ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ ରାସ୍ତା କଡ଼ରେ ଏକ ବିରାଟ ଘାଇ (ଖାଇ) ସୃଷ୍ଟି ହୋଇଥିବାରୁ ଏହି ପଥ ଦେଇ ଗମନାଗମନ କରୁଥିବା ଶହ ଶହ ଯାନବାହନ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଏହା ମରଣଜନ୍ତା ପାଲଟିଛି।
ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କିଛିଦିନ ତଳେ ଲାଞ୍ଜିଗଡ଼-ବନ୍ଧପାରୀ ରାସ୍ତାର ଦୁଇ ପାର୍ଶ୍ୱରୁ ମାଟି ଖସିଥିବା ବେଳେ, ଏବେ ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ବଂଶଧାରା ପୋଲ ନିକଟରେ ବଡ଼ ଧରଣର ଭସାଣି ହୋଇଛି। ରାସ୍ତା ତଳପଟୁ ମାଟି ଧୋଇଯାଇ ସୁଡ଼ଙ୍ଗ ଭଳି ପରିସ୍ଥିତି ସୃଷ୍ଟି ହୋଇଛି, ଯାହାଫଳରେ ରାସ୍ତାଟି କେତେବେଳେ ବି ଦବିଯାଇ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି।
ଏହି ମୁଖ୍ୟ ରାସ୍ତାଟି ତ୍ରିଲୋଚନପୁର, ବିଜେପୁର ଏବଂ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକକୁ ସିଧାସଳଖ ଯୋଗାଯୋଗ କରୁଛି। ଏହାଛଡ଼ା ବେଦାନ୍ତ ଲିମିଟେଡର ଷ୍ଟାଫ୍ କଲୋନୀ ଓ ବେଦାନ୍ତ ଡି.ଏ.ଭି. ଅନ୍ତର୍ଜାତୀୟ ବିଦ୍ୟାଳୟ ପାଇଁ ଏହା ମୁଖ୍ୟ ଗନ୍ତବ୍ୟ ପଥ। ପ୍ରତିଦିନ ସ୍କୁଲ ବସ୍ରେ ଶହ ଶହ କୋମଳମତି ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ରାସ୍ତା କଡ଼ରେ ଧସିଯାଉଥିବା ଏହି ଖାଇ ଯୋଗୁ ଚାରିଚକିଆ ଯାନ, ସ୍କୁଲ ବସ୍ ଓ ଭାରୀଯାନଗୁଡ଼ିକ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛନ୍ତି। ଏହି ସମ୍ବେଦନଶୀଳ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଓ ଅଭିଭାବକ ମହଲରୁ ଦୃଢ଼ ଦାବି ହୋଇଛି।