ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଓ ପାରମ୍ପରିକ ପର୍ବରେ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ପରମ୍ପରା ଅନୁଯାୟୀ, ଲାଞ୍ଜିଗଡ଼ରେ ଦଶମୀ ନୂଆଖାଇ ଓ ବାସୀ ପର୍ବ ପାଳିତ ହେବା ପରେ ତ୍ରୟୋଦଶୀ ତିଥିରେ ଭୈରବ ମନ୍ଦିରରୁ ଭୈରବ ଦେବଙ୍କ ଖଣ୍ଡା ବାହାର କରାଯାଇ ସ୍ଥାନୀୟ ରାଜଉଆସକୁ ନିଆଯାଇଥାଏ। ସେଠାରେ ପୂଜାର୍ଚ୍ଚନା ପରେ ଅଗ୍ନି ଭୈରବଙ୍କ ଗୋଟିଏ, ବାଲି ଭୈରବଙ୍କ ଗୋଟିଏ ଏବଂ ବୁଢ଼ା ଭୈରବଙ୍କ ଦୁଇଟି ଖଣ୍ଡାକୁ ‘ବାଲି ଘର’କୁ ନିଆଯାଏ।
ସେହିଦିନ ପୂଜକମାନେ ସ୍ଥାନୀୟ ଶୁକ୍ଲିନାଳରୁ ୯ଟି ଚାଙ୍ଗୁଡ଼ିରେ ବାଲି ଆଣିବା ସହ ଶ୍ରଦ୍ଧାଳୁଙ୍କ ଘରୁ ୯ ପ୍ରକାର ଶସ୍ୟ ସଂଗ୍ରହ କରି ବାଲି ଘରେ ରଖି ପୂଜାର୍ଚ୍ଚନା କରିଥାନ୍ତି। ଅଶ୍ୱପଞ୍ଚମୀ ତିଥିରେ ତିନି ଭୈରବଙ୍କ ପ୍ରତୀକ ବାଲି ଘରୁ ମୁଖ୍ୟ ମନ୍ଦିରକୁ ଅଣାଯାଇ ଆଜ୍ଞାମାଳ ନିଆଯାଏ। ପରେ ନିଆଁର ‘ଖନ୍ଦା’ (ଝାମୁ)କୁ ତିନିଥର ପ୍ରଦକ୍ଷିଣ କରି ଠାକୁରାଣୀ ମନ୍ଦିରକୁ ଯାଇ ଦେବୀଙ୍କୁ ଆମନ୍ତ୍ରଣ କରାଯାଇଥାଏ।
ଯାତ୍ରା ସମୟରେ ଚାରୋଟି କଟା କଦଳୀ ଗଛକୁ ଧଳା କପଡ଼ା ଘୋଡ଼ାଇ ଗଉରୀଘର ପ୍ରସ୍ତୁତ କରାଯାଇ ବଡ଼ଭୋଗ (ପାରା ବଳି) ଦିଆଯାଇଥିଲା। ଏହାପରେ ଅଗ୍ନି ଭୈରବଙ୍କ କାଳେସୀ ଡହଡହ ତତଲା ରଡ଼ ନିଆଁ ଉପରେ ଚାଲିବାର ଅଲୌକିକ ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା। ଏହି ସମୟରେ ଶ୍ରଦ୍ଧାଳୁଙ୍କ ହର୍ଷଧ୍ୱନି ସହ ଡମ୍ବାଜା, ଘୁମୁରା ଓ କୀର୍ତ୍ତନର ଶବ୍ଦରେ ଗଗନପବନ ମୁଖରିତ ହୋଇଉଠିଥିଲା। ଯାତ୍ରା ଶେଷରେ ମାନସିକଧାରୀମାନେ ଶହ ଶହ କୁକୁଡ଼ା, ପାରା, ବତକ ଓ ଛେଳି ବଳି ଦେଇଥିଲେ।
ଏହି ସ୍ୱତନ୍ତ୍ର ପୂଜାରେ ଅଗ୍ନିଭୈରବ, ବାଲି ଭୈରବ ଅଭିମନ୍ୟୁ ପାତ୍ର, ଠାକୁରାଣୀଙ୍କ ପୂଜାରୀ ଜମ୍ବେଶ୍ୱର ପୂଜାରୀ, ଗୁରମାଇଁ, ପାଟ ଘୁମରିଆ ଓ ଚଲାନ୍ ପ୍ରମୁଖ ସାମିଲ ହୋଇଥିଲେ।
ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂହଦେଓ, ‘ହରିହର ସାଂସ୍କୃତିକ ଅନୁଷ୍ଠାନ’, ‘ଲାଞ୍ଜିଗଡ଼ ଯୁବକ ସଂଘ’ ଏବଂ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।