ସବୁ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର ହେଉ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି ୟୁଜି ପରୀକ୍ଷା ଆସନ୍ତା ଅଗଷ୍ଟ ୧ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲାରେ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର କରିବା ନିମନ୍ତେ ଏନ୍‌ଟିଏକୁ ମଙ୍ଗଳବାର ରାଜ୍ୟ ସରକାର ଚିଠି ଲେଖିଛନ୍ତି। ଓଡ଼ିଶାରେ ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ବଲପୁରରେ ୭ଟି ପରୀକ୍ଷା କେନ୍ଦ୍ର ହେବ। ଏହି ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଛାତ୍ରୀଛାତ୍ରଙ୍କୁ ସମସ୍ୟା ଉପୁଜିବ। ସେହିପରି କରୋନା ପାଇଁ ପିଲାମାନେ ଉକ୍ତ ପରୀକ୍ଷା କେନ୍ଦ୍ରରେ ଯାଇ ପରୀକ୍ଷା ଦେବା ମଧ୍ୟ ବିପଦଜନକ ହେବ। ଏଥିସହିତ କେତେକ ଜିଲା ପ୍ରଶାସନ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ କରିବା ଯୋଗୁ ପରିବହନ ସେବାରେ ବହୁ ବାଧା ସୃଷ୍ଟି ହେଉଛି। ଫଳରେ ଛାତ୍ରୀଛାତ୍ରମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗୋଟିଏ ଲେଖାଏ ଏନ୍‌ଇଇଟି ୟୁଜି ପରୀକ୍ଷା କେନ୍ଦ୍ର କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନ୍‌ଟିଏ ଡାଇରେକ୍ଟର ଜେନେରାଲ ଡ. ଭିନିତ୍‌ ଜୋଷୀଙ୍କୁ ଚିଠି ଲେଖିଛନ୍ତି।