ବିଧାନସଭାରେ ମାଣ୍ଡିଆ ଖାଇବେ ବିଧାୟକ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ବିଧାୟକମାନେ ବିଧାନସଭାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବେ। ଖୋଦ୍‌ କୃଷି ମନ୍ତ୍ରୀ ବିଧାୟକମାନଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖୁଆଇବେ। ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଭଲ। ସକାଳେ ଖାଇଲେ ଏହାର ଉପକାର ମିଳିଥାଏ। ବାଚସ୍ପତି ଯଦି ଅନୁମତି ଦେବେ ତେବେ ବିଧାୟକମାନଙ୍କୁ ବିଧାନସଭାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯିବ।
ଏହାର ଉପକାରିତା ବିଷୟରେ ମଧ୍ୟ ଜଣାଇ ଦିଆଯିବ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଏଭଳି ପ୍ରସ୍ତାବ ଦେଇଥିଲେ। ବାଚସ୍ପତି ତତ୍କାଳ ଏହି ଖାଦ୍ୟ ପରିବେଷଣ କରିବାକୁ ମନ୍ତ୍ରୀଙ୍କୁ ଅନୁମତି ଦେଇଥିଲେ। ଚଳିତ ଅଧିବେଶନରେ ବିଧାୟକମାନଙ୍କୁ ମନ୍ତ୍ରୀ ମାଣ୍ଡିଆ ଖାଇବାକୁ ଦେବେ। ମାଣ୍ଡିଆରେ ସୁପ୍‌ଠାରୁ ଆରମ୍ଭ କରି ଲଡୁ, ମିଠା ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ ହେଉଛି। ଲୋକମାନେ ସ୍ବାସ୍ଥ୍ୟ ସଚେତନ ହେଲେଣି। ମାଣ୍ଡିଆର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚାହିଦା ବଢୁଥିବାରୁ ଚାଷ ମଧ୍ୟ ବଢ଼ିଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।