କୋମ୍ବିଂବେଳେ ବିପୁଳ ପରିମାଣର ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୬ା୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ବିଚ୍ଛିନ୍ନାଞ୍ଚଳରୁ ସୋମବାର ସୁରକ୍ଷା କର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମାଓବାଦୀଙ୍କ ଚଳପ୍ରଚଳ ନେଇ ଗୋଇନ୍ଦା ସୂଚନା ଅଧାରରେ ବିଏସ୍‌ଏଫ୍‌(୯ମ ବାଟାଲିଅନ୍‌) ଏବଂ ଏସ୍‌ଓଜି ପକ୍ଷରୁ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ଚିତ୍ରକୋଣ୍ଡା ବ୍ଲକ୍‌ ଯୋଡ଼ାମ୍ବ ଥାନା ଅଧୀନ ମୁକୁଦିପାଲ୍ଲୀ, ଗୁରାସେତୁ, ବେଜିଙ୍ଗି, ଜମ୍ପଲୁର ଓ ପାରଲୁବନ୍ଧ ଗ୍ରାମରେ କୁମ୍ବିଂବେଳେ ଜଙ୍ଗଲରେ ମାଟିତଳେ ଲୁଚାଇ ରଖାଯାଇଥିବା ବନ୍ଧୁକ, କ୍ଲେମୋର ବୋମା, କୋଡେକ୍ସ କେବଲ, ୮ ଡିଟୋନେଟର, ଅକ୍ସିଜେନ ସିଲିଣ୍ଡର(୪୦କେ.ଜି.), କ୍ୟାମେରା ଫ୍ଲାଶ୍‌ ଓ ସୁଇଚ୍‌, ଜିିପିଏସ୍‌ ପାଉଚ୍‌ ସମେତ ବିଭିନ୍ନ ବିସ୍ଫୋରକ ଏବଂ ମାଓବାଦୀ ଲିଫ୍‌ଲେଟ ପ୍ରଭୃତି ଜବତ କରାଯାଇଛି। ଯବାନ ଏବଂ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଲୁଚାଇ ରଖିଥିବା ସନ୍ଦେହ କରାଯାଉଥିବା ମାଲକାନଗିରି ଏସ୍‌ପି ଋଷିକେଶ ଡି. ଖିଲାରି ସୂଚନା ଦେଇଛନ୍ତି। ଏ ନେଇ ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।