ଲିଜ୍‌ଧାରୀଙ୍କୁ ସୁରକ୍ଷା, ଲୋକେ ଦୋଷୀ

ଯାଜପୁର ଅଫିସ,୧୫ା୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ କଳାପଥର ଖାଦାନ ପରେ ଏବେ ବ୍ରାହ୍ମଣୀ ନଦୀର ରାଇଚନ୍ଦା ବାଲିଘାଟରୁ ବିପୁଳ ବାଲି ଲୁଟର ପର୍ଦ୍ଦାଫାସ ହୋଇଛି। ବଳରାମପୁର-୨ ରାଜସ୍ବ ନୀରିକ୍ଷକ(ଆରଆଇ) ତାଙ୍କ ୧୫ା୧୦ା୨୦୨୧ ଓ ୨୯ା୧ା୨୦୨୨ରେ ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଭାବେ ସ୍ଥାନୀୟ ଲୋକ ମେଶିନ ଲଗାଇ ବାଲି ଲୁଟ କରିଥିବା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଏହି ତଦନ୍ତ ରିପୋର୍ଟ ଲିଜଧାରୀ ଏସ୍‌ଟି ମିନେରାଲ୍ସ ପ୍ରାଇଭେଟ ଲିଃକୁ ସୁରକ୍ଷା ଦେବାକୁ ଯାଇ ପ୍ରସ୍ତୁତ କରାଯାଇଛି ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଲୋକାୟୁକ୍ତରେ ଅଭିଯୋଗ କରିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ତହସିଲ ଅନ୍ତର୍ଗତ କବାଟବନ୍ଧ ବ୍ରିଜ ନିକଟରେ ଥିବା ରାଇଚନ୍ଦା ବାଲିଘାଟର ପ୍ଲଟ ନମ୍ବର୨(ପି) ଓ ଖାତା ନମ୍ବର ୪୮୧ରୁ ୨୦ ଏକର ପରିମିତ ଅଞ୍ଚଳରୁ ବାଲି ଉତ୍ତୋଳନ କରିବାକୁ ଲିଜଧାରୀଙ୍କୁ ଅନୁମତି ମିଳିଥିଲା। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରୁ ୨୦ା୫ା୨୦୨୨ରେ ଅନୁମତି ମଧ୍ୟ ମିଳିଛି। ଏଥିରେ ୫ ବର୍ଷ ପାଇଁ ୮୪,୦୦୦ ଘନମିଟର ବାଲି ଉତ୍ତୋଳନ କରିବେ ବୋଲି ଦର୍ଶାଯାଇଛି। ହେଲେ ମେସିନ ଲଗାଇ ଲିଜଧାରୀ ଅନୁମତିଠାରୁ ବହୁ ଗୁଣରେ ଅଧିକ ବାଲି ଉତ୍ତୋଳନ କରି ରାଜସ୍ବ କ୍ଷତିର ଏକ ବାହାକ ସାଜିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ୨୮ା୯ା୨୦୨୧ରେ ଉକ୍ତ ବାଲିଘାଟର ଲିଜ ଅବଧି ସରି ଯାଇଥିଲା। ଏହାପରେ କୌଣସି ଅନୁମତି ନ ନେଇ ମେଶିନ ସହାୟତାରେ ବିପୁଳ ପରିମାଣର ବାଲି ଉତ୍ତୋଳନ କରାଯାଇଛି। ଏନେଇ ବେହୁରା ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତହସିଲଦାର ସ୍ବାଗତ ଦାସ ଲିଜ୍‌ଧାରୀ ଏସଟି ମିନେରାଲ୍ସର ନିର୍ଦ୍ଦେଶକ ଶ୍ରୀବାସ ଜେନାଙ୍କୁ ୨୬ା୩ା୨୦୨୨ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହି ନୋଟିସ ମିଳିବା ପରେ ଲିଜ୍‌ଧାରୀଙ୍କ ପକ୍ଷରୁ ସ୍ଥାନୀୟ ଲୋକ ବାଲି ଉତ୍ତୋଳନ କରିଛନ୍ତି ବୋଲି ଉତ୍ତର ରଖିଥିଲେ। ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ସ୍ଥାନୀୟ ଲୋକ ବେଆଇନ ଭାବେ ବାଲି ଉତ୍ତୋଳନ କରିଛନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାହିଁକି। ପ୍ରଭାବଶାଳୀ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସ୍ଥାନୀୟ ଲୋକଙ୍କ ଉପରେ ଦୋଷ ଲଦି ଦେବାକୁ ପ୍ରୟାସ କରାଯାଇଥିବା ଏଥିରୁ ସ୍ପଷ୍ଟ ବୋଲି ଅଭିଯୋଗକାରୀ ବେହୁରା ପ୍ରକାଶ କରିଛନ୍ତି।