ଲାଞ୍ଚ ନେଇ ଧରାପଡ଼ିଲେ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଢେଙ୍କାନାଳ ଅଫିସ,୨୩।୮: ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି ଉତ୍ତମ କୁମାର ରାଉତ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିନେଇଛି। ସେ ଆବଶ୍ୟକ ପ୍ରତିଶତ ଉପସ୍ଥାନ ଓ ଏନ୍‌ଓସି ସାର୍ଟିଫିକେଟ ପ୍ରଦାନ ପାଇଁ ପଶ୍ଚିମବଙ୍ଗ ମୁର୍ଶିଦାବାଦର ପୂର୍ବତନ ଛାତ୍ର ମାସୁଦ ହୁସେନଙ୍କୁ ୧୦ ହଜାର ଲାଞ୍ଚ ମାଗିଥିଲେ। ଏ ନେଇ ମାସୁଦ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ମାସୁଦଙ୍କଠାରୁ କାର୍ଯ୍ୟାଳୟରେ କିରାଣି ରାଉତ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସହରସ୍ଥିତ ଷ୍ଟେଶନ ରୋଡଠାରେ ଥିବା ତାଙ୍କ ବାସଭବନ ଓ ମହାବିଦ୍ୟାଳୟ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।