ଆଇନ ତା’ ବାଟରେ ଯାଏ ତ

ସହଦେବ ସାହୁ

କୌଣସି ଅଭିଯୋଗର ସମାଧାନରେ ବା ସେବାପ୍ରାପ୍ତିରେ ବିଳମ୍ବ ଯୋଗୁ ସରକାରଙ୍କ ଉପରେ ଅଙ୍ଗୁଳି ଉଠିଲେ ଶାସକ ଦଳର ପ୍ରବକ୍ତା କହନ୍ତି ଆଇନ ତା’ ବାଟରେ ଯାଉଛି, ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? ‘ବାଟ’ରେ ଯେ କେତେ ‘ଡାଇଭର୍ସନ’ (ବିଳମ୍ବ ବା ଅବହେଳା ଭଳି) ହେଉଛି ତାହା ସରକାରୀ ଦଳ ମାନେନାହିଁ। ଆଇନକୁ କେହି ବାଟ କଢ଼ାଉଛି ତାହା ସାଧାରଣ ଲୋକେ ଦେଖିପାରନ୍ତିନାହିଁ। ଗଣତନ୍ତ୍ର ସରକାରରେ ତ୍ରିଶାଖା ମଧ୍ୟରୁ ବିଧାୟିକା ଶାଖା ଆଇନ ତିଆରି କରେ, ତାହା କ୍ଳୀବ ଓ ନିର୍ଜୀବ; ତା’ର ଜୀବନ୍ୟାସ ଦିଅନ୍ତି କାର୍ଯ୍ୟପାଳିକା(ପ୍ରଶାସନ)ର କର୍ମଚାରୀ ଓ ଅଧିକାରୀମାନେ ଏବଂ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇଛି କି ନାହିଁ ତା’ର ବିଚାର କରନ୍ତି ନ୍ୟାୟପାଳିକାର ଅଧିକାରୀମାନେ। ନ୍ୟାୟିକ ରାୟକୁ କାର୍ଯ୍ୟକାରୀ କରନ୍ତି ପ୍ରଶାସନିକ ଅଧିକାରୀମାନେ, ସେଠି ବି ଆଇନର ବାଟରେ ଖାଲ ଢିପ ଦେଖାଯାଏ ଶାସକ ଦଳର ଇଙ୍ଗିତରେ। ଚାର୍ଲସ୍‌ ଡିକେନ୍ସ କ’ଣ ବୃଥାରେ କହିଥିଲେ, ‘ଦ ଲ ଇଜ୍‌ ଆନ୍‌ ଆସ୍‌’- ଆଇନ ଗୋଟିଏ ଗଧ! ଆଇନଟି କିପରି କାର୍ଯ୍ୟକାରୀ ହେବ, ତାକୁ ସ୍ପଷ୍ଟ କରିବା (ବାଟ ଦେଖାଇବା) ପାଇଁ ରୁଲ୍‌ସ ବି ତିଆରି କରନ୍ତି ପ୍ରଶାସନିକ ଅଧିକାରୀମାନେ, ଯଦିଓ ବିଧାୟକ ସଭାର ସମ୍ମତି ନିଆଯାଏ। କେତେକ ନେତା ତ କହନ୍ତି ‘ଶୋ’ ମି ଦ ମ୍ୟାନ୍‌, ଆଇ ଉଇଲ୍‌ ଶୋ’ ୟୁ ଦି ଲ’ ଅର୍ଥାତ୍‌ ଲୋକ ଦେଖି ଆଇନ ଲାଗୁ କରାଯାଇପାରେ। ପୋଲିସ ହାତରେ ଗରିବ ବା ଦଳିତଟିଏ ନିର୍ଯାତିତ ହେଉଥିବା ବେଳେ ପ୍ରଭାବୀ ବ୍ୟକ୍ତିକୁ ସେମାନେ ଗାଡ଼ିରେ ବସାଇ ତା’ ଘରେ ଛାଡ଼ିଦେଇ ଆସିଥା’ନ୍ତି। ବିରୋଧୀ ଦଳର କେହି ଅଭିଯୁକ୍ତ ହେଲେ ଆଇନର ବାଟ ଏକ ଚିକ୍କଣ ରାଜପଥ ଭଳି। ଓଡ଼ିଶାର ଉଦାହରଣ ଦେଲେ ମାନହାନି ମକଦ୍ଦମାର ଶିକାର ହେବାକୁ ପଡ଼ିପାରେ, ତେଣୁ ଦିଲ୍ଲୀର ଯନ୍ତରମନ୍ତରଠାରେ କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗର ଉଦାହରଣ ଦେବି। ସେମାନେ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଗତ ଅଶାଳୀନ ବ୍ୟବହାରର ଅଭିଯୋଗ ଆଣିଥିଲେ ବି ପୋଲିସ୍‌ ଚୁପ୍‌ ଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଏତଲା ଗ୍ରହଣ କଲା, ତଥାପି ବ୍ରିଜ୍‌ଭୂଷଣଙ୍କୁ ଗିରଫ ତ ଦୂରର କଥା, ପଚରାଉଚରା ବି କରିନାହିଁ। କାରଣ ଦିଲ୍ଲୀ ପୋଲିସକୁ କଣ୍ଟ୍ରୋଲ କରୁଥିବା କେନ୍ଦ୍ର ସରକାର ଚଳାଉଥିବା ଦଳର ସାଂସଦ, ବରଂ ପୋଲିସ ଆନ୍ଦୋଳନକାରୀଙ୍କୁ ଟାଣିଘୋଷାରି ଅନ୍ୟତ୍ର ନେଇଛି। ଅଥଚ ସମରୂପ ଅଭିଯୋଗରେ ତେହଲ୍‌କା ସମ୍ପାଦକ ଗିରଫ ହେଲେ ଓ ଜେଲ୍‌ ଗଲେ!
ଏ ତ ଫୌଜଦାରି ଆଇନର ‘ବାଟ’ କଥା। ଅଣଫୌଜଦାରି ମାମଲାରେ ବି ଆଇନ ତା ବାଟରେ ଯାଉନାହିଁ, ନାଗରିକ-ଅଧିକାର ଆଇନ କ୍ଷେତ୍ରରେ ତ ବାଟଯାକ ଗାତ! କର୍ମଚାରୀ/ଅଧିକାରୀ ନ ଚାହିଁଲେ ବାଟ ବନ୍ଦ! ଗୋଟିଏ ଉଦାହରଣ ହେଉଛି ସରକାରୀ ସେବା ପାଇବାର ଅଧିକାର ଆଇନ: ଦି ଓଡିଶା ରାଇଟ୍‌ ଟୁ ପବ୍ଲିକ୍‌ ସର୍ଭିସେସ୍‌ (ଓଆର୍‌ଟିପିଏସ୍‌) ଆକ୍ଟ। ୨୦୧୨ରୁ ତିଆରି ଏହି ଆଇନ ଲୋକଙ୍କୁ ଯଥା ସମୟରେ ସେବା ଯୋଗାଇବା ପାଇଁ ବାଟ ବତାଉଛି। ଏ ଆଇନ ଟାଉଟର ସଂଖ୍ୟା ବଢ଼ାଉଛି। ଲୋକଙ୍କୁ ଏତେ ହଇରାଣ କରୁଛି ଯେ ଲୋକେ ଏହାକୁ ଭୁଲି ଘୁଷ୍‌ ଦେଇ କାମ କରିନେବା ଶସ୍ତା ପଡ଼ିବ ବୋଲି ଭାବିଲେଣି। ଓଡ଼ିଶାର ଅଡିଟର ଜେନେରାଲ ତାଙ୍କର ଏକ ରିପୋର୍ଟରେ ଜଣାଇଛନ୍ତି କିପରି ଓଆର୍‌ଟିପିଏସ୍‌ ଆକ୍ଟ ଓ ରୁଲ୍‌ସ ଏକ ରାସ୍ତାରେ ଗାଡ଼ିକୁ ସ୍ଲୋ କରୁଥିବା ରମ୍ବ୍ଲରଷ୍ଟ୍ରିପ୍‌ ଭଳି କାମ କରୁଛି ତ କେଉଁଠି ଗଡ଼ାରେ ପଡ଼ି ଭାଙ୍ଗିଯାଉଛି। ତେଣୁ ଘୁଷ୍‌ ଏକ ଇକୋନୋମିକ୍‌ ଆକ୍ଟିଭିଟି ହୋଇଛି। ତାହା ଉପଭୋକ୍ତାର ସମୟ ବଞ୍ଚାଏ ଓ ବ୍ୟୟଭାର କମାଏ (ବାରମ୍ବାର ଦଉଡ଼ିବା ଖର୍ଚ୍ଚ, ଅଫିସ୍‌ ପାଖରେ ରହିବାର ଖର୍ଚ୍ଚ ଏବଂ ଦେହ ତଥା ମନର ପୀଡ଼ାରୁ ବଞ୍ଚାଏ) ଓ ଅଧିକାରୀର ଲାଭ ହୁଏ, ଦରମା ଉପରେ ଅତିରିକ୍ତ କିଛି ମିଳିଯାଏ। ଏ ସବୁର କାରଣ ଆଇନର ବାଟ ଓଗାଳିବା ଅଧିକାରୀମାନଙ୍କ ଉପରେ ଆକ୍ସନ୍‌ ନିଆହେଉନାହିଁ, ଯାହାର କାରଣ ଉପରିସ୍ଥ ଅଧିକାରୀମାନେ ଅଧସ୍ତନ କର୍ମଚାରୀର କାର୍ଯ୍ୟ-ସମ୍ପାଦନ ସମୀକ୍ଷା କରୁନାହାନ୍ତି, କାରଣ ସେପରି କରୁନାହାନ୍ତି ବୋଲି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କିନ୍ତୁ ନାଗରିକର ପ୍ରାପ୍ୟରୁ କିଛି କମିଯାଏ ତ ଉଦ୍ଦିଷ୍ଟ ଉପକାର ମିଳେନାହିଁ, ତେଣୁ ସରକାରଙ୍କ ଲକ୍ଷ୍ୟ ଭ୍ରଷ୍ଟ ହେବାରେ ଅଧିକାରୀମାନେ ଦାୟୀ। ଅଧିକାରୀମାନେ ଭ୍ରଷ୍ଟ ହେବାରେ ମନ୍ତ୍ରୀମାନେ ଦାୟୀ। ଶେଷରେ ମନ୍ତ୍ରୀମାନେ ଭ୍ରଷ୍ଟ ହେବାରେ ସେମାନଙ୍କୁ ଜିତାଉଥିବା ଭୋଟରମାନେ ଦାୟୀ।
ଓଡ଼ିଶା ଅଡିଟର ଜେନେରାଲ ବିଭିନ୍ନ ବିଭାଗରେ କିପରି ଓଆର୍‌ଟିପିଏସ୍‌ ଆକ୍ଟ ୨୦୧୨ ଓ ରୁଲ୍‌ସ କାମ କରୁଛି ତା’ ସମୀକ୍ଷା କରି ଯାହା ଲେଖିଛନ୍ତି ତାହାକୁ ସଂକ୍ଷିପ୍ତ ଆକାରରେ ଏଠାରେ ଉଲ୍ଲେଖ କରିବା ଉଚିତ। ଏ ଆଇନର କାର୍ଯ୍ୟକାରିତା ନିରୀକ୍ଷଣ ବା ସମୀକ୍ଷା କରିବା ଦାୟିତ୍ୱ ପ୍ରତ୍ୟେକ ଡିପାର୍ଟମେଣ୍ଟ ଉପରେ ନ୍ୟସ୍ତ କରାଯାଇଛି, ଯାହାର ସର୍ବୋଚ୍ଚ ନିୟନ୍ତ୍ରକ ହେଉଛି ଜେନେରାଲା ଆଡ୍‌ମିନିଷ୍ଟ୍ରେଶନ ବିଭାଗ ଅଧୀନସ୍ଥ ଆଡ୍‌ମିନିଷ୍ଟ୍ରେଟିଭ୍‌ ରିଫର୍ମ ଶାଖା। ସାଧାରଣ ପ୍ରଶାସନ(ପ୍ରଶାସନିକ ସଂସ୍କାର) ବିଭାଗ ୨୦୧୩ ଡିସେମ୍ବରରେ ରୁଲ୍‌ସ ତିଆରିକରି ଓଆରଟିପିଏସ୍‌ ଆକ୍ଟ ଅଧୀନରେ ବିଭିନ୍ନ ସେବା କେମିତି ମିଳୁଛି ତା’ର ମନିଟରିଂ କରିବା ଓ ସେବା ପାଇବାର ସୁବିଧା ପାଇଁ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍‌ (ସିଏମ୍‌ଏସ୍‌) ଚାଲୁ କଲେ, କିନ୍ତୁ କେହି ତା’ ବ୍ୟବହାର କରୁନାହିଁ ବୋଲି ଅଡିଟର ଜେନେରାଲ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ତେଣୁ ଏ ଆଇନଟି ତା’ ବାଟରେ ଯାଉନାହିଁ। ସମ୍ପୃକ୍ତ ଅଫିସ୍‌ ଆବେଦନ ପତ୍ର ପାଇଲା କ୍ଷଣି ସିଏମ୍‌ଏସ୍‌ରେ ଏକ କ୍ରମିକ ନମ୍ବର ଦେଇ ପ୍ରାପ୍ତି ସ୍ବୀକାର କରିବ, ଏଥିରେ ଜଣାଇବ ଆବେଦନକାରୀ କ’ଣ କ’ଣ କାଗଜ/ଦଲିଲ ଦେବା ଦରକାର, କ’ଣ କ’ଣ ଅଭାବ ରହିଛି ଯାହା ସେ ପୂରଣ କରିବ। କେଉଁ ତାରିଖ ସୁଦ୍ଧା ସମାଧାନ ହେବ ଜଣାଇ ତାକୁ ଗୋଟିଏ ଏସ୍‌ଏମ୍‌ଏସ୍‌ ଯିବ। ଏଥିଲାଗି ପ୍ରତି ଅଫିସ୍‌ରେ ଜଣେ ଅଫିସର ଉଦ୍ଦିଷ୍ଟ ‘ଡେଜିଗ୍‌ନେଟେଡ୍‌୍‌ ଅଫିସର’ (ଡିଓ) ରହିବ, ତାଙ୍କ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହେଲେ ଆବେଦନକାରୀ ଅପିଲ କରିପାରେ, ପ୍ରତି ବିଭାଗରେ ଜଣେ ଆପିଲେଟ୍‌ ଅଥରିଟି(ଏଏ) ଓ ତାଙ୍କ ଉପରେ ଜଣେ ରିଭିଜନାଲ୍‌ ଅଥରିଟି (ଆର୍‌ଏ) ରହିବ। ଅଡିଟ୍‌ କେତେଗୁଡ଼ିଏ ନଥି ତନଖି କରି ଦେଖିଛନ୍ତି, (୧) କମ୍ପ୍ୟୁଟର ବ୍ୟବହାର ହେଉନାହିଁ, (୨) ଡାଟା ବା ତଥ୍ୟ ଭରଣା ହେଉନାହିଁ, (୩) କଟକ ଜିଲା ସବ୍‌ରେଜିଷ୍ଟ୍ରାର୍‌ ମେ’ ୨୦୧୭ରୁ ଓ ସମ୍ବଲପୁର ଡିଏସ୍‌ଆର୍‌ ଜାନୁୟାରୀ ୨୦୧୬ରୁ କାମ କରୁଛି, ଆଇନଟି ୪ ଓ ୫ ବର୍ଷ ଚାଲୁ ହେଲାପରେ, (୪) ଟ୍ରାନ୍ସପୋର୍ଟ ବିଭାଗରେ ଆବେଦନର କାମ ସରିଗଲା ପରେ ହିଁ ତା’ର ଡାଟା ପୂରଣ କରାଯାଇଛି, ତା’ ମାନେ ମନିଟରିଂ ହେଉନାହିଁ, କାମ କରି ନ ଥିଲେ ନାଗରିକର ଦରଖାସ୍ତ କ’ଣ ଓ କିପରି ଅଛି ତା’ର ତଥ୍ୟ ନାହିଁ, ତେଣୁ ସିଏମ୍‌ଏସ୍‌ର ଉଦ୍ଦେଶ୍ୟ ବିଫଳ। ପୁଣି ଆବେଦନକାରୀକୁ ପ୍ରାପ୍ତିସ୍ବୀକାର ପଠାଯାଉନାହିଁ। ଡିପାର୍ଟମେଣ୍ଟ ବି ଜାଣିନାହିଁ ଦରଖାସ୍ତକାରୀ ତା’ ଆବେଦନର ଜବାବ ପାଇଛି କି ନାହିଁ। କୌଣସି ଡିପାର୍ଟମେଣ୍ଟ ଏହି ଆକ୍ଟ ଅଧୀନରେ କିପରି କାମ ହେଉଛି ତାହା ସମୀକ୍ଷା କରୁନାହିଁ, କୌଣସି ଅଫିସ୍‌ କମ୍ପ୍ୟୁଟରରୁ ମାସିକ ପ୍ରୋଗ୍ରେସ୍‌ ରିପୋର୍ଟ ଦେଉନାହିଁ, ସବୁ ସାଧାରଣ ଟାଇପ୍‌କରା ବା ହାତଲେଖା। ଆଇନ କିପରି ତା’ ବାଟରେ ଯାଉଛି ଦେଖିଲେ ତ!
ଗଣତନ୍ତ୍ର ଶାସନର ନିୟମ ମଧ୍ୟ ତା’ ବାଟରେ ଯାଉନାହିଁ। ଅମଲାତନ୍ତ୍ର ଆନିମସ୍‌ ଅର୍ଥାତ୍‌ ଅଜ୍ଞାତ ରହିବା କଥା। ମନ୍ତ୍ରୀମାନେ ତାଙ୍କ ବିଭାଗ କଥା ଓ ଯୋଜନା ବା ପ୍ରସ୍ତାବ ଜଣାଇବେ। ଜଣେ ସଚିବ ମନ୍ତ୍ରୀ ଭଳି ଆଚରଣ ଦେଖାଇବା କୋଉ ଆଇନର କୋଉ ବାଟରେ ଅଛି?
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri