ଅବସାଦଗ୍ରସ୍ତ ଜେନ୍‌ ଜି

ଜେନ୍‌ ଜି କ’ଣ? ଏ ଶବ୍ଦର ଉତ୍ପତ୍ତି କିପରି ହେଲା? ତେବେ ଜେନ୍‌ ଜି ର ପୂରା ନାମ ଜେନେରେଶନ ଜି। ଏକ ବୈଜ୍ଞାନିକ ଗବେଷଣା ଅନୁସାରେ ସମୟଚକ୍ର ଅନୁସାରେ ଆମକୁ ବିଭିନ୍ନ ଜେନେରେଶନରେ ବିଭକ୍ତ କରାଯାଇଛି। ଯେପରି ପରିବାର ମଧ୍ୟରେ ଆମେ ଜେଜେବାପା, ବାପା ଏଭଳି ତିନି ପିଢ଼ି ରହିଆସୁଅଛୁ। ସେଇ ଭିତ୍ତିରେ ଆମକୁ ଇଂଲିଶରେ ଅଲଗା ଅଲଗା ଜେନେରେଶନରେ ଭାଗ କରାଯାଇଛି। ୧୯୬୫ରୁ ୧୯୮୦ ମଧ୍ୟରେ ଜନ୍ମ ଲୋକଙ୍କୁ ଜେନେରେଶନ-ଏକ୍ସ କୁହାଯାଏ। ୧୯୮୧ ରୁ ୧୯୯୬ରେ ଜନ୍ମ ଲୋକଙ୍କୁ ଜେନେରେଶନ-ମିଲେନିଆଲ ଓ ୧୯୯୬ ପର ପିଢ଼ିକୁ ଜେନେରେଶନ-ଜି ବା ଜେନ୍‌-ଜି କୁହାଯାଏ। ଆମେ ଆମ ପୂର୍ବପିଢ଼ିକୁ ତାଙ୍କର କଷ୍ଟକର ସହିଷ୍ଣୁତା ଗୁଣ ଯୋଗୁ ମନେପକାଉ। ଆମ ପୂର୍ବପିଢ଼ି ନିଜର ଓ ନିଜ ପରିବାରର ଭରଣପୋଷଣ ପାଇଁ ବହୁତ କଷ୍ଟ କରୁଥିଲେ। ଯେପରି ଜେନ୍‌-ଏକ୍ସ ର ଲୋକମାନେ ଅର୍ଥନୈତିକ ଅସମାନତା ଓ ଏଡ୍‌ସ ଭଳି ମହାମାରୀକୁ ସାମ୍‌ନା କରିଥିଲେ। ସେଭଳି ଜେନ୍‌-ମିଲେନିଆଲମାନେ ପୂର୍ବ ପିଢ଼ିର ଶ୍ରମ ଅର୍ଜିତ ଉତ୍ତମ ଜୀବନକୁ ଉପଭୋଗ କଲେ। ଯାହା ସେମାନଙ୍କୁ ମହତ୍ତ୍ୱାକାଂକ୍ଷୀ ଓ କିଛି ନୂଆ ରୂପେ ଦୁନିଆକୁ ଗଢ଼ିବାର ପ୍ରେରଣା ଦେଲା। ଏସବୁ ପରେ ଜେନ୍‌-ଜି ଜେନେରେଶନ ବା ଆମ ଜେନେରେଶନର ଅୟମାରମ୍ଭ ହେଲା। ଏକ ପିଢ଼ି ଯାହାକି ସାମାଜିକ ସାମ୍ୟତାଠାରୁ ନେଇକି ଟେକ୍ନୋଲୋଜି କ୍ଷେତ୍ରରେ ପୂର୍ବ ପିଢ଼ିଠାରୁ ବହୁତ ଉନ୍ନତ। କିନ୍ତୁ ଦୁଖର ବିଷୟ ଏହା ଯେ ଅନ୍ୟ ପିଢ଼ିଠାରୁ ଆମ ପିଢ଼ି ଅଧିକ ମାନସିକ ବିଷାଦ, ମାନସିକ ଚାପ ଓ ମୋଟାପଣର ଶିକାର ହେଉଛି।
ବୈଜ୍ଞାନିକଙ୍କ ମତ ଅନୁସାରେ ଜେନ୍‌-ଜି ସବୁଠାରୁ ଅଧିକ ମାନସିକ ବିଷାଦଗ୍ରସ୍ତ ପିଢ଼ି। ପି’ଉ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ରିପୋର୍ଟ ଅନୁସାରେ ୭୦ ପ୍ରତିଶତ ଜେନ୍‌-ଜି ମାନସିକ ରୋଗରେ ପୀଡ଼ିତ। କେବଳ ମାନସିକ ନୁହେଁ ଆର୍ଥିକ କ୍ଷେତ୍ରରେ ମଧ୍ୟ ଜେନ-ଜି ଦୁର୍ବଳ ହେବାର ଆଶଙ୍କା ବୈଜ୍ଞାନିକମାନେ କରିଛନ୍ତି। ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନର ଜେନେରେଶନ ନିଜ ପାଇଁ ଘର କିଣିବାକୁ ମଧ୍ୟ ସକ୍ଷମ ହେବେନାହିଁ। ତେବେ ଏଠାରେ ପ୍ରଶ୍ନ ଉଠେ ଏତେ ସୁବିଧା ସୁଯୋଗ ଥାଇ ମଧ୍ୟ ଆଧୁନିକ ପିଢ଼ି ଏଭଳି କାହିଁକି ?
ସମସ୍ତଙ୍କ ଜୀବନରେ କିଛି ଉଦ୍ଦେଶ୍ୟ ଥାଏ। କିଏ ପରିବାରର ପ୍ରତିପୋଷଣ ତଥା କିଏ ଭଗବାନଙ୍କଠାରେ ନିଜ ଜୀବନର ଉଦ୍ଦେଶ୍ୟ ଖୋଜିକି ପାଇଥାଏ। କିନ୍ତୁ ଜେନ-ଜି ଏଭଳି ଏକ ପିଢ଼ି ହେବାକୁ ଯାଉଛି, ଯାହାର ଜୀବନରେ ସେଭଳି କିଛି ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ। ଏସବୁର କାରଣ ହେଉଛି ଇଣ୍ଟରନେଟ। ଇଣ୍ଟରନେଟ ବହୁତ ସହଜରେ ସମସ୍ତଙ୍କ ପାଖରେ ଉପଲବ୍ଧ। ସୂଚନାର ବହୁଳତା ସେମାନଙ୍କ ମସ୍ତିଷ୍କରେ ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ସେମାନେ ଜୀବନର କୌଣସି ପ୍ରକୃତ ଅର୍ଥ ଖୋଜି ପାଇବାରେ ଅସମର୍ଥ। ସେମାନେ ଜୀବନକୁ ଅର୍ଥହୀନ ଭାବୁଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଇଣ୍ଟରନେଟରେ ଜୀବନର ବଞ୍ଚିବାର ବିଭିନ୍ନ ମାର୍ଗ ପ୍ରଦର୍ଶନ କରାଯାଉଛି। ସେଥିମଧ୍ୟରୁ କ’ଣ ଠିକ୍‌ କ’ଣ ଭୁଲ୍‌ ସେସବୁ କହିବା ସମ୍ଭବପର ନୁହେଁ। ଏସବୁ ଦେଖିଲା ପରେ ଲାଗେ ଯେପରି ଜୀବନର କୌଣସି ଜିନିଷରେ କିଛି ମୂଲ୍ୟ ନାହିଁ। ଅଧିକନ୍ତୁ ଇଣ୍ଟରନେଟରେ ସଦା ସର୍ବଦା ବିଭିନ୍ନ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀର ପ୍ରଦର୍ଶନ କରାଯାଇଥାଏ। ଏସବୁକୁ ସୋସିଆଲ ମିଡିଆରେ ସବୁବେଳେ ଦେଖିଲେ ଜଣେ ଈର୍ଷାନ୍ବିତ ହେବା ସହ ଶେଷରେ ଭାବି ଭାବି ବିଷାଦଗ୍ରସ୍ତ ହୋଇଥାଏ।
ବର୍ତ୍ତମାନର ପିଢ଼ି ଭଗବାନ ଓ ନିର୍ଦ୍ଦିଷ୍ଟ ଧର୍ମ ଉପରେ ବିଶାସ ରଖୁ ନ ଥିବାରୁ ମଧ୍ୟ ସେମାନଙ୍କ ଜୀବନ ମୂଲ୍ୟହୀନ ପ୍ରତୀୟ ହେବାରେ ଲାଗିଛି। ଏକ ବୈଜ୍ଞାନିକ ସର୍ଭେ ଅନୁସାରେ ୧୮ ପ୍ରତିଶତ ଯୁବ ପିଢ଼ି ନିଜକୁ ନାସ୍ତିକ ବୋଲି କହୁଛନ୍ତି। ନାସ୍ତିକ ଅର୍ଥାତ ଯାହାର ଭଗବାନଙ୍କ ଅସ୍ତିତ୍ୱ ଉପରେ ବିଶ୍ବାସ ନ ଥାଏ। ଧର୍ମୀୟ ବିଶ୍ବାସ ଆଦିମ ପିଢ଼ିରୁ ସମାଜର ଏକ ମାନଦଣ୍ଡ ରହିଆସିଅଛି। ଧର୍ମରେ ବା କୌଣସି ଭଗବାନଙ୍କ ଉପରେ ବିଶାସ ମଣିଷକୁ ଜୀବନ ବଞ୍ଚିବାର ଏକ ମାର୍ଗ ପ୍ରଦର୍ଶନ କରିଥାଏ। ନାସ୍ତିକମାନେ ମଧ୍ୟ କର୍ମ ଅଥବା କଳାରେ ନିଜ ଜୀବନର ଜୀବନର ଅର୍ଥ ଖୋଜିନିଅନ୍ତି। କିନ୍ତୁ ଜଣେ ଆସ୍ତିକ ତୁଳନାରେ ନାସ୍ତିକ ମଣିଷ ଅଧିକ ଅବସାଦଗ୍ରସ୍ତ ହେବାର ସମ୍ଭାବନା ରହିଛି। କାରଣ ବିଶାସ ମଣିଷକୁ ବଞ୍ଚତ୍ରହିବାର ଆଶା ଦେଇଥାଏ।
ଏକ ଗବେଷଣାରୁ ଜଣାପଡ଼ିଛି ଯେ ୧୮ ପ୍ରତିଶତ ବିଦ୍ୟାଳୟ ଯାଉଥିବା ଛାତ୍ର ଆତ୍ମହତ୍ୟା କରିବା ଭାବନାର ଶିକାର ହେଉଛନ୍ତି। ସେଥିମଧ୍ୟରୁ ୮ ପ୍ରତିଶତ ଛାତ୍ର କହିଛନ୍ତି ଯେ, ସେମାନେ ଏଭଳି କରିବାର ଚେଷ୍ଟା କରିଛନ୍ତି। ସେଥିମଧ୍ୟରୁ ୨.୫ ପ୍ରତିଶତ ଏବେ ମନସ୍ତତ୍ତ୍ୱ ଚିକିତ୍ସାରେ ଅଛନ୍ତି। ବର୍ତ୍ତମାନର ଯୁବପିଢ଼ି ମୋବାଇଲର ଅଧିକ ବ୍ୟବହାର କରୁଥିବାରୁ ସେମାନେ ବିଷାଦଗ୍ରସ୍ତ ହେବା ସହ ଏସବୁ ପ୍ରକାର ଚିନ୍ତା ମନକୁ ଆସୁଛି। ଆଗରୁ ଲୋକେ ଅବସର ସମୟରେ ବିଭିନ୍ନ ଖେଳ ଖେଳୁଥିଲେ। ଯାହା ସେମାନଙ୍କୁ ଶାରୀରିକ ତଥା ମାନସିକ ଭାବେ ସୁସ୍ଥ ରଖିବାରେ ସକ୍ଷମ ହେଉଥିଲା। କିନ୍ତୁ ଏବେର ପିଢ଼ି ହାରାହାରି ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ନିଜକୁ ସୋସିଆଲ ମିଡିଆରେ ବ୍ୟସ୍ତ ରଖୁଛି। ସୋସିଆଲ ମିଡିଆର ସୃଷ୍ଟି ହୋଇଥିଲା ଲୋକଙ୍କୁ ପରସ୍ପରର ନିକଟକୁ ଆଣିବାକୁ। କିନ୍ତୁ ଏବେ ତାହାର ବିପରୀତ ପରିଲକ୍ଷିତ ହେଉଅଛି। ଲୋକଙ୍କର ଜୀବନ ଆଳସ୍ୟମୟ ହୋଇଯାଉଛି। ଆଳସ୍ୟମୟ ଜୀବନଯାପନ ଅବସାଦର ଅନ୍ୟ ଏକ କାରଣ।
ସାମ୍ପ୍ରତିକ ସାମାଜିକ ଚାପ ତଥା ଶିକ୍ଷାକ୍ଷେତ୍ରରେ ବଢୁଥିବା ପ୍ରତିଯୋଗିତା ମଧ୍ୟ ଯୁବପଢ଼ିର ଅବସାଦର କାରଣ। ନିଯୁକ୍ତି କ୍ଷେତ୍ରରେ ଅଭାବ, ସରକାରୀ ନିଯୁକ୍ତି ପାଇବା ପାଇଁ ହେଉଥିବା ପ୍ରତିଯୋଗିତା, ଡାକ୍ତରୀ ପରୀକ୍ଷାରେ ହେଉଥିବା ପ୍ରତିଯୋଗିତା ବର୍ତ୍ତମାନର ଯୁବପିଢ଼ିର ମାନସିକ ଚାପକୁ ବଢ଼ାଇଚାଲିଛି। କୋଭିଡ ଦ୍ବାରା ସୃଷ୍ଟି ହୋଇଥିବା ବେକାରି ସମସ୍ୟାର ସବୁଠୁ ବଡ଼ ଶିକାର ହେଉଛନ୍ତି ଯୁବ ପିଢ଼ି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏସବୁ ପରିସ୍ଥିତିର ସମାଧାନ କ’ଣ ?
ଇଣ୍ଟରନେଟର ବ୍ୟବହାରକୁ ସୀମିତ କରାଯିବା ଦରକାର। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବେଶି ନିର୍ଭରଶୀଳ ନ ହୋଇ ନିଜର ପ୍ରତିତ୍ପନ୍ନମତିତାକୁ ବଢ଼ାଇବାର ଅଛି। ଏଥିସହ ନିଜ ପୂର୍ବ ପିଢ଼ିଠାରୁ ଉପଦେଶ ଗ୍ରହଣ କରାଯିବା ଦରକାର। ଆମ ପୂର୍ବ ପିଢ଼ି ଲୋକଙ୍କର ମଧ୍ୟ କର୍ତ୍ତବ୍ୟ ଏହା ଯେ ସେମାନେ ସେମାନଙ୍କ ଅଭିଜ୍ଞତା ଆମକୁ କହି ଆମ ପଥପ୍ରଦର୍ଶକ ହୋଇପାରିଲେ ଏକ ବିକାଶଶୀଳ ଯୁବପିଢ଼ିର ପରିକଳ୍ପନା କରାଯାଇପାରିବ।
ରିସର୍ଚ୍ଚ ସ୍କଲାର (ପଦାର୍ଥ ବିଜ୍ଞାନ),
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
ମୋ-୮୨୪୯୯୯୭୬୭୭


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri