ମମତାପଲରେ ୪ଜି ଟାଓ୍ବାର ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୧୪।୧: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବେତନଟୀ ବ୍ଲକର ମମତାପଲ ଗ୍ରାମରେ ୪ଜି ଟାଓ୍ବାରର ଭିତ୍ତିପ୍ରସ୍ତର ହୋଇଯାଇଛି। ଏପରିକି ଓଡ଼ିଶାରେ ସ୍କିପର ଲିମିଟେଡ୍‌ ଜରିଆରେ ୪ଜି ଟାଓ୍ବାର ସାଚୁରେଶନ ପ୍ରୋଜେକ୍ଟ (ସଂତୃପ୍ତୀକରଣ ପ୍ରକଳ୍ପ) କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଉଭୟ ବିଏସ୍‌ଏନ୍‌ଏଲ୍‌ ତଥା ସ୍କିପର ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ସ୍କିପର ଲିମିଟେଡ୍‌ର ନିର୍ଦ୍ଦେଶକ ସରନ୍‌ ବଂଶଲ କହିଛନ୍ତି, ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପିଙ୍କ ଉପସ୍ଥିତି ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଗ୍ରାମାଞ୍ଚଳ କ୍ଷେତ୍ରରେ ମୋବାଇଲ ସଂଯୋଗୀକରଣ, ଯୋଗାଣ ତଥା ଏ ଦିଗରେ ସରକାରଙ୍କର ଦୂରଦୃଷ୍ଟିକୁ ଆହୁରି ପ୍ରଶସ୍ତ କରିବା ସହିତ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଏବଂ ତତ୍‌ସହିତ ଆମର ଯତ୍‌କିଞ୍ଚତ୍ତ୍‌ ଅଂଶଗ୍ରହଣ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ,ସ୍କିପର ଲିମିଟେଡ୍‌ ହେଉଛି, ଶକ୍ତି ସଞ୍ଚାରଣ ଓ ବଣ୍ଟନ ସରଞ୍ଚନା ତଥା ଯୋଗାଯୋଗ ଏବଂ ରେଳବାଇ ସରଞ୍ଚନା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ନିର୍ମାଣ ପ୍ରତିଷ୍ଠାନ। ଉକ୍ତ ପ୍ରତିଷ୍ଠାନ ତା’ର ଓଡ଼ିଶାର ମୟୂରଭଞ୍ଜ ଜିଲା ମମତାପଲ ଗ୍ରାମରେ କାର୍ଯ୍ୟକ୍ଷମ ୪ଜି (ସଂତୃପ୍ତୀକରଣ ପ୍ରକଳ୍ପ) ସ୍ଥାନର ପରିଦର୍ଶନ ସହ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।