ନ୍ୟାୟ ଏକ ସୁସ୍ଥ ଓ ସମତାଭିତ୍ତିକ ସମାଜର ମୂଳଦୁଆ। କିନ୍ତୁ ଆଇନ ଓ ନ୍ୟାୟ ବ୍ୟବସ୍ଥା ଯଥେଷ୍ଟ ନୁହେଁ; ପ୍ରତ୍ୟେକ ନାଗରିକ ଯେତେବେଳେ ନିଜ ଅଧିକାର ସମ୍ପର୍କରେ ଅବଗତ ହୁଅନ୍ତି ଏବଂ ଆବଶ୍ୟକ ସମୟରେ ଆଇନଗତ ସହାୟତା ପାଇଥାନ୍ତି, ସେତେବେଳେ ନ୍ୟାୟର ଉଦ୍ଦେଶ୍ୟ ସାଧିତ ହୁଏ। ଦୁର୍ଭାଗ୍ୟବଶତଃ ଏବେ ସମାଜର ଏକ ବୃହତ ଅଂଶ ନିଜର ଆଇନଗତ ଅଧିକାର ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଯଥେଷ୍ଟ ସଚେତନ ନୁହେଁ। ବିଶେଷକରି ଗ୍ରାମାଞ୍ଚଳର ଲୋକମାନେ ଭୌଗୋଳିକ ଦୂରତା, ଆର୍ଥିକ ଅସୁବିଧା, ଡିଜିଟାଲ୍ ସୁବିଧାର ଅଭାବ ଓ ଆଇନଗତ ପ୍ରକ୍ରିୟାର ଜଟିଳତା ଯୋଗୁ ନ୍ୟାୟ ପାଇବାରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ଫଳରେ ଅନେକ ଲୋକ ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ହେବା ସହିତ ନ୍ୟାଯ୍ୟ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି। ଏହା ସ୍ପଷ୍ଟ କରେ ଯେ, ନ୍ୟାୟ ବ୍ୟବସ୍ଥା ଉପଲବ୍ଧ ହେବା ସହିତ ତାହା ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚିବା ଜରୁରୀ।
କାର୍ଯ୍ୟକୁ ସୁଗମ କରିବା ଏବଂ ଆନ୍ତଃ-ଏଜେନ୍ସି ସମନ୍ବୟକୁ ସୁଦୃଢ଼ କରିବା ପାଇଁ ନ୍ୟାୟ ସେତୁକୁ ପୋଲିସ ପାଇଁ ଏକ ଉତ୍ସର୍ଗୀକୃତ ଡିଜିଟାଲ୍ ପ୍ଲାଟଫର୍ମ ଭାବରେ ଆରମ୍ଭ କରାଯାଇଛି। ଏହା ଅପରାଧ ନ୍ୟାୟ ବ୍ୟବସ୍ଥାର ତଥ୍ୟକୁ ଏକୀକୃତ କରେ, ଯାହା ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କୁ ନିଷ୍ପତ୍ତି ନେବା, ବିଳମ୍ବ ହ୍ରାସ କରିବା ଏବଂ ମାମଲା ଫଳାଫଳକୁ ଉନ୍ନତ କରିବା ପାଇଁ ସକ୍ଷମ କରିଥାଏ। ନ୍ୟାୟ ସେତୁ ଜଣେ ଅଧିକାରୀଙ୍କ ପଦବୀ ଏବଂ ଦାୟିତ୍ୱ ଅନୁସାରେ ସୁରକ୍ଷିତ, ପ୍ରାସଙ୍ଗିକ ଏବଂ ଆବଶ୍ୟକତା-ଭିତ୍ତିକ ଡାଟା ଉପଲବ୍ଧତା ସୁନିଶ୍ଚିତ କରେ। ସୂଚନା ବିନିମୟକୁ ସକ୍ଷମ ତଥା ଡାଟା-ଚାଳିତ ପୋଲିସିଂକୁ ପ୍ରୋତ୍ସାହିତ କରି ପ୍ଲାଟଫର୍ମ ଫୌଜଦାରି ନ୍ୟାୟ ପ୍ରଣାଳୀର ଦକ୍ଷତା, ସ୍ବଚ୍ଛତା ଏବଂ ଦାୟିତ୍ୱ ବୃଦ୍ଧି କରେ।
ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାର ଆଧୁନିକୀକରଣର ଅଂଶ ଭାବରେ ନ୍ୟାୟ ସେତୁ ଏକ ଏକୀକୃତ ଡିଜିଟାଲ୍ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ। ଏହା ଆଇନ ପ୍ରବର୍ତ୍ତନ ଏବଂ ନ୍ୟାୟର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭଗୁଡ଼ିକୁ ପରସ୍ପର ସହିତ ସଂଯୋଗ କରେ। ଏହା ପୋଲିସ, ମେଡିକାଲ୍, ଫୋରେନସିକ୍, ପ୍ରସିକ୍ୟୁଶନ ଏବଂ ଜେଲ ବିଭାଗଗୁଡ଼ିକୁ ଗୋଟିଏ ଡ୍ୟାସବୋର୍ଡରେ ସଂଯୋଗ କରେ। ଓଡ଼ିଶାରେ ତଦନ୍ତକାରୀ ଅଧିକାରୀ ଏବଂ କୋର୍ଟ ଅଧିକାରୀମାନେ ଗୋଟିଏ କ୍ଲିକ୍ ମାଧ୍ୟମରେ ପ୍ରାସଙ୍ଗିକ କ୍ରସ୍-ଡିପାର୍ଟମେଣ୍ଟାଲ୍ ସୂଚନା ପାଇପାରିବେ। ଏହା ଅମଲାତାନ୍ତ୍ରିକ ବିଳମ୍ବକୁ ଦୂର କରେ, ସମନ୍ବୟକୁ ଉନ୍ନତ କରେ ଏବଂ ତଦନ୍ତରୁ ବିଚାର ପର୍ଯ୍ୟନ୍ତ ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ।
ଏହି ପରିପ୍ରେକ୍ଷୀରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଥିବା ‘ନ୍ୟାୟ ସେତୁ’ ପ୍ରକଳ୍ପ ଏକ ଉଲ୍ଲେଖନୀୟ ପଦକ୍ଷେପ। ସେଣ୍ଟ୍ରାଲ୍ କୋଲଫିଲ୍ଡସ୍ ଲିମିଟେଡ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଭାବେ ଏହାକୁ ରାଞ୍ଚିସ୍ଥିତ ନ୍ୟାଶନାଲ୍ ୟୁନିଭର୍ସିଟି ଅଫ୍ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ୍ ଲ’ର ସହଯୋଗରେ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ଆଇନଗତ ସଚେତନତା ବୃଦ୍ଧି, ଆଇନ ସମ୍ବନ୍ଧୀୟ ସାକ୍ଷରତାର ପ୍ରସାର ଏବଂ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସହଭାଗିତାକୁ ସୁଦୃଢ଼ କରିବା। ଏହା ମାଧ୍ୟମରେ ଆଇନଗତ ଅଧିକାର ଏବଂ ସେହି ଅଧିକାରକୁ ଉପଭୋଗ କରିବା ମଧ୍ୟରେ ଥିବା ଦୂରତା ହ୍ରାସ କରିବାର ପ୍ରୟାସ କରାଯାଉଛି। ଏହି ପ୍ରକଳ୍ପର ଦୃଷ୍ଟିକୋଣ କେବଳ ଆଇନ ବିଷୟରେ ସୂଚନା ପ୍ରଦାନ କରିବାରେ ସୀମିତ ନୁହେଁ। ବରଂ ଲୋକମାନେ ନିଜ ଅଧିକାରକୁ ବୁଝିବା, ନିଜ ସମସ୍ୟା ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିବା ଏବଂ ଉପଯୁକ୍ତ ଆଇନଗତ ପ୍ରତିକାର ପାଇବା ପାଇଁ ସକ୍ଷମ ହେବା ଉପରେ ଏହା ଗୁରୁତ୍ୱ ଦିଏ।
ନ୍ୟାୟ ସେତୁ ପ୍ରକଳ୍ପର କାର୍ଯ୍ୟପରିସର ଝାଡ଼ଖଣ୍ଡର ରାଞ୍ଚି ଓ ରାମଗଡ଼ ଜିଲାର ବିଭିନ୍ନ ଅଞ୍ଚଳକୁ ଆବୃତ କରୁଛି। ଏହାର ପ୍ରସାରଣ ଯୋଜନାରେ ଖେଲାରୀ, ବୁର୍ମୁ, କାଙ୍କେ, ରାଟୁ, ଓରମାଞ୍ଜି, ଚାନ୍ହୋ, ମାଣ୍ଡର, ରାମଗଡ଼, ପତ୍ରାତୁ, ଚିତରପୁର, ଦୁଲମି ଓ ଗୋଲା ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡ଼ିକରେ ଆଇନଗତ ସେବାର ସୀମିତ ଉପଲବ୍ଧତା ଓ ସଚେତନତାର ଅଭାବକୁ ଦୃଷ୍ଟିରେ ରଖି ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଇନ ସଚେତନତା ଶିବିର, ତଥ୍ୟ ସଂଗ୍ରହ, ଆଇନଗତ ପରାମର୍ଶ ଓ ଅଧିକାରଭିତ୍ତିକ ଆଲୋଚନା ମାଧ୍ୟମରେ ଲୋକଙ୍କୁ ଉପଲବ୍ଧ ଆଇନଗତ ସେବା ସମ୍ପର୍କରେ ଅବଗତ କରାଯିବ। ଏପରି ପଦକ୍ଷେପ ଆଇନ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବା ସହିତ ନ୍ୟାୟ ପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ଲୋକାଭିମୁଖୀ କରିବାରେ ସହାୟକ ହେବ।
କେବଳ ଅଧିକାର ବିଷୟରେ ଜାଣିବା ଯଥେଷ୍ଟ ନୁହେଁ; ଆବଶ୍ୟକ ସମୟରେ ସେହି ଅଧିକାରର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ଜ୍ଞାନ ମଧ୍ୟ ରହିବା ଆବଶ୍ୟକ। ଏହି ମୌଳିକ ଧାରଣାକୁ ଆଧାର କରି ନ୍ୟାୟ ସେତୁ ପ୍ରକଳ୍ପ ଆଇନଗତ ସାକ୍ଷରତାକୁ ବ୍ୟବହାରିକ ଜୀବନ ସହିତ ଯୋଡ଼ିବାକୁ ଉଦ୍ୟମ କରୁଛି। ଏହି ପ୍ରକ୍ରିୟାରେ ଲୋକଙ୍କ ସମସ୍ୟା ଶୁଣିବା, ଅଭିଯୋଗର ପ୍ରକୃତି ବୁଝିବା, ଆବଶ୍ୟକ ଆଇନଗତ ପରାମର୍ଶ ପ୍ରଦାନ କରିବା ଏବଂ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥା ସହିତ ସଂଯୋଗ ସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଫଳରେ ଲୋକମାନେ ନିଜ ସମସ୍ୟାର ସମାଧାନ ପାଇଁ କେଉଁଠାକୁ ଯିବେ, କେଉଁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବେ ଏବଂ କେଉଁ ଆଇନଗତ ବ୍ୟବସ୍ଥାର ସହାୟତା ନେବେ, ସେ ସମ୍ପର୍କରେ ଅଧିକ ସ୍ପଷ୍ଟ ଧାରଣା ପାଇପାରିବେ।
ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ରହିଛି, ଯାହାର ସମାଧାନ ଆଇନଗତ ଅଧିକାର ଓ ପ୍ରଶାସନିକ ବ୍ୟବସ୍ଥା ସହିତ ଜଡ଼ିତ। ପେନସନ୍ ପ୍ରଦାନରେ ବିଳମ୍ବ, ସାମାଜିକ ସୁରକ୍ଷା ଯୋଜନାର ସୁବିଧା ନ ମିଳିବା, ମହିଳାଙ୍କ ଅଧିକାର ଏବଂ ଅନ୍ୟାନ୍ୟ ମୌଳିକ ସମସ୍ୟା ଏହାର ଉଦାହରଣ। ଏପରି ସମସ୍ୟାର ସମାଧାନ ପାଇଁ ଅଭିଯୋଗ ଶୁଣିବା ସହ ଅଭିଯୋଗକାରୀଙ୍କୁ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ସହିତ ଯୋଡ଼ିବା ଜରୁରୀ। ନ୍ୟାୟ ସେତୁ ପ୍ରକଳ୍ପ ଏହି ଦିଗରେ ମାର୍ଗଦର୍ଶନ ଓ ସମନ୍ବୟକୁ ଗୁରୁତ୍ୱ ଦେଉଛି। ଏହା ମାଧ୍ୟମରେ ଲୋକଙ୍କ ଅଭିଯୋଗର ପ୍ରକୃତି ଚିହ୍ନଟ କରିବା, ସମସ୍ୟାର ଗମ୍ଭୀରତା ବୁଝିବା ଓ ଉପଯୁକ୍ତ ସମାଧାନର ପଥ ନିର୍ଦ୍ଧାରଣ କରିବା ସମ୍ଭବ ହୋଇପାରିବ।
ପ୍ରକୃତ ସମାବେଶୀ ନ୍ୟାୟ ବ୍ୟବସ୍ଥା ସେତେବେଳେ ଗଢ଼ିଉଠିପାରିବ, ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗର ଲୋକ ନିଜ ଅଧିକାର ସମ୍ପର୍କରେ ଜାଣିବା ସହିତ ନ୍ୟାୟ ପାଇବା ପାଇଁ ସମାନ ସୁଯୋଗ ପାଇବେ। ଏଥିପାଇଁ ଆଇନଗତ ସଂସ୍ଥା, ପ୍ରଶାସନ, ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ବୟ ଅତ୍ୟନ୍ତ ଆବଶ୍ୟକ। ନ୍ୟାୟ ସେତୁ ପ୍ରକଳ୍ପ ଏହି ସମନ୍ବୟକୁ ସୁଦୃଢ଼ କରିବାର ଏକ ପ୍ରୟାସ। ଏହାର ସଫଳତା କେବଳ ଆୟୋଜିତ ଶିବିର କିମ୍ବା ପ୍ରଦାନ କରାଯାଇଥିବା ସୂଚନାରେ ମାପ କରାଯାଇପାରିବ ନାହିଁ; ବରଂ ଏହା ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆଣିପାରୁଛି, ତାହା ଏହାର ପ୍ରକୃତ ମୂଲ୍ୟାୟନର ଆଧାର ହେବ। ନ୍ୟାୟ କେବଳ ଆଇନଗତ ଧାରଣା ନୁହେଁ; ଏହା ମାନବୀୟ ମର୍ଯ୍ୟାଦା, ସମାନତା ଓ ସାମାଜିକ ନ୍ୟାୟର ମୂଳଭିତ୍ତି। ନ୍ୟାୟ ବ୍ୟବସ୍ଥାର ସୁଫଳ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରେ। ‘ନ୍ୟାୟ ସେତୁ’ ପ୍ରକଳ୍ପର ମୂଳ ବାର୍ତ୍ତା ହେଉଛି-ନ୍ୟାୟ କେବଳ ଉପଲବ୍ଧ ହେବା ଯଥେଷ୍ଟ ନୁହେଁ, ଏହା ସମସ୍ତଙ୍କ ପାଇଁ ସୁଗମ ଓ ପ୍ରାପ୍ୟ ହେବା ଆବଶ୍ୟକ। ଆଇନ ଓ ଜନସାଧାରଣଙ୍କ ମଧ୍ୟରେ ଏକ ଦୃଢ଼ ସେତୁ ନିର୍ମାଣ କରିବା ହିଁ ଏହି ପ୍ରୟାସର ସାର୍ଥକତା। ଏହିପରି ପ୍ରକଳ୍ପର ଆବଶ୍ୟକତା ଓଡ଼ିଶା ସମେତ ସମଗ୍ର ଦେଶରେ ରହିଛି। ତେଣୁ ତୃଣମୂଳ ସ୍ତରରେ ନ୍ୟାୟ ବ୍ୟବସ୍ଥାକୁ ପହଞ୍ଚାଇବାକୁ ହେଲେ ପ୍ରତ୍ୟେକ ଜିଲାରେ ନ୍ୟାୟ ସେତୁ ପରି ପ୍ରକଳ୍ପକୁ ପ୍ରତିଷ୍ଠା କରିବାକୁ ପଡ଼ିବ। କାରଣ ପ୍ରକୃତ ନ୍ୟାୟ ସେତେବେଳେ ସମ୍ଭବ, ଯେତେବେଳେ ନ୍ୟାୟ ସମସ୍ତଙ୍କ ପାଇଁ ହୁଏ।
ଡ. ସମୀର କୁମାର ନନ୍ଦ
କଚେରି ସାହି, ଦେବଗଡ଼
ମୋ: ୯୪୩୭୨୧୮୯୧୭