ପୋଲିସ ସହ ଆଇନ ବିଦ୍ୟାର୍ଥୀଙ୍କ ବୃତ୍ତିଗତ ସମ୍ପର୍କ ଆରମ୍ଭ: ଡିଜିପି

କଟକ ଅଫିସ,୧୯ା୧୧: ଓଡ଼ିଶା ପୋଲିସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡିଜିପି ସୁନୀଲ ବଂଶଲ ଯୋଗଦେଇ ଏହି ଏମ୍‌ଓୟୁ ଏକ ଅନନ୍ୟ କାର୍ଯ୍ୟକ୍ରମ ଓ ଏହା ନିଶ୍ଚିତ ଫଳପ୍ରଦ ହେବ ବୋଲି କହିଥିଲେ। ଏଥିରେ ଏନ୍‌ଏଲ୍‌ୟୁର ଛାତ୍ର ଓ ପୋଲିସ ବିଭାଗ ଉପକୃତ ହେବେ। ଏହାଦ୍ୱାରା ପୋଲିସ ସହ ଆଇନ ବିଦ୍ୟାର୍ଥୀଙ୍କ ବୃତ୍ତିଗତ ସମ୍ପର୍କ ଆରମ୍ଭ ହେଲା ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ବେଦ୍‌ କୁମାରୀ ପୋଲିସ ବିଭାଗ ସହ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏକତ୍ର କାମ କରିବାରେ ଏମ୍‌ଓୟୁକୁ ଏକ ଭିତ୍ତିସ୍ତମ୍ଭ ଭାବେ ବର୍ଣ୍ଣନା କରିଥିଲେ।
ପୋଲିସ ମୁଖ୍ୟାଳୟର ଆଇପିଏସ୍‌ ମେସ୍‌ର ଆର. କେ. ପାଢ଼ୀ ମେମୋରିଆଲ ହଲ୍‌ରେ ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ପକ୍ଷରୁ କ୍ରାଇମବ୍ରାଞ୍ଚ (ଆଇଜି) ଅମିତେନ୍ଦ୍ର ନାଥ ସିହ୍ନା ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳସଚିବ ପ୍ରଫେସର ରଙ୍ଗିଣ ପଲ୍ଲବ ତ୍ରିପାଠୀ ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ। ଏଥିରେ ଡିଜିପି ବଂଶଲ ଓ ବିଶ୍ୱବିଦ୍ୟାଳୟ କୁଳପତି ଉପସ୍ଥିତ ଥିଲେ।
ଏହି ଏମ୍‌ଓୟୁ ସ୍ବାକ୍ଷରିତ ହେବା ପରେ ଓଡ଼ିଶା ପୋଲିସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ନୂତନ ବୃତ୍ତିଗତ ସମ୍ପର୍କ ଆରମ୍ଭ ହୋଇଛି, ଯାହାକି ପାରସ୍ପରିକ ସହଯୋଗ ଓ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା ପୋଲିସ-ଏକାଡେମିଆ ଇଣ୍ଟରାକ୍ସନ ଫୋରମ ନାମରେ ଏକ ଆନୁଷ୍ଠାନିକ କୌଶଳ ସୃଷ୍ଟି କରାଯାଇଛି। ଯଦ୍ଦ୍ବାରା ଶେଷବର୍ଷ ଆଇନ ବିଦ୍ୟାର୍ଥୀମାନେ ଆଇନଗତ ମାମଲାରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। ସେହିପରି ତଦନ୍ତକାରୀ ଅଧିକାରୀମାନେ ସେମାନଙ୍କର ଆଇନ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ସହ ନିକଟରେ ପ୍ରକାଶ ପାଇଥିବା ଅଦାଲତ ରାୟକୁ ମଧ୍ୟ ଆଲୋଚନା ପରିସରଭୁକ୍ତ କରିବେ। ଏଥିସହ ନିୟମିତ ଭାବେ ଶୈକ୍ଷିକ ସମ୍ମିଳନୀ, କର୍ମଶାଳା, ଆଲୋଚନାଚକ୍ର ମାଧ୍ୟମରେ ତଦନ୍ତ ପ୍ରକ୍ରିୟା, ଟ୍ରାଏଲ ମନିଟରିଂ, ସହଯୋଗିତା ଓ ଜିଲା ପ୍ରସିକ୍ୟୁସନ ସେଲ ଆଦି ଉପରେ ଜ୍ଞାନବୃଦ୍ଧି କରାଇବା ଏମ୍‌ଓୟୁର ଉଦ୍ଦେଶ୍ୟ। ବିଶ୍ୱବିଦ୍ୟାଳୟର ଶେଷବର୍ଷ ବିଦ୍ୟାର୍ଥୀମାନେ ଇଣ୍ଟର୍ନଶିପ୍‌ ପାଇଁ ପୋଲିସ ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ କରି କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ, ଏସ୍‌ଟିଏଫ୍‌, ପୋଲିସ ଟ୍ରେନିଂ ଇନଷ୍ଟିଚ୍ୟୁସନ, ଷ୍ଟେଟ ଫୋରେନସିକ୍‌ ସାଇନ୍ସ ଲାବରେଟୋରି, କାରାଗାର, ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ଆଦି ବାବଦରେ ଜ୍ଞାନ ହାସଲ କରିବେ ବୋଲି ସୂଚନା ମିଳିଛି।
ଅତିରିକ୍ତ ଡିଜିପି (କ୍ରାଇମ) ଅରୁଣ ବୋଥ୍ରା ସ୍ବାଗତ ଭାଷଣ ଓ କ୍ରାଇମବ୍ରାଞ୍ଚ ଆଇଜିପି ଶେଫିନ ଅହମ୍ମଦ କେ. ଧନ୍ୟବାଦ ଦେଇଥିଲେ। ଏସ୍‌.ଏମ. ନର୍ଭଣେ, ଅରୁଣ କୁମାର ଷଡ଼ଙ୍ଗୀ, ବିନୟତୋଷ ମିଶ୍ର, ଓ୍ବାଇ. କେ. ଜେଠଓ୍ବା, ସଞ୍ଜୟ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ।