କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ଅର୍ଥ ପ୍ରାପ୍ୟ ପାଇ ନ ଥିବାରୁ ସମ୍ପୃକ୍ତ ଠିକାସଂସ୍ଥା ଅର୍ଥ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟର ନିର୍ଦ୍ଦେଶ ମୁତାବକ ସୋମବାର ଢେଙ୍କାନାଳ ଜିଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କୋଟ ପକ୍ଷରୁ ସିଲ୍ କରାଯାଉଛି। କଟକ କମର୍ସିଆଲ କୋର୍ଟଙ୍କ କଡ଼ା ନିର୍ଦ୍ଦେଶକ୍ରମେ ସ୍ଥାନୀୟ କୋର୍ଟ କର୍ମଚାରୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏକ ଠିକାସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। ତେବେ କାମ ଚାଲିଥିବା ସମୟରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସାଇଟ ଯୋଗାଇ ଦିଆଯାଇ ନ ପାରିବାରୁ ବିଭାଗ ନିଜ ଆଡୁ କାମଟିକୁ ବନ୍ଦ କରିଦେଇଥିଲା। ଏହାସହ ଠିକାଦାରଙ୍କ ପ୍ରାପ୍ୟକୁ ମଧ୍ୟ ଅଟକାଇ ଦିଆଯାଇଥିଲା।
ଠିକାଦାର ଜଣକ ନିଜର ହକ ପାଇଁ ଆର୍ବିଟ୍ରେସନର ସହାୟତା ନେଇଥିଲେ। ଯେଉଁଠାରେ କମ୍ପାନୀ କର୍ତ୍ତୃପକ୍ଷ ଦୁଇଟି କାମ ବାବଦକୁ ପ୍ରାୟ ୫୨ ଲକ୍ଷ ଏବଂ ୨୯ ଲକ୍ଷ ଟଙ୍କା ବକେୟା ରହିଥିଲା। ଯାହା ବର୍ତ୍ତମାନ ପ୍ରାୟ ସୁଧସହ ୩କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାକୁ ବିରୋଧ କରି ଜଳସେଚନ ବିଭାଗ, ଜିଲା କୋର୍ଟ, ହାଇକୋର୍ଟ ଏବଂ ପରିଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସବୁଠି ସେମାନେ ବିଫଳ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗ ଟଙ୍କା ପଇଠ ନ କରିବାରୁ ମାମଲାଟି କଟକ କମର୍ସିଆଲ କୋର୍ଟକୁ ଯାଇଥିଲା। ଦୁଇ ବର୍ଷ ଧରି ମାମଲା ଚାଲିବା ପରେ ଆଜି ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଫିସଟିକୁ ଆଟାଚମେଣ୍ଟ ବା ସିଲ କରାଯାଇଛି।
Dharitri – Odisha’s No.1 Odia Daily