ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ):ଜାଗା ମିଶନ୍‌ ଜରିଆରେ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଯୋଗାଇଦେବା ସହ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଜାଗା ମିଶନ୍‌ରେ ବସ୍ତିଗୁଡିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ତେବେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ଏବେ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି। ମହାନଗର ନିଗମ ଅଞ୍ଚଳରେ ଥିବା ୪୩୬ଟି ବସ୍ତିରେ ସର୍ଭେ କରି ଉପଯୁକ୍ତ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍‌ସି ସୋମବାର ଘରୋଇ ସଂସ୍ଥା ‘ସୂତ୍ର କନସଲ୍‌ଟାନ୍ସି ପ୍ରାଇଭେଟ ଲିମିଟେଡ୍‌’ ସହିତ ଚୁକ୍ତି କରିଛି। ୨ବର୍ଷ ମଧ୍ୟରେ ଏହି ବସ୍ତିଗୁଡିକରେ ସଂସ୍ଥା ସର୍ଭେ କରିବା ପରେ ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ। ଏନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶିକା ସୁନୀତା ଦାଶଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।
୨୦୧୭ ପୂର୍ବରୁ ଯେଉଁମାନେ ବସ୍ତିରେ ରହୁଥିବେ ସେମାନଙ୍କୁ ଏହି ଅଧିକାର ମିଳିବ। ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ରାସନ କାର୍ଡ ଆଧାରରେ ବସ୍ତିବାସିନ୍ଦାମାନେ ସେଠାରେ ୨୦୧୭ ପୂର୍ବରୁ ରହୁଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ସର୍ଭେ କାର୍ଯ୍ୟକ୍ରମ ଯେପରି ସୂଚାରୁରୂପେ ସମ୍ପାଦନ ହୋଇପାରିବ ସେ ନେଇ ପୂର୍ବରୁ କର୍ମଚାରୀ ଓ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବ। ସେମାନେ ଏହି ସଂସ୍ଥାକୁ ସର୍ଭେରେ ସହାୟତା କରିବେ। ଏଥିରେ ବିଏମ୍‌ସି ୪୩୬ ବସ୍ତିରେ ରହୁଥିବା ପ୍ରାୟ ୧ଲକ୍ଷ ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିବାକୁ ଯୋଜନା କରିଛି।
ଠିକା ସଂସ୍ଥା ବସ୍ତିବାସିନ୍ଦାଙ୍କ ଏକ ଡାଟାବେସ୍‌ ପ୍ରସ୍ତୁତ କରିବ। ଏଥିରେ ସମସ୍ତ ତଥ୍ୟ ରହିବ। ବାୟୋମେଟ୍ରିକ ତଥ୍ୟ ସହ ଜିପିଏସ, ଫଟୋ ଅପ୍‌ଲୋଡ଼ କରାଯିବ। ଏଥିସହ ପ୍ରତ୍ୟେକ ଘରକୁ ସ୍ବତନ୍ତ୍ର ନମ୍ବର ପ୍ରଦାନ କରାଯିବ। ନମ୍ବର ଆଧାରରେ ଘରର ତଥ୍ୟ ଖୋଜିଲେ ଯେଭଳି ନିମିଷକେ ମିଳିଯାଉଥିବ ସେଭଳି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତିନାମା ସ୍ବାକ୍ଷର ସମୟରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ସହ ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।