ସଙ୍ଗୀତ ଜଗତରେ ଶୋକର ଛାୟା: ନୀରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମଲ୍ଟିପୁଲ ଅର୍ଗାନ ଫେଲିୟର୍‌(ଏକାଧିକ ଅଙ୍ଗ ଅଚଳ) ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଭାଜପା ନେତା ଆଶିଷ ଶେଲାର ତାଙ୍କ ପରଲୋକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଖବର ସାରା ଦେଶର ସଙ୍ଗୀତପ୍ରେମୀଙ୍କୁ ଗଭୀର ମର୍ମାହତ କରିଛି।

ଆଶା ଭୋସଲେ ପ୍ରାୟ ୮ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ଜଗତକୁ ନିଜର ସୁମଧୁର ସଙ୍ଗୀତରେ ସମୃଦ୍ଧ କରିଥିଲେ। ହିନ୍ଦୀ ସମେତ ଅନେକ ଆଞ୍ଚଳିକ ଭାଷାରେ ହଜାର ହଜାର ଗୀତ ଗାଇ ସେ ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଥିଲେ। ସେ ନିଜ କ୍ୟାରିୟର ମଧ୍ୟରେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।

ଆଶା ଭୋସଲେ ଭଉଣୀ ଲତା ମଙ୍ଗେଶକରଙ୍କ ପଥ ଅନୁସରଣ କରି ସଙ୍ଗୀତ ଦୁନିଆକୁ ଆସିଥିଲେ ଏବଂ ପ୍ରଚୁର ଖ୍ୟାତି ଅର୍ଜନ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ନିଜର ପ୍ରଥମ ଗୀତ ରେକର୍ଡ କରିଥିଲେ ଯାହା ଏକ ମରାଠୀ ଗୀତ ଥିଲା। ଏହାପରେ ସେ କେବେ ପଛକୁ ଫେରି ଚାହିଁ ନ ଥିଲେ ଏବଂ ନିଜର ୮୨ ବର୍ଷର କ୍ୟାରିୟରରେ ପ୍ରାୟ ୧୨,୦୦୦ ଗୀତ ଗାଇଥିଲେ। କଳା ଜଗତରେ ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନ ୪ଟା ସମୟରେ ମୁମ୍ବାଇର ଦାଦର ସ୍ଥିତ ଶିବାଜୀ ପାର୍କ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କ ମୃତ୍ୟୁରେ ସାରା ଦେଶର ବିଶିଷ୍ଟ ବ୍ୟକ୍ତି ଓ କଳାକାରମାନେ ଗଭୀର ଶୋକବ୍ୟକ୍ତ କରୁଛନ୍ତି।

Dharitri – Odisha’s No.1 Odia Daily

Share