ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ୪ଟି ଟ୍ରେନ୍‌ ଚଳାଚଳକୁ ଆଂଶିକ ଭାବେ ବନ୍ଦ କରାଯାଇଛି।

ରେଳପଥର ବୁଲେଟିନ ଅନୁଯାୟୀ, ୨୬ ସେପ୍ଟେମ୍ବରରେ ୫୮୫୦୨ କେଆର୍ଡିଏଲ-ଭିଏସ୍କେପି ପାସେଞ୍ଜର, ୫୮୫୦୧ ଭିଏସ୍‌କେପି-କେଆର୍‌ଡିଏଲ ପାସେଞ୍ଜର, ୧୮୫୧୬ କେଆର୍‌ଡିଏଲ-ଭିଏସ୍‌କେପି ଏକ୍ସପ୍ରେସ ଏବଂ ୧୮୫୧୫ ଭିଏସ୍‌କେପି -କେଆର୍‌ଡିଏଲ ଏକ୍ସପ୍ରେସକୁ ବାତିଲ କରାଯାଇଛି।

ସେହିପରି ୧୮୧୦୭ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ଓ ୧୮୧୦୮ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ମଧ୍ୟ ୨୬ ତାରିଖ ପାଇଁ ବାତିଲ କରାଯାଇଛି। ଅନ୍ୟପକ୍ଷେ ୧୮୦୦୫ ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ କୋରାପୁଟରେ ସ୍ବଳ୍ପ ଯାତ୍ରା ଶେଷ କରାଯିବ। ୧୮୦୦୬ ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଏହା ସହ ୧୮୪୪୭ ଭୁବନେଶ୍ୱର-ଜଗଦଲପୁର ଏବଂ ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ଏକ୍ସପ୍ରେସ୍‌ ଚଳାଚଳ ମଧ୍ୟ କୋରାପୁଟରୁ ସ୍ବଳ୍ପ ଯାତ୍ରାରେ ସୀମିତ ରହିବ।

ଏହି ଟ୍ରେନ୍‌କୁଡିକ ପାଇଁ କୋରାପୁଟ-ଜଗଦଲପୁର-କୋରାପୁଟ ମଧ୍ୟରେ ରେଳ ସେବା ବାତିଲ ରହିବ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୂସ୍ଖଳନ ଯୋଗୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିବା ବେଳେ ଯାତ୍ରା ପୂର୍ବରୁ ଟ୍ରେନ୍‌ର ସ୍ଥିତି ସମ୍ପର୍କରେ ଜାଣିବାକୁ ରେଳପଥ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

Share