣା ରହୁଥିବାବେଳେ ପାର୍ବଣ ପାଇଁ ଏବେ ତତ୍ପରତା ଦେଖାଇଛି। ଘଟଣାକ୍ରମରେ ଶୁକ୍ରବାର ସାଲିଆସାହିରେ ଚାଲିଥିବା ଏକ ଦେଶୀ ମଦ ଭାଟିରେ ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରି ବିପୁଳ ମଦ ଓ ଅନ୍ୟାନ ସାମଗ୍ରୀ ଜବତ କରିବା ସହ ମହିଳାଙ୍କ ସମେତ ୧୫ଜଣଙ୍କୁ ଗିରଫ କରିଛି। ଜବତ ଜିନିଷ ମଧ୍ୟରେ ୧୦ ହଜାର ଲିଟର ପୋଚ, ୧ ହଜାର ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ ରହିଛି। ଏଥିସହ ଶହ ଶହ ଲିଟର ମଦ ନଷ୍ଟ କରାଯାଇଛି। ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷରେ ପୋଲିସ ନିଷ୍କ୍ରିୟ ରହୁଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଅଭିଯୁକ୍ତମାନେ ପୋଲିସର ଭିତିରି ସହଯୋଗରେ ବର୍ଷ ବର୍ଷ ଧରି ଏହି କାରବାର ଚଳାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।