ଉଚ୍ଚଶିକ୍ଷାରେ ସମାନତା ଦାବି: ୟୁଜିସି ରେଗୁଲେସନ-୨୦୨୬କୁ ବିରୋଧ କଲା ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜ, ପ୍ରତ୍ୟାହାର ଦାବିରେ…

ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): ଉଚ୍ଚଶିକ୍ଷା କ୍ଷେତ୍ରରେ ସମାନତା, ନ୍ୟାୟ ଓ ସାମାଜିକ ସଦ୍‌ଭାବନାର ସୁରକ୍ଷା ଦାବିରେ ୟୁଜିସି ରେଗୁଲେସନ-୨୦୨୬ ପ୍ରତ୍ୟାହାର ପାଇଁ ସ୍ୱର ଉତ୍ତୋଳନ କରିଛି କଳାହାଣ୍ଡି ଜିଲା  ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ। ଏହି ରେଗୁଲେସନ ସାଧାରଣ ସବର୍ଣ୍ଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ପକ୍ଷପାତ ସୃଷ୍ଟି କରିବା ସହ ଭାରତୀୟ ସମ୍ବିଧାନର ଧାରା-୧୪ରେ ସୁନିଶ୍ଚିତ ସମାନତା ଅଧିକାରର ଭାବନାକୁ କ୍ଷୁଣ୍ଣ କରିପାରେ ବୋଲି ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ସମାଜର ମତରେ, ଶିକ୍ଷା ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ନ୍ୟାୟର ଏକ ପବିତ୍ର ମଞ୍ଜ; ଏଠାରେ କୌଣସି ବର୍ଗର ଛାତ୍ରଛାତ୍ରୀ ଅବହେଳିତ କିମ୍ବା ଅନ୍ୟାୟର ଶିକାର ହେବା ଉଚିତ ନୁହେଁ। ତେଣୁ ସାମାଜିକ ସଦ୍‌ଭାବନା ଓ ଶିକ୍ଷାଗତ ସମାନତା ଅକ୍ଷୁଣ୍ଣ ରଖିବା ପାଇଁ ଏହି ବିବାଦୀୟ ରେଗୁଲେସନର ପୁନର୍ବିଚାର ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି ଉଠିଛି।

ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସଭାପତି ହରେକୃଷ୍ଣ ଯୋଶୀଙ୍କ ନେତୃତ୍ୱରେ ସଦସ୍ୟମାନେ ଲାଞ୍ଜିଗଡ଼ ତହସିଲଦାରଙ୍କ କାର୍ଯ୍ୟାଳୟରେ ତହସିଲଦାର ବନମାଳୀ ମେହେରଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମାଜର ଉପସଭାପତି ମନୋଜ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି, ସାଂଗଠନିକ ସମ୍ପାଦକ ଭଗବାନ ହୋତା, କୋଷାଧ୍ୟକ୍ଷ ଦୁର୍ଗାମାଧବ ରଥ, ଲମ୍ବୋଦର ପତି, ବଳରାମ ଦାସ, ହୃଷିକେଶ ନନ୍ଦ, ସୌମ୍ୟ ରଞ୍ଜନ କର, ମଧୁସୂଦନ ପଣ୍ଡା, ଦିଲ୍ଲୀପ ମିଶ୍ର, ରାମଚନ୍ଦ୍ର ଶର୍ମା, ଉମାଶଙ୍କର ବେହେରା, ମହେନ୍ଦ୍ର ପଣ୍ଡା, ଭକ୍ତବନ୍ଧୁ ପତି, ଭବାନୀଶଙ୍କର ଆଚାର୍ଯ୍ୟ, ସତ୍ୟବ୍ରତ ଦାସ, ରଘୁନାଥ ପତିଙ୍କ ସମେତ ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share