ଚାଲ ପଡ଼ିଆକୁ ଯିବା

ଭବିଷ୍ୟତରେ ଜୀବନ ଓ ଜୀବିକା କ୍ଷେତ୍ରରେ ଉପୁଜିବାକୁ ଥିବା ସମସ୍ୟାର ସର୍ବଶ୍ରେଷ୍ଠ ସମାଧାନ ସୂତ୍ରର ଶିକ୍ଷଣୀୟ ସମୟ ହେଉଛି ପିଲାଦିନ। ଏଥିପାଇଁ ଯେଉଁ ସାହସ, ସହଯୋଗିତା, ସହଭାଗିତା, ସହିଷ୍ଣୁତା ଲୋଡ଼ା ଶିଶୁଟି ସେ ସମସ୍ତ ମାନବୀୟ ଗୁଣକୁ ଶିକ୍ଷାଲାଭ କରିଥାଏ ପରିବେଶ, ପରିବାର ତଥା ବିଦ୍ୟାଳୟ ଭିତରୁ। କିନ୍ତୁ ସମ୍ପ୍ରତି ଯାହା ଦେଖାଯାଉଛି ପିଲାଙ୍କୁ ଗଢ଼ିବା ନାମରେ ବାପା ମା’ମାନେ ଭୁଲିଯାଉଛନ୍ତି ଜଣେ ଭଲ ମଣିଷ ହେବା କ୍ଷେତ୍ରରେ ପରିବେଶ, ପରିବାର ଓ ବିଦ୍ୟାଳୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି। ସେମାନେ ଚାହୁଁଛନ୍ତି ତାଙ୍କ ପିଲା କାହା ସହ ମିଳାମିଶା ନ କରୁ। ଖେଳକୁଦ ନ କରୁ। ଯାହା କରିବ ଘରେ କରୁ। ପାଠ ପଢ଼ୁ। ବଳକା ସମୟରେ ମୋବାଇଲରେ ଗେମ୍‌ ଖେଳୁ। ପରିବେଶ, ସମାଜ, ସଭ୍ୟତାଠାରୁ ପିଲାଙ୍କୁ ଦୂରରେ ରଖି ସେମାନଙ୍କୁ ଗଠନ କରିବା କ’ଣ ସତରେ ସମ୍ଭବ?
ଶିଶୁ ନିମନ୍ତେ ସୁରକ୍ଷିତ ସାଧନ କେନ୍ଦ୍ର ହେଉଛି ତା’ର ପରିବାର, ଯେଉଁଠି ମମତାମୟୀ ମା’ର ନିରାପଦ କୋଳ, ବାପାଙ୍କ ଭରସା, ଜେଜେ ଓ ଜେଜେମା’ଙ୍କର ସଦା ଅଭୟବାଣୀ, ଅନ୍ୟମାନଙ୍କର ସମୟୋପଯୋଗୀ ଗଠନମୂଳକ ପରାମର୍ଶ ଶିଶୁକୁ ନିରାପତ୍ତା ଯୋଗାଏ। କିନ୍ତୁ ସମ୍ପ୍ରତି ପରିବାରର ସଂଜ୍ଞା ବଦଳିଯାଇଛି। ପରିବାର ସାଥିରେ ରହିଲେ ପିଲାକୁ ମଣିଷ କରିବା କଷ୍ଟକର ବୋଲି ବିଚାର କରାଯାଉଛି। ଏଣୁ ଘରଦ୍ୱାର ଛାଡ଼ି ସହରର ଭଡ଼ାଘରେ ରହିବାକୁ ନିଷ୍ପତ୍ତି ନିଆଯାଉଛି। ଏପରିକି ଜେଜେବାପା ଓ ଜେଜେମା’ଙ୍କୁ ମଧ୍ୟ ପରିବାରର ସଦସ୍ୟସଦସ୍ୟା ଚିଠାରୁ କିଛି ଲୋକ ବାଦ୍‌ ଦେଇସାରିଲେଣି। ଏମାନଙ୍କର ଅନୁପସ୍ଥିତି ଶିଶୁ ମନରେ ଯେଉଁ ଶୂନ୍ୟତା ସୃଷ୍ଟି କରୁଛି ତା’ର ପ୍ରଭାବ ଭବିଷ୍ୟତ ଜୀବନରେ ଦେଖିବାକୁ ମିଳୁଛି। ପରିବାର ପ୍ରତି ଥିବା କର୍ତ୍ତବ୍ୟଠାରୁ ସେ ନିଜକୁ ଦୂରେଇ ରଖୁଛି।
ଶିଶୁ ପାଇଁ ଆଉ ଏକ ମୌଳିକ ସାଧନ କେନ୍ଦ୍ର ହେଉଛି ବିଦ୍ୟାଳୟ, ଯାହାର ବିକଳ୍ପ ନାହିଁ। ଶିଶୁର ସର୍ବାଙ୍ଗୀନ ବିକାଶର ଉପଯୁକ୍ତ ସ୍ଥାନ ହେଉଛି ବିଦ୍ୟାଳୟ। ଏଇଠି ସେ ନିଜକୁ ସମ୍ପୂର୍ଣ୍ଣ ପ୍ରଦର୍ଶିତ କରିବାର ସୁଯୋଗ ପାଉଥିଲା। ସାଙ୍ଗସାଥୀ ମେଳରେ ଖୋଲା କଥା ହେଉଥିଲା। ବହୁ ଅନୁଭୂତି ଓ ଅଭିଜ୍ଞତା ହାସଲ କରୁଥିଲା। ଦୁନିଆକୁ ଚିହ୍ନୁଥିଲା। ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଜୀବନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ଜାଣୁଥିଲା। ପାଠପଢ଼ା ସହ ଖେଳକସରତ ତାକୁ ଉତ୍‌ଫୁଲ୍ଲିତ କରୁଥିଲା। ତା’ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ହୋଇପାରୁଥିଲା। ଏବେ ସମୟ ବଦଳିଯାଇଛି। ଅଧିକାଂଶ ବାପାମା’ଙ୍କର କଡ଼ା ତାଗିଦ୍‌ ପଡ଼ିଆକୁ ଯାଇ ଖେଳିବା ଆବଶ୍ୟକ ନାହିଁ। ଗୋଡ଼ ହାତ ଅପରିଷ୍କାର ହେବ। ହ୍ୟାଣ୍ଡୱାଶ୍‌ ଦେଇ ନ ଧୋଇଲେ ବିଭିନ୍ନ ପ୍ରକାର ଜୀବାଣୁ ଶରୀର ଭିତରକୁ ଯିବେ। ଶିକ୍ଷକମାନେ ମଧ୍ୟ ଏ ଦିଗରେ ବେଶ୍‌ ସଚେତନ। ଖେଳିବାକୁ ଛାଡ଼ିବେ କାହିଁକି, ବିପଦକୁ ନିମନ୍ତ୍ରଣ କରିବେ କାହିଁକି? ଖେଳିବା ସମୟରେ ଦୈବାତ୍‌ ଯଦି କେଉଁ ପିଲାର କିଛି ହୋଇଗଲା ତେବେ କଥା ସରିଲା। ଫଳରେ ଖେଳ ଦୁନିଆଟା ସମ୍ପ୍ରସାରିତ ହେବା ପରିବର୍ତ୍ତେ ସଙ୍କୁଚିତ ହୋଇଯାଉଛି। କିନ୍ତୁ ପୂର୍ବାପେକ୍ଷା ଖେଳକୁଦ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ଖେଳପଡ଼ିଆର ରୂପାନ୍ତରଣ ହେଉଛି। ଲକ୍ଷ ଲକ୍ଷ ଟଙ୍କାର ଖେଳସାମଗ୍ରୀ ଯୋଗାଇ ଦିଆଯାଉଛି। ଏପରିକି ପ୍ରାଥମିକ ବିଦ୍ୟାଳୟରେ ଖେଳ ଶିକ୍ଷକ ନିଯୁକ୍ତି ଦିଆଗଲାଣି। ଖେଳ ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ବ୍ଲକସ୍ତରଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେଉଛି। କିନ୍ତୁ ଆଖିଦୃଶିଆ ଉନ୍ନତମାନର ଖେଳାଳି ସୃଷ୍ଟି ହେଉନାହାନ୍ତି।
ପ୍ରଥମ କଥା ହେଲା-ପିଲା ପାରୁ ବା ନ ପାରୁ, ତା’ର ଆଗ୍ରହ ଥାଉ ଅଥବା ନ ଥାଉ ଅଧିକାଂଶ ବାପାମା’ ଚାହାନ୍ତି ତାଙ୍କ ପୁଅଝିଅମାନେ ଭଲ ପାଠ ପଢ଼ନ୍ତୁ। ଭଲ ଖେଳି ପ୍ରମାଣପତ୍ରଟିଏ ପାଇଲେ ଯେତିକି ଖୁସି ହୁଅନ୍ତିନାହିଁ ପରୀକ୍ଷାରେ ଭଲ ନମ୍ବର ରଖିଦେଲେ ଖୁସିରେ ଗଦ୍‌ଗଦ୍‌ ହୋଇଯାଆନ୍ତି। ଖେଳିବାରେ ଅଯଥା ସମୟ ବରବାଦ୍‌ କରିବାକୁ ବାରଣ କରି ପିଲା ଭିତରେ ଥିବା ପ୍ରଚଣ୍ଡ ପ୍ରତିଭାର ଭ୍ରୂଣକୁ ହତ୍ୟା କରୁଛନ୍ତି ବାପା ମା’ମାନେ। ଦ୍ୱିତୀୟରେ ବିଦ୍ୟାଳୟ ଯଦିଓ ଏକ ପ୍ରଶିକ୍ଷଣ କେନ୍ଦ୍ର, ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ସମୟ ଓ ସରଞ୍ଜାମ ଉପଲବ୍ଧ, କିନ୍ତୁ ସୁଯୋଗର ସଦୁପଯୋଗ ହୁଏ ନାହିଁ। ଗତାନୁଗତିକ ଧାରାରେ ଚାଲିଛି ସବୁକିଛି। ନିୟମିତ ଅଭ୍ୟାସ ହୁଏନା। ପ୍ରତିଯୋଗିତା ଆସିଲେ କାହାକୁ କେମିତି ଅଂଶଗ୍ରହଣ କରିବା ପାଇଁ ପଠାଇ ଦିଆଯାଏ। ସଂଯୋଗକ୍ରମେ କେହି କେହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୁଅନ୍ତି ସତ କିନ୍ତୁ ସେଥିରେ ସେମାନଙ୍କର ନା ଥାଏ ଲୋଭ ନା ଥାଏ ଲାଭ। ତୃତୀୟରେ ଧାରାବାହିକତାକୁ ନେଇ ବହୁ ପ୍ରଶ୍ନ ଉଠୁଛି। ଯେଉଁସବୁ ପଦକ୍ଷେପ ନିଆଯାଉଛି ବର୍ଷେ କିମ୍ବା ଦୁଇବର୍ଷ ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଉଛି। ଯେମିତି ପଞ୍ଚାୟତ କ୍ରୀଡ଼ା ଅଭିଯାନ ନାମରେ ଏକ ଯୋଜନା ସରକାର ହାତକୁ ନେଇଥିଲେ। ଏହାଦ୍ୱାରା ପାଠ ପଢ଼ୁଥିବା, ଅଧାରୁ ପାଠ ଛାଡ଼ିଥିବା ପିଲାମାନେ ବିଭିନ୍ନ ପ୍ରକାର ଖେଳରେ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସୁଯୋଗ ଥିଲା। ବିଶେଷକରି ଦଳଗତ ଖେଳଗୁଡ଼ିକ ପ୍ରତି ଆଗ୍ରହ ବଢ଼ୁଥିଲା। ଖେଳୁଆଡ଼ ମନୋଭାବ ସୃଷ୍ଟି ହେଉଥିଲା। ପଞ୍ଚାୟତର ସମ୍ପୃକ୍ତି ରହୁଥିଲା। ସାଧାରଣ ଜନତା ମଧ୍ୟ ଏଥିରେ ଯୋଡ଼ିହେଉଥିଲେ। ଏହି ପାଇକା ଯୋଜନା ଏବେ ଶୀତଳଭଣ୍ଡାରରେ।
ଉପରୋକ୍ତ ସମସ୍ତ କଥାକୁ ବିଚାରକଲେ ଏହା କୁହାଯାଇପାରିବ ଯେ ଆମେ ସଭିଏଁ ପିଲାଦିନକୁ ଝୁରିହେଉ କିନ୍ତୁ ଆମ ପିଲାଙ୍କ ପିଲାଦିନ ଚାପଶୂନ୍ୟ ହେଉ ଏକଥା ଚାହୁଁନା। ବହୁ ଖେଳାଳି ନିଜର ପାରଦର୍ଶିତା ବଳରେ ଆର୍ଥିକ ସ୍ବାବଲମ୍ବୀ ହେବା ସହିତ ସୁଖ୍ୟାତି ଅର୍ଜନ କରିବାର ନଜିର ଆମ ଆଗରେ ରହିଛି। ଆମେ ସେଥିପାଇଁ ଗର୍ବ ମଧ୍ୟ ଅନୁଭବ କରୁ। କିନ୍ତୁ ଆମ ପିଲା ଭିତରେ ସେମିତି କିଛି ପ୍ରତିଭା ଥିଲେ ତା’ର ଉନ୍ମେଷ ପାଇଁ ଆମେ ସୁଯୋଗ ସୃଷ୍ଟିକରୁନା। ଆମେ ସଭିଏଁ ଅନୁଭବ କରୁ ଏକ ସୁସ୍ଥ, ସରସ, ସୁନ୍ଦର ଜୀବନଯାପନ ପାଇଁ ଶାରୀରିକ ବ୍ୟାୟାମ କେତେ ଅପରିହାର୍ଯ୍ୟ, ଯାହା ଖେଳ ଦ୍ୱାରା ସମ୍ଭବ ହୋଇଥାଏ। କିନ୍ତୁ ପିଲାଙ୍କୁ ଖେଳିବାର ସ୍ବାଧୀନତା ଆମେ ବଡ଼ମାନେ ଦେଉନା। ପ୍ରଥମେ ପ୍ରତ୍ୟେକ ପିତାମାତାଙ୍କ ଭିତରେ ଖେଳ ପ୍ରତି ଥିବା ନକାରାତ୍ମକ ମନୋବୃତ୍ତିର ପରିବର୍ତ୍ତନ ହେବା ଆବଶ୍ୟକ। ପିଲାଙ୍କୁ ତାଙ୍କ ପିଲାଦିନ ଫେରାଇଦେବାକୁ ପଡ଼ିବ। ପ୍ରତ୍ୟେକ ଖେଳର ମୁଖଶାଳା ହେଉଛି ପିଲାଦିନ ଓ ଖେଳପଡ଼ିଆ ହେଉଛି ସେହି ମୁଖଶାଳାର ମୁଖବନ୍ଧ। ମୁଖଶାଳାର ଯତ୍ନ ନେବା ଓ ମୁଖବନ୍ଧର ମର୍ଯ୍ୟାଦା ବୃଦ୍ଧି କରାଯାଇପାରିଲେ ବ୍ୟକ୍ତିର ବିକାଶ ସାଙ୍ଗକୁ ଜାତିର ଜାଗରଣ ସମ୍ଭବ ହୋଇପାରିବ। କିନ୍ତୁ ଖେଳ ପଡ଼ିଆକୁ ସାଦରେ ସ୍ବାଗତ ନ କଲେ, ଖେଳ ପଡ଼ିଆଠାରୁ କୁନି ଖେଳାଳିମାନଙ୍କୁ ଦୂରେଇ ରଖିଲେ ଏହାର ମର୍ଯ୍ୟାଦା ବଢ଼ିବ ବା କେମିତି?

  • ଅକ୍ଷୟ କୁମାର ମିଶ୍ର
    ସଭାପତି, ଓଷ୍ଟା
    ମୋ:୯୯୩୮୭୬୩୨୩୭

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri