ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ ନିଜେ ଯୁଦ୍ଧ କରି ନ ଥିଲେ। କେବେ ବି ଭଗବାନ୍‌ କୃଷ୍ଣ ନିଜକୁ ରାଜା, ସେନାପତି କିମ୍ବା ଶାସକ ଭାବେ ପରିଚୟ କରାଇ ନ ଥିଲେ କିମ୍ବା ଅର୍ଜୁନଙ୍କୁ କୌଣସି ଆଦେଶ ଦେଇ ନ ଥିଲେ। ରଥର ସାରଥି ମାତ୍ର ହୋଇ ପ୍ରଶ୍ନ, ଯୁକ୍ତି, ଜ୍ଞାନ, ଦର୍ଶନ ଓ କର୍ତ୍ତବ୍ୟବୋଧ ମାଧ୍ୟମରେ ସେ ଅର୍ଜୁନଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିଥିଲେ। ଶେଷରେ ନିଷ୍ପତ୍ତି ଅର୍ଜୁନ ନିଜେ ନେଇଥିଲେ। କୁରୁକ୍ଷେତ୍ରରେ ଭଗବାନ୍‌ କୃଷ୍ଣଙ୍କ ଭୂମିକା ନେତୃତ୍ୱର ସର୍ବୋତ୍କୃଷ୍ଟ ଉଦାହରଣ ଭାବେ ଆଜି ବି ପ୍ରାସଙ୍ଗିକ। ବାସ୍ତବରେ ନେତୃତ୍ୱ କେବଳ ଅନ୍ୟ ପକ୍ଷରୁ ନିଷ୍ପତ୍ତି ନେବାରେ ନୁହେଁ; ବରଂ ଅନ୍ୟକୁ ଠିକ୍‌ ନିଷ୍ପତ୍ତି ନେବାର ଯୋଗ୍ୟ କରିବାରେ ହିଁ ରହିଛି। ଏହି ମର୍ମରେ କୃଷ୍ଣ ଥିଲେ ଅର୍ଜୁନଙ୍କ ସାରଥି, ମାର୍ଗଦର୍ଶକ ଓ ଜଣେ ଆଦର୍ଶ ଗୁରୁ। ତେଣୁ ଆଜିର ଶିକ୍ଷା ଓ ନେତୃତ୍ୱର ସମ୍ପର୍କ ବୁଝିବା ପାଇଁ ଏହି ଦୃଷ୍ଟାନ୍ତ ଅତ୍ୟନ୍ତ ପ୍ରାସଙ୍ଗିକ ଯେଉଁଠାରେ ଶିକ୍ଷାର ଉଦ୍ଦେଶ୍ୟ ବିଦ୍ୟାର୍ଥୀଙ୍କୁ କେବଳ ଜ୍ଞାନ ପ୍ରଦାନରେ ସୀମିତ ନୁହେଁ; ବରଂ ସେମାନଙ୍କୁ ସ୍ବାଧୀନ ଭାବେ ଚିନ୍ତା କରିବା, ବିବେକପୂର୍ଣ୍ଣ ନିଷ୍ପତ୍ତି ନେବା, ଦାୟିତ୍ୱ ଗ୍ରହଣ କରିବା ଓ ଜୀବନର ଠିକ୍‌ ଦିଗ ବାଛିବା ପାଇଁ ସକ୍ଷମ କରିବାରେ ଶିକ୍ଷକଙ୍କ ଅବଦାନକୁ ପ୍ରତିପାଦନ କରେ।
ନେତୃତ୍ୱକୁ କେବଳ ପଦବୀ, ଅଧିକାର, ନିୟନ୍ତ୍ରଣ ଓ ଆଦେଶ ସହିତ ଯୋଡ଼ି ଦେଖାଗଲେ ଏହାର ପରିସର ସଂକୀର୍ଣ୍ଣ ହୋଇଥାଏ। ନେତୃତ୍ୱ କେବଳ ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ନୁହେଁ; ଜୀବନର ପ୍ରତ୍ୟେକ ସ୍ତରରେ ନେତୃତ୍ୱର ଆବଶ୍ୟକତା ରହିଛି। ପ୍ରାରମ୍ଭିକ ସ୍ତରରେ ବିଦ୍ୟାର୍ଥୀ, ଶ୍ରେଣୀକକ୍ଷରେ ଶିକ୍ଷକ, ଅନୁଷ୍ଠାନ ସ୍ତରରେ ବିଭାଗୀୟ ଓ ପ୍ରଶାସନିକ ନେତୃତ୍ୱ, ସଂଗଠନ ସ୍ତରରେ ପରିଚାଳନାଗତ ନେତୃତ୍ୱ, ସମାଜ ସ୍ତରରେ ସାମାଜିକ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ତରରେ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଆଦି ପ୍ରତ୍ୟେକ ସ୍ତର ପରସ୍ପର ସହିତ ସଂଯୁକ୍ତ। ପ୍ରାରମ୍ଭିକ ସ୍ତରରେ ବିଦ୍ୟାର୍ଥୀମାନଙ୍କ ପାଇଁ ନେତୃତ୍ୱର ଅର୍ଥ ହେଉଛି ନିଜ ଶିକ୍ଷାର ଦାୟିତ୍ୱ ନିଜେ ନେବା, ଶୃଙ୍ଖଳିତ ହେବା, ସମୟର ସଦୁପଯୋଗ କରିବା, ସହପାଠୀଙ୍କ ସହ ସହଯୋଗ କରିବା ଏବଂ ଆବଶ୍ୟକ ସମୟରେ କିଛି ଛୋଟ ଛୋଟ ଦାୟିତ୍ୱସମ୍ପନ୍ନ ସାମାଜିକ ପଦକ୍ଷେପ ନେବା। ଏହି ସ୍ତରରେ ନେତୃତ୍ୱର ଅଭ୍ୟାସ କରୁଥିବା ବିଦ୍ୟାର୍ଥୀମାନେ ଧୀରେ ଧୀରେ ଦାୟିତ୍ୱଶୀଳ ନାଗରିକରେ ପରିଣତ ହୁଅନ୍ତି । ଶ୍ରେଣୀକକ୍ଷରେ ଶିକ୍ଷକଙ୍କ ନେତୃତ୍ୱ ବିଦ୍ୟାର୍ଥୀମାନଙ୍କୁ ଉପଯୁକ୍ତ ଦିଗ, ପ୍ରେରଣା ଓ ମୂଲ୍ୟବୋଧ ଦିଏ। ଆନୁଷ୍ଠାନିକ ସ୍ତରରେ ନେତୃତ୍ୱ ଶିକ୍ଷା, ପ୍ରଶାସନ ଓ ଉନ୍ନତିକୁ ସମନ୍ବିତ କରେ। ସାମାଜିକ ସ୍ତରରେ ନେତୃତ୍ୱ ସାମୂହିକ ସମସ୍ୟାର ସମାଧାନ ଓ ସାମାଜିକ ପରିବର୍ତ୍ତନକୁ ଆଗେଇ ନିଏ, ଆଉ ରାଷ୍ଟ୍ରୀୟ ସ୍ତରରେ ନେତୃତ୍ୱ ଦୀର୍ଘକାଳୀନ ସମାଧାନ, ନୀତି ଓ ଜାତୀୟ ଲକ୍ଷ୍ୟ ନିର୍ଦ୍ଧାରଣ କରେ। ତେଣୁ ନେତୃତ୍ୱ ଉପରୁ ତଳକୁ ଆସୁଥିବା ଏକମୁଖୀ ପ୍ରକ୍ରିୟା ନୁହେଁ; ଏହା ତଳୁ ଉପରକୁ ବିକଶିତ ହେଉଥିବା ଏକ ନିରନ୍ତର ପ୍ରକ୍ରିୟା। ଆଜିର ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ କେବଳ ଭବିଷ୍ୟତର ଚାକିରିଜୀବୀ ସୃଷ୍ଟି କରିବା ନୁହେଁ ବରଂ ପ୍ରତ୍ୟେକ ସ୍ତରରେ ଦାୟିତ୍ୱ ନେଇପାରୁଥିବା ନେତୃତ୍ୱସମ୍ପନ୍ନ ବ୍ୟକ୍ତି ସୃଷ୍ଟି କରିବା। ଏହି କାରଣରୁ ନେତୃତ୍ୱର ପ୍ରଥମ ପାଠ ଆରମ୍ଭ ହେବା ଉଚିତ ବିଦ୍ୟାର୍ଥୀମାନଙ୍କଠାରୁ, ତାହାର ମୂଳଦୁଆ ଗଢ଼ାଯିବା ଉଚିତ ଶ୍ରେଣୀକକ୍ଷରେ ଏବଂ ତାହାର ପ୍ରଭାବ ସମଗ୍ର ସମାଜ ଓ ରାଷ୍ଟ୍ର ପର୍ଯ୍ୟନ୍ତ ପହଞ୍ଚତ୍ବା ଉଚିତ। ଅନ୍ୟମାନଙ୍କୁ ପ୍ରେରିତ କରିବା, ଦିଗ୍‌ଦର୍ଶନ ଦେବା, ଦାୟିତ୍ୱ ନେବାର ସାହସ ଦେବା, ସମସ୍ୟାର ସମାଧାନ ଖୋଜିବା ଓ ସାମୂହିକ ଲକ୍ଷ୍ୟ ପାଇଁ ଲୋକଙ୍କୁ ଏକତ୍ରୀକରଣ କରିବା ଆଦି ଗୁଣଗୁଡିକ ନେତୃତ୍ୱ ବିକାଶ ଦିଗରେ ଅପରିହାର୍ଯ୍ୟ । ଜଣେ ବ୍ୟକ୍ତି ସବୁ କାମ ନିଜେ କରିଦେଲେ ସେ ନିଜେ ଦକ୍ଷ ହୋଇପାରନ୍ତି; କିନ୍ତୁ ଅନ୍ୟକୁ କ୍ଷମତା ବିକଶିତ କରିବାର ସୁଯୋଗ ଦେଇ ଆଗକୁ ନେଇପାରିଲେ ନେତୃତ୍ୱ ବିକଶିତ ହୋଇଥାଏ । ଏହି ନେତୃତ୍ୱର ମୂଳରେ ରହିଛି ଶିକ୍ଷା।
ଶିକ୍ଷା ଓ ନେତୃତ୍ୱ ପରସ୍ପର ପରିପୂରକ। ଶିକ୍ଷା ନେତୃତ୍ୱର ଭିତ୍ତି ଗଢ଼େ, ଆଉ ନେତୃତ୍ୱ ଶିକ୍ଷାକୁ ବିକାଶମୁଖୀ ଓ ପ୍ରଭାବଶାଳୀ କରେ। ଶିକ୍ଷା ମନୁଷ୍ୟର ଜ୍ଞାନ, ବିବେକ, ଚିନ୍ତନଶକ୍ତି, ନିଷ୍ପତ୍ତିଗ୍ରହଣ କ୍ଷମତା ଓ ମୂଲ୍ୟବୋଧର ବିକାଶ କରି ତା’ ମଧ୍ୟରେ ନେତୃତ୍ୱର ଗୁଣ ସୃଷ୍ଟି କରେ। ଅନ୍ୟପକ୍ଷରେ ନେତୃତ୍ୱ ଏହି ଜ୍ଞାନ ଓ କ୍ଷମତାକୁ ସାମୂହିକ ଲକ୍ଷ୍ୟ ଏବଂ ସାମାଜିକ କଲ୍ୟାଣ ଦିଗରେ ପରିଚାଳିତ କରେ। ଜଣେ ଶିକ୍ଷକ ଯେତେବେଳେ ବିଦ୍ୟାର୍ଥୀମାନଙ୍କୁ ପାଠ୍ୟଜ୍ଞାନ ସହିତ ସ୍ବାଧୀନ ଭାବେ ଚିନ୍ତା କରିବା, ପ୍ରଶ୍ନ କରିବା, ସମସ୍ୟାର ସମାଧାନ ଖୋଜିବା ଓ ଦାୟିତ୍ୱ ନେବାକୁ ପ୍ରେରିତ କରନ୍ତି, ସେତେବେଳେ ଶିକ୍ଷା ନେତୃତ୍ୱର ରୂପ ନେଇଥାଏ। ସେହିପରି, ଜଣେ ଯେତେବେଳେ ଅନ୍ୟମାନଙ୍କୁ ବୁଝିବା, ଚିନ୍ତା କରିବା ଓ କ୍ଷମତାର ବିକାଶ କରିବାର ସୁଯୋଗ ଦିଅନ୍ତି, ସେତେବେଳେ ନେତୃତ୍ୱ ନିଜେ ଏକ ଶିକ୍ଷା ପ୍ରକ୍ରିୟାରେ ପରିଣତ ହୁଏ। ତେଣୁ ଶିକ୍ଷା ବିନା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ସମ୍ଭବ ନୁହେଁ ଏବଂ ନେତୃତ୍ୱ ବିନା ଶିକ୍ଷାର ସାମାଜିକ ପ୍ରୟୋଜନ ସମ୍ପୂର୍ଣ୍ଣ ହୋଇପାରେ ନାହିଁ।
ନେତୃତ୍ୱର ପ୍ରଥମ ପାଠ ଛାତ୍ରଜୀବନରୁ ଆରମ୍ଭ ହେବା ଆବଶ୍ୟକ। ଶିକ୍ଷାର ଉଦ୍ଦେଶ୍ୟ କେବଳ ପାଠ୍ୟପୁସ୍ତକର ଜ୍ଞାନ ଅର୍ଜନ କରିବା କିମ୍ବା ପରୀକ୍ଷାରେ ଭଲ ନମ୍ବର ପାଇବାରେ ସୀମିତ ରହିପାରେ ନାହିଁ। ଜୀବନର ବିଭିନ୍ନ ପରିସ୍ଥିତିରେ ନିଜେ ନିଷ୍ପତ୍ତି ନେବା, ଦାୟିତ୍ୱ ଗ୍ରହଣ କରିବା, ଦଳଗତ ଭାବରେ କାମ କରିବା, ଭିନ୍ନ ମତକୁ ସମ୍ମାନ କରିବା, ବିଫଳତାରୁ ଶିଖିବା ଏବଂ ସମାଜ ପ୍ରତି ଦାୟିତ୍ୱଶୀଳ ହେବା ଆଦି ଗୁଣଗୁଡ଼ିକର ବିକାଶ ଛାତ୍ରଜୀବନରୁ ଆରମ୍ଭ ହେବା ଉଚିତ। ନେତୃତ୍ୱ ବିକାଶ ପାଇଁ ଅଲଗା କୌଣସି ପରିବେଶର ଆବଶ୍ୟକତା ନାହିଁ; କୌଣସି ଶିକ୍ଷାନୁଷ୍ଠାନର ଏକ ଛୋଟ ଶ୍ରେଣୀକକ୍ଷ ନେତୃତ୍ୱ ବିକାଶର ପରୀକ୍ଷାଗାର ମଧ୍ୟ ହୋଇପାରେ। ଆଲୋଚନା, ବିତର୍କ, ଦଳଗତ କାର୍ଯ୍ୟ, ଉପସ୍ଥାପନା, ସାମାଜିକ ସେବା ଓ ନବସୃଜନମୂଳକ କାର୍ଯ୍ୟ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ନିଜ ଚିନ୍ତା ପ୍ରକାଶ, ଦଳ ପରିଚାଳନା, ସମସ୍ୟା ସମାଧାନ ଓ ନିଷ୍ପତ୍ତି ଗ୍ରହଣର ଶିକ୍ଷା ଦିଆଯାଇପାରେ। ନେତୃତ୍ୱ ନେବା ଓ ଦାୟିତ୍ୱ ପାଳନ କରିବାର କଳା ଆହରଣ କଲେ ଶିକ୍ଷା ଅଧିକ ଜୀବନମୁଖୀ ହୋଇପାରିବ। ଏହି ପରିସ୍ଥିତିରେ ଶିକ୍ଷକଙ୍କ ଭୂମିକା ଜ୍ଞାନଦାତାରୁ ମାର୍ଗଦର୍ଶକ, ପରାମର୍ଶଦାତା, ପ୍ରେରକ ଭାବେ ବିକଶିତ ହେବା ଆବଶ୍ୟକ। ଇଣ୍ଟରନେଟ ଓ ଡିଜିଟାଲର ଆଜିର ଦୁନିଆରେ ସୂଚନା ସହଜଲଭ୍ୟ I ତେଣୁ ଶିକ୍ଷକଙ୍କ କାମ କେବଳ କ’ଣ ଜାଣିବା ପର୍ଯ୍ୟାପ୍ତ ନୁହେଁ; ବରଂ କିପରି ଭାବିବା, କିପରି ନିଷ୍ପତ୍ତି ନେବା ଓ ଜ୍ଞାନକୁ କିପରି ଦାୟିତ୍ୱଶୀଳ ଭାବେ ବ୍ୟବହାର କରିବା ଆଦି ଶିକ୍ଷାଦାନର ବିଷୟ ମଧ୍ୟ ହେବା ଉଚିତ । ଏ.ଆଇ. ଯୁଗରେ ଏହି ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ଏ.ଆଇ. ସୂଚନା ଦେଇପାରେ, କିନ୍ତୁ ତାହାର ସଠିକତା ପରୀକ୍ଷା କରିବା, ବିବେକପୂର୍ଣ୍ଣ ବିଶ୍ଳେଷଣ, ନୈତିକ ବିଚାର ଓ ମାନବୀୟ ସମ୍ବେଦନଶୀଳତା ବିକାଶ କରାଇବା ଶିକ୍ଷକଙ୍କ ଦାୟିତ୍ୱ। ତେଣୁ ଏ.ଆଇ. ଶିକ୍ଷକଙ୍କ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ଏହାର ଠିକ୍‌ ବ୍ୟବହାର ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରିପାରେ।
ଶିକ୍ଷକଙ୍କୁ ଯଥୋଚିତ ସାମାଜିକ ସମ୍ମାନ ସହିତ ଶିକ୍ଷାଦାନରେ ସ୍ବାଧୀନତା, ଗବେଷଣାର ସୁଯୋଗ, ନିରନ୍ତର ପ୍ରଶିକ୍ଷଣ ଓ ଉପଯୁକ୍ତ କାର୍ଯ୍ୟପରିବେଶ ଦେବା ଆବଶ୍ୟକ। ଶିକ୍ଷକଙ୍କୁ ଯଦି କେବଳ ଦାୟିତ୍ୱ ଦିଆଯାଏ କିନ୍ତୁ ଆବଶ୍ୟକ ସମ୍ପଦ, ସମୟ ଓ ସ୍ବାଧୀନତା ଦିଆଯାଏ ନାହିଁ, ତେବେ ତାଙ୍କଠାରୁ ଉତ୍କୃଷ୍ଟ ନେତୃତ୍ୱ ଆଶା କରିବା ଯୁକ୍ତିସଙ୍ଗତ ନୁହେଁ। ଶିକ୍ଷକଙ୍କ ଆଚରଣ ଓ ଉଚ୍ଚାରଣ ମଧ୍ୟ ବିଦ୍ୟାର୍ଥୀଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ସମୟନିଷ୍ଠା, ସତ୍ୟନିଷ୍ଠା, ଶୃଙ୍ଖଳା, ସହିଷ୍ଣୁତା ଓ ଦାୟିତ୍ୱବୋଧ ଶିକ୍ଷକଙ୍କ ଜୀବନରେ ପ୍ରତିଫଳିତ ହେଲେ, ବିଦ୍ୟାର୍ଥୀମାନେ ତାହାକୁ ଅନୁସରଣ କରି ନେତୃତ୍ୱର ମୂଲ୍ୟବୋଧ ଶିଖନ୍ତି। ଏଥିପାଇଁ ଶିକ୍ଷକଙ୍କୁ ମଧ୍ୟ ଜଣେ ଆଜୀବନ ଶିକ୍ଷାର୍ଥୀ ଭାବେ ମାନବିକ ମୂଲ୍ୟବୋଧର ପ୍ରସାର ତଥା ନୂତନ ଜ୍ଞାନ, ପ୍ରଯୁକ୍ତି ଓ ଶିକ୍ଷଣ ପଦ୍ଧତି ସହିତ ନିଜକୁ ନବୀକରଣ କରିବାକୁ ପଡ଼ିବ । ଶିକ୍ଷା ହେଉଛି ନେତୃତ୍ୱର ଭିତ୍ତି, ଶ୍ରେଣୀକକ୍ଷ ହେଉଛି ନେତୃତ୍ୱର ପ୍ରଥମ ପାଠଶାଳା ଏବଂ ଶିକ୍ଷକମାନେ ହେଉଛନ୍ତି ଭବିଷ୍ୟତ ନେତୃତ୍ୱର ଶିଳ୍ପୀ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ଡ. ରଜନୀକାନ୍ତ ଖୁଣ୍ଟିଆ
ସହକାରୀ ପ୍ରାଧ୍ୟାପକ,
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ,
ମୋ: ୯୯୩୭୨୮୫୬୭୨

Dharitri – Odisha’s No.1 Odia Daily

 

Share