ଗଣବଳାତ୍କାର ମାମଲାରେ ଦୋଷୀଙ୍କ ପାଇଁ ଲଢିବୁନି

ଜୟପୁର,୫ା୧ (ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଘଟଣାର ୧୦ ଦିନ ପରେ ମଙ୍ଗଳବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ହେଲେ ଜୟପୁର ସଦର ଥାନା ଅଧୀନ କୁସୁମପୁଟର ମୀନ ବାରିକ। ପାଡୁଆ ଜଙ୍ଗଲରୁ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ହେଲେ ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଲାଲବାହାଦୁର ଦର୍ଜି ଫେରାର ଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାମରେ ଜୟପୁର ସଦର ଓ କୋରାପୁଟ ସଦର ଥାନାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ତାଙ୍କ ପାଇଁ କୌଣସି ଓକିଲ ମାମଲା ଲଢ଼ିବେ ନାହିଁ ବୋଲି ଓକିଲ ସଂଘ ନିଷ୍ପତ୍ତି ନେଇଛି।

ଗଣବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଭାଜପା ପକ୍ଷରୁ ଜୟପୁର ବନ୍ଦ କରାଯାଇଥିଲା। ଏପରି କି କଂଗ୍ରେସ ପକ୍ଷରୁ ଏସ୍‌ଡିପିଓ ଅଫିସ ସମ୍ମୁଖରେ ଗଣଧାରଣା ଓ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନ ହେଲେ ଜାନୁୟାରୀ ୭ରେ କୋରାପୁଟ ବନ୍ଦ ଓ ୯ରେ ନବୀନ ନିବାସ ଘେରାଉ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଚେତାବନୀ ଦେଇଥିଲେ।