ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ ହେଉ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଓଡ଼ିଶାରେ ଆଉ ଏକ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲାରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବିହାର ଓ ଅନ୍ୟ ରାଜ୍ୟ ପାଇଁ ଦ୍ୱିତୀୟ ଏମ୍‌ସ ପ୍ରସ୍ତାବ ବିଚାରାଧୀନ ରହିଛି। ତେଣୁ ସ୍ବାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିଚାରକୁ ନିଆଯାଇ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼ରେ ଏମ୍‌ସ ପାଇଁ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଓ ଏନ୍‌ଟିପିସି ସହଭାଗିତାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମିତ କରାଯାଇଛି। ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୦୦ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଛି। ଏଥିସହିତ ଭିତ୍ତିଭୂମି ଥିବା ପ୍ରସ୍ତାବିତ ଅଞ୍ଚଳକୁ ରେଳ ଓ ବିମାନ ଯୋଗାଯୋଗ ସୁବିଧା ରହିଛି। ଏସବୁ ଭିତ୍ତିଭୂମି ଥିବା ଦର୍ଶାଇ ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି ସେ ତାଙ୍କ ଚିଠିରେ ଲେଖିଛନ୍ତି।