ମହାନଦୀ ଉପରେ ୨ ସେତୁର ଶିଳାନ୍ୟାସ

ଜଗତ୍‌ସିଂହପୁର ଅଫିସ୍‌/ ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଜଗତ୍‌ସିଂହପୁର ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାନଦୀ ଉପରେ ୨ଟି ସେତୁର ଶିଳାନ୍ୟାସ କରିଛନ୍ତି। ତାହା ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ତିର୍ତ୍ତୋଲ-ପୋଷଲ ହାଇଲେଭଲ୍‌ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ୮୨.୫୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଜଇପୁର-କଟିକଟା ହାଇଲେଭଲ୍‌ ସେତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ସରକାର ଓଡ଼ିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମା’ ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ନୌବାଣିଜ୍ୟ କ୍ଷେତ୍ରରେ ତିର୍ତ୍ତୋଲ ବିଶେଷକରି ଜଗତ୍‌ସିଂହପୁର ଜିଲାର ଅବଦାନକୁ ସେ ସ୍ମରଣ କରିଛନ୍ତି। କରୋନା ଲଢ଼େଇ ସହ ବିକାଶ କାମ ଜାରି ରହିବ। ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବାକୁ ହେବ। ଉଭୟ କରୋନା ଲଢ଼େଇ ଓ ବିକାଶ କାମରେ ଜନସାଧାରଣଙ୍କୁ ସହଯୋଗ ଦରକାର। ଏହି ଦୁଇଟି ସେତୁ ଦ୍ୱାରା ତିର୍ତ୍ତୋଲ ସହ କଟକ ଓ କେନ୍ଦ୍ରାପଡ଼ା ଜିଲାର ୨୮ ପଞ୍ଚାୟତର ପ୍ରାୟ ଦେଢ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଢେଙ୍କାନାଳରୁ ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଯୋଗଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୃଢ଼ ସଂକଳ୍ପ ନେଇ ଓଡ଼ିଶାର ବିକାଶ କାର୍ଯ୍ୟ କରି ଆସୁଛନ୍ତି। ଏହି ଦୁଇଟି ସେତୁ ଠିକ୍‌ ସମୟରେ ସମ୍ପୂର୍ଣ୍ଣ କରାଯିବ। ଏହା ବିକାଶ ପ୍ରକ୍ରିୟାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଗମନାଗମନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି। ଏହି ଦୁଇଟି ସେତୁ ଦ୍ୱାରା ତିର୍ତ୍ତୋଲ, ପାଟକୁରା ଓ ମାହାଙ୍ଗା ଅଞ୍ଚଳର ଦେଢ଼ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ସେହିପରି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ୨ ସେତୁ ଜିଲାର ବିକାଶ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ। ଏହି ଅବସରରେ ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ବକ୍ତବ୍ୟ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ସଂଗ୍ରାମ ମହାପାତ୍ର ସ୍ବାଗତ ଭାଷଣ ଓ ଶେଷରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ। ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ।
ସୂଚନାଥାଉ କି, ବରିଷ୍ଠ ବିଜେଡି ନେତା ତଥା ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପରଲୋକ ପରେ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏଭଳିସ୍ଥଳେ ଉପରୋକ୍ତ ୨ ସେତୁର ଶିଳାନ୍ୟାସ ତିର୍ତ୍ତୋଲ ସମେତ ଜଗତ୍‌ସିଂହପୁର ଜିଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି ବୋଲି ଆଲୋଚନା ହେଉଛି।