ଜୀବନ ମାନ ପ୍ରତି ଧ୍ୟାନ ଦିଆଯାଉ

ଡ. ସନ୍ତୋଷ କୁମାର ମହାପାତ୍ର

ଆସନ୍ତା ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଗତବର୍ଷ ବଜେଟ ଉପସ୍ଥାପନ ବେଳେ ଅର୍ଥନୀତି ମାନ୍ଦାବସ୍ଥା ଓ ମନ୍ଥର ଅଭିବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଥିଲା। ଏବେ କରୋନା ମହାମାରୀ ପ୍ରଭାବରେ ଭାରତୀୟ ଅର୍ଥ ବ୍ୟବସ୍ଥା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ବଜେଟ ଉପସ୍ଥାପନ କରିବା ଏକ କଷ୍ଟକର ବ୍ୟାପାର। ପ୍ରତିବର୍ଷ ଆମ ବଜେଟର ବ୍ୟୟବରାଦ ନାମାଙ୍କନ ମୂଲ୍ୟରେ ଆପେ ଆପେ ବୃଦ୍ଧି ପାଉଛି। ଏଣୁ ଯିଏ କ୍ଷମତାରେ ରହିବ, ସେ କିଛି ଯୋଜନା କରିବ। କିନ୍ତୁ ଜନତାଙ୍କ ଜୀବନ ଧାରଣର ମାନରେ ଉନ୍ନତି ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଏହା ସମ୍ଭବ ହେବ, ଯେତେବେଳେ ନିଯୁକ୍ତି ବୃଦ୍ଧି ଘଟିବ, ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ପାଇବ, କୃଷି କାର୍ଯ୍ୟ ଲାଭଦାୟକ ହେବ। ଗୁରୁତ୍ୱପୂର୍ଣ୍ଣ ହେଉଛି ମହିଳା, କୃଷକ, ଶ୍ରମିକ, ସାଧାରଣ ଜନତାଙ୍କ ସ୍ବାର୍ଥ ବେଶି ନିର୍ଭର କରୁଛି ଶିକ୍ଷା ସ୍ବାସ୍ଥ୍ୟ କେତେ ମାଗଣାରେ ଏବଂ ସହଜରେ ଉପଲବ୍ଧ ହେବ ଏବଂ ପ୍ରରୋକ୍ଷ କର କେତେ କମ୍‌ ହେବ। କିନ୍ତୁ ସରକାର ଠିକ୍‌ ଓଲଟା କରୁଛନ୍ତି।
ବର୍ତ୍ତମାନ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାର ଲୋକଙ୍କ ଜୀବନ ଧାରଣର ମାନର ଉନ୍ନତି, ନିଯୁକ୍ତି ସୃଷ୍ଟି ପ୍ରତି ଧ୍ୟାନ ନ ଦେଇ, ନିର୍ଦ୍ଦିଷ୍ଟ ଶ୍ରେଣୀ ପାଇଁ କିଛି ଯୋଜନା ଘୋଷଣା କରୁଛନ୍ତି । ବିଭିନ୍ନ ଜନହିତକର, ସାମାଜିକ କ୍ଷେତ୍ର ଯଥା ଶିକ୍ଷା, ସ୍ବାସ୍ଥ୍ୟ ଆଦିରେ ବ୍ୟୟ ହ୍ରାସ କରୁଛନ୍ତି। ଏକ ସରକାରଙ୍କ ସଫଳତା ବା ବିଫଳତା କେବଳ ଯୋଜନାକୁ ଭିତ୍ତିକରି ମୂଲ୍ୟାୟାନ କରାଯାଏ ନାହିଁ, ବରଂ ପୂର୍ବ ସରକାରଙ୍କ ତୁଳନାରେ କ’ଣ ସଫଳ ହାସଲ କରିଛନ୍ତି ଏବଂ ଅନ୍ୟ ଦେଶ ତୁଳନାରେ କେତେ ଅଧିକ ଉନ୍ନତି କରିଛନ୍ତି ତାହା ବିଚାର କରାଯାଏ। ଯେହେତୁ ନାମାଙ୍କନ ମୂଲ୍ୟ (ସଂଖ୍ୟା) ଦୃଷ୍ଟିରୁ ସବୁ ବୃଦ୍ଧି ପାଇଥାଏ, ବିଭିନ୍ନ ବ୍ୟୟବରାଦ ମୁଦ୍ରାସ୍ଫୀତିକୁ ବିଚାରକୁ ନେଇଁ ବିଚାର କରିବା ଉଚିତ, କାରଣ ଟଙ୍କାର ମୂଲ୍ୟ ମୁଦ୍ରାସ୍ଫୀତି ଅନୁସାରେ କମୁଛି। ଏହା ମଧ୍ୟ ଜିଡିପି ଅନୁପାତରେ କେତେ ବୃଦ୍ଧି ପାଉଛି ବିଚାର କରିବା ଉଚିତ। ଏହି ଦୃଷ୍ଟିରୁ ଦେଖିଲେ ଦେଶର ବଜେଟରେ ବ୍ୟୟବରାଦ ଜିଡିପି ଅନୁସାରେ ବୃଦ୍ଧି ପାଉନାହିଁ ବରଂ ନିମ୍ନମୁଖୀ ହୋଇଛି। ସେହିପରି ଜିଡିପି ଅନୁସାରେ ଟିକସ ଯେତିକି ଆଦାୟ ହେଉଛି, ତାହା ୯ରୁ ୧୧% ମଧ୍ୟରେ ରହୁଛି ଏବଂ ବିଶ୍ୱରେ ଏହା ସର୍ବନିମ୍ନ। ପରୋକ୍ଷ କର ବୃଦ୍ଧି, ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ ବା ସେଥିରୁ ପୁଞ୍ଜି ପ୍ରତ୍ୟାହାର ସତ୍ତ୍ୱେ ଏହି ଅନୁପାତ ବୃଦ୍ଧି ପାଉନି। ଅର୍ଥାତ୍‌ ଧନିକ ଶ୍ରେଣୀ ବେଶି ରିହାତି ପାଉଛନ୍ତି। ଯଦି ସରକାର ଶିକ୍ଷା, ସ୍ବାସ୍ଥ୍ୟ, ଗୃହ (ବାସହୀନକୁ) ମାଗଣାରେ ବା କମ୍‌ ମୂଲ୍ୟରେ ଯୋଗାଇ ଦିଅନ୍ତେ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରନ୍ତେ, ଧନିକ ଶ୍ରେଣୀଙ୍କ ଉପରେ ପ୍ରତ୍ୟକ୍ଷ କର ବୃଦ୍ଧି କରି ପରୋକ୍ଷ କର ହ୍ରାସ କରନ୍ତେ, ତେବେ ଅନ୍ୟ ଯୋଜନାର କୌଣସି ଆବଶ୍ୟକତା ପଡ଼ନ୍ତା ନାହିଁ।
ଜିଡିପି ଅନୁସାରେ ଯଦି ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବିଚାର କରାଯାଏ ଏହା ଭାରତରେ ସର୍ବନିମ୍ନ ଏବଂ ଆମ ସ୍ବାସ୍ଥ୍ୟକ୍ଷେତ୍ର ସର୍ବାଧିକ ଘରୋଇ କ୍ଷେତ୍ର ଦ୍ୱାରା ନିୟନ୍ତ୍ରତ। ସେହିପରି ଶିକ୍ଷାକ୍ଷେତ୍ର । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରର ବ୍ୟାପକ ଘରୋଇକରଣ ଏବଂ ବ୍ୟୟସାପେକ୍ଷ ହେବା ଯୋଗୁ, ନୋବେଲ ବିଜେତା ଅମର୍ତ୍ତ୍ୟ ସେନ ଭାରତ ପଛକୁ ଯାଉଛି ବୋଲି କହିଥିଲେ ଏବଂ ଶିକ୍ଷା ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଯେଉଁସବୁ ଦେଶ ବିଶ୍ୱ ଖୁସି ସୂଚକାଙ୍କ, ଶାନ୍ତି ସୂଚକାଙ୍କ, ମାନବ ଉନ୍ନୟନ ସୂଚକାଙ୍କ ଆଦି ଅନ୍ତର୍ଜାତୀୟ ସୂଚକାଙ୍କ ଆଗରେ ଅଛନ୍ତି, ସେହି ସବୁ ଦେଶରେ ଧନୀକ ଉପରେ ବହୁ ଅଧିକ ହାରରେ ଟିକସ ଆଦାୟ ହୋଇଥାଏ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟରେ ଅଧିକ ବ୍ୟୟବରାଦ ଯାଇଥାଏ। ଚିନ୍ତାର ବିଷୟ ହେଉଛି ଆଗରୁ ଜିଡିପି ଅନୁସାରେ ଯେଉଁ ହାରରେ ନିଯୁକ୍ତି (ଏମ୍ପ୍ଲୟମେଣ୍ଟ ଇଲାଷ୍ଟିସିଟି) ଏବଂ ଟିକସ (ଟାକ୍ସ ବୁୟାନ୍‌ସ) ବୃଦ୍ଧି ପାଉଥିଲା ତାହା ହ୍ରାସ ପାଉଛି। ନିଯୁକ୍ତିବିହୀନ ଅଭିବୃଦ୍ଧି ବର୍ତ୍ତମାନ ନିଯୁକ୍ତିହାନି ଅଭିବୃଦ୍ଧିକୁ ରୂପାନ୍ତରିତ ହୋଇଛି।
ବାସ୍ତବରେ ଅନେକ ବଜେଟରେ ବିଭିନ୍ନ କଥା ଆଶା କରିଥା’ନ୍ତି; କିନ୍ତୁ ସେଥିପାଇଁ ସମ୍ବଳ ଆବଶ୍ୟକ। ସମ୍ବଳ ଥିଲେ ବଜେଟ ଉପସ୍ଥାପନ କରିବା ଅତ୍ୟନ୍ତ ସହଜ। କରୋନା ମହାମାରୀ ଯୋଗୁ ଯେଉଁ ରାଜସ୍ବ ହାନି ହୋଇଛି, ତାହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଅବଶ୍ୟ ଭାରତରେ ସରକାର ଟିକସଫାଙ୍କି ରୋକିବାରେ ବିଫଳ ହେବା ସହିତ ଧନିକ ଶ୍ରେଣୀ ଏବଂ କର୍ପୋରେଟ୍‌ମାନଙ୍କଠାରୁ ଅଧିକ ଟିକସ ଆଦାୟ କରିବାରେ ବିଫଳ। ନିକଟରେ ପ୍ରଭାବୀ କର୍ପୋରେଟ୍‌ ଟିକସ ୩୫%ରୁ ୨୫.୧%କୁ ଅର୍ଥମନ୍ତ୍ରୀ ହ୍ରାସକରିବା ସତ୍ତ୍ୱେ କମ୍ପାନୀମାନେ ପୁଣି ଏହାକୁ ୧୫%କୁ ହ୍ରାସ କରିବାକୁ ଦାବି କରୁଛନ୍ତି। ଏପରିକି ଦୀର୍ଘକାଳୀନ ପୁଞ୍ଜିଲାଭ କର, ଲାଭାଂଶ ବଣ୍ଟନ ଟିକସ ଉଚ୍ଛେଦ ପାଇଁ ଚାହଁୁଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ବଜେଟରେ ମୋଟ ବ୍ୟୟବରାଦ ୩୦ ଲକ୍ଷ ୪୧ ହଜାର ୨୩୦ କୋଟି ତାଙ୍କ ଧାର୍ଯ୍ୟ କରାଯାଇଥିଲାବେଳେ ୨୪.୨୩ ଲକ୍ଷ କୋଟି ଟଙ୍କା ରାଜସ୍ବ ଆଦାୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ବାସ୍ତବରେ ରାଜସ୍ବ ଆଦାୟ ୫ ଲକ୍ଷ କୋଟି ଟଙ୍କା ପାଖାପାଖି କମ ଆଦାୟ ହେବ ବୋଲି ବିଭିନ୍ନ ସଂସ୍ଥାର ଆକଳନରେ କୁହାଯାଇଛି। ୨୦୧୯-୨୦ ବିତ୍ତୀୟ ନିଅଣ୍ଟ ଜିଡିପିର ଯାହା ୩.୩% ଧାର୍ଯ୍ୟ କରାଯାଇଥିଲା, ତାହା ୪.୬% ହୋଇଥିଲା। ୨୦୨୦-୨୧ ରେ ଏହା ୩.୫% ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ୭ରୁ ୮%କୁ ବୃଦ୍ଧି ପାଇବ। ବଜେଟ ବାହାର ନିଅଣ୍ଟ ମିଶାଇଲେ ଏହା ବହୁ ଅଧିକ ହେବ। ବିତ୍ତୀୟ ନିଅଣ୍ଟ ୭.୮ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ପରେ ମହାମାରୀ ଯୋଗୁ ୧୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଯାହାଫଳରେ ଋଣ-ଜିଡିପି ଅନୁପାତ ମଧ୍ୟ ୯୦%କୁ ବୃଦ୍ଧି ପାଇବ। ଅବଶ୍ୟ କେଉଁ କ୍ଷେତ୍ରରେ କେତେ ବ୍ୟୟ ହ୍ରାସ ପାଇଛି, ପରିସ୍ଥିତି କ’ଣ ରହିଛି ଆର୍ଥିକ ବର୍ଷ ଶେଷ ପରେ ଜଣାପଡ଼ିବ। ବାସ୍ତବରେ ୨୦୨୦-୨୧ରେ କରୋନା ମହାମାରୀ ଯୋଗୁ ରାଜସ୍ବ ଆଦାୟ କମ୍‌ ହୋଇଛି ବୋଲି ସରକାର ତାଙ୍କ ଦୋଷ ଖସେଇ ଦେଉଛନ୍ତି ସିନା; କିନ୍ତୁ ବିଗତ ଦୁଇ ବର୍ଷରେ ରାଜସ୍ବ ଆଦାୟ ଯେତିକି ଆକଳନ ହୋଇଥିଲା, ତାହାଠାରୁ କମ୍‌ ହୋଇଛି।
୨୦୧୮-୧୯ରେ ମୋଟ ରାଜସ୍ବ ୨୨.୭୧ ଲକ୍ଷ କୋଟି ଟଙ୍କା ଆଦାୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ଏହା ୨୦.୮ ଲକ୍ଷ କୋଟି ଟଙ୍କା ହୋଇଛି। ସେହିପରି ୨୦୧୯-୨୦ରେ ୨୪.୬୧ ଲକ୍ଷ କୋଟି ଟଙ୍କା ରାଜସ୍ବ ଆଦାୟ ହେବ ବୋଲି ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ଏହା ୨୦.୧ ଲକ୍ଷ କୋଟି ଟଙ୍କା ହୋଇଛି। ଏହାର ଅର୍ଥ କରୋନା ମହାମାରୀ ପୂର୍ବରୁ ରାଜସ୍ବ ଆଦାୟରେ ସରକାର ବିଫଳ ହୋଇଛନ୍ତି। ଯାହା ଫଳରେ ଟିକସ-ଜିଡିପି ଅନୁପାତ ହ୍ରାସ ପାଉଛି। କିନ୍ତୁ ଏଠାରେ ବିରାଟ ପ୍ରଶ୍ନ ହେଉଛିଯେ ଷ୍ଟକ୍‌ ମାର୍କେଟ୍‌ ସୂଚକାଙ୍କ ସେନ୍‌ସେକ୍ସ ଗତବର୍ଷ ମାର୍ଚ୍ଚରୁ ୨୦୨୧ ଜାନୁୟରୀ ୨୧ ମଧ୍ୟରେ ଦୁଇଗୁଣ ବୃଦ୍ଧି ହୋଇ ୫୦,୦୦୦ ଅଙ୍କ ଛୁଇଁଛି। କିନ୍ତୁ, ଏହି ସମ୍ପଦ ବୃଦ୍ଧିରେ ରାଜସ୍ବ ବୃଦ୍ଧି ପାଉନାହିଁ। ଏଥିପ୍ରତି ସରକାର ଧ୍ୟାନ ଦେବା ଉଚିତ ଏବଂ ନିବେଶକଙ୍କ ଉପରେ ଅଧିକ ହାରରେ ଟିକସ ଧାର୍ଯ୍ୟ କରିବା ଉଚିତ। ସମ୍ପଦ କର ଧାର୍ଯ୍ୟ କରିବା ଉଚିତ।
ମୋ-୯୪୩୭୨୦୮୭୬୨,
skmohapatra୬୭@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri