ଲକ୍ଷ୍ମୀଦତ୍ତ ହତ୍ୟା ମାମଲା, ସାକ୍ଷ୍ୟ ଦେଲେ ବଡ଼ଭାଇ

ଛତ୍ରପୁର,୨୧ା୧(ଡି.ଏନ୍‌.ଏ.): ଛତ୍ରପୁର ଏନ୍‌ଏସିର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ବିଚାର ଛତ୍ରପୁର ଏଡିଜେ କୋର୍ଟରେ ବୁଧବାରଠାରୁ ଆରମ୍ଭ ହୋଇଛି। ବୁଧବାର ଲକ୍ଷ୍ମୀଦତ୍ତଙ୍କ ଭାଇ ତଥା ଏତଲାକାରୀ ଦେବୀଦତ୍ତ ପ୍ରଧାନ ସାକ୍ଷ୍ୟ ପ୍ରଦାନ କରିଥିଲେ। ଗୁରୁବାର ତାଙ୍କ ବଡ଼ଭାଇ ସଞ୍ଜୀବ ପ୍ରଧାନ ସାକ୍ଷ୍ୟ ଦେଇଛନ୍ତି। ହତ୍ୟା ମାମଲାରେ ସେ ୧୫ ଜଣଙ୍କୁ ଚିହ୍ନଟ କରିଛନ୍ତି। ଏଡିଜେ ରାଜା ରଞ୍ଜନ ପାଢ଼ୀ ସାକ୍ଷ୍ୟ ଗ୍ରହଣ କରିଥିଲେ । ଏହି ମାମଲାରେ ୫୪ ଜଣ ସାକ୍ଷୀ ରହିଛନ୍ତି। ଶୁକ୍ରବାର ମଧ୍ୟ ସାକ୍ଷ୍ୟ ଗ୍ରହଣ ହେବ ବୋଲି ଜଣାପଡିଛି । ସ୍ପେଶାଲ ପିପି ତ୍ରିଲୋଚନ ପରିଡ଼ା ମାମଲା ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୧୬ରେ ଲକ୍ଷ୍ମୀଦତ୍ତଙ୍କୁ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୧ ଜଣ ଗିରଫ ହୋଇଥିଲେ । ଛତ୍ରପୁର ଥାନାରେ ନଂ.୧୩୧/୧୭ ଓ କୋର୍ଟ ଏସ୍‌ଟି ନଂ.୨୬/୧୯ରେ ମାମଲା ରହିଛି । ଦୀର୍ଘ ୩ ବର୍ଷ ପରେ ମାମଲାର ବିଚାର ଆରମ୍ଭ ହୋଇଛି ।