ମାଲକାନଗିରି,୪।୧୧(ଦୁର୍ଯ୍ୟୋଧନ ପାତ୍ର): ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡ଼ା ଗ୍ରାମପଞ୍ଚାୟତ ନିକଟସ୍ଥ ପୁରୀଗୁଡ଼ା ଗ୍ରାମ ସଂଲଗ୍ନ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ଖସିପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଖବରରୁ ପ୍ରକାଶ ଯେ, ଗତ ୩ ରୁ ୪ ଦିନ ହେବ ମାଲକାନଗିରି ଜିଲାରେ ଅବିରତ ବର୍ଷା ଜାରି ରହିଥିବାରୁ ପାହାଡ଼ର ମାଟି ଓ ପଥର ଦୁର୍ବଳ ହୋଇ ଏହି ଭୂସ୍ଖଳନ ଘଟିଛି। ପାହାଡ଼ର ଉପରିଭାଗରୁ ବିଶାଳ ପଥର ଖଣ୍ଡସବୁ ମାଟି ସହ ତଳକୁ ଖସିଆସିଛି। ପୁରୀଗୁଡ଼ା ଗ୍ରାମଟି ପାହାଡ଼ ପାଦଦେଶରେ ଅବସ୍ଥିତ ହୋଇଥିବାରୁ ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି।
ସୌଭାଗ୍ୟବଶତଃ, ଏହି ଭୂସ୍ଖଳନରେ କୌଣସି ଜୀବନହାନି କିମ୍ବା ଧନସମ୍ପତ୍ତିର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ବର୍ଷା ଆଗକୁ ଜାରି ରହିଲେ ପୁନର୍ବାର ବଡ଼ଧରଣର ଧସିବା ଆଶଙ୍କା ରହିଥିବାରୁ ଏହା ଆଗାମୀ ଦିନ ପାଇଁ ଏକ ବଡ଼ ବିପଦର ସଙ୍କେତ ଦେଉଛି।
ଲୋକଙ୍କ ନିରାପତ୍ତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ଜରୁରୀ ପ୍ରତିଷେଧମୂଳକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।