୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର

ଭୁବନେଶ୍ୱର,୧ା୩(ଅନିଲ ଦାସ):ରାଜ୍ୟର ସହର ବିକାଶ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫-ଟି ଉପକ୍ରମରେ ସହରବାସୀଙ୍କ ପାଇଁ ପିଇବା ପାଣି, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌, ସ୍ବେରେଜ ବ୍ୟବସ୍ଥା, ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ୪ ସହର ଯଥା କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧,୪୨୭ ବସ୍ତିବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ଏହା ଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହୋଇଛନ୍ତି। ଏଥିସହିତ ୨୬ ସହର ବସ୍ତିମୁକ୍ତ ହୋଇଛି। ସହରର ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇଛନ୍ତି।
ଏଥିସହିତ ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା ଦ୍ୱାରା ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏଥିସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ ନୂଆ ପେଭେଡ୍‌ ରୋଡ୍‌ ଏବଂ ୬୯୬୧ ସିଭିକ ଆମେନିଟିଜ୍‌ ପ୍ରୋଜେକ୍ଟ ଉତ୍ସର୍ଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତି ରଖିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ୫-ଟି ଉପକ୍ରମରେ ହେଉଥିବା ଏହିସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଏହିସବୁ ପ୍ରକଳ୍ପ ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଆମ ରାଜ୍ୟର ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଓ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ସାରା ଦେଶ ପାଇଁ ଏକ ମଡେଲ ହୋଇଛି। ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ସୁବିଧା ପାଇଛନ୍ତି। ଏଥିସହିତ ରାଜ୍ୟର ୮ଟି ସହରରେ ଏହି ସୁବିଧା ଉପଲବ୍ଧ ହୋଇଛି। ଭଲ ପିଇବା ପାଣି ୫୦ ପ୍ରତିଶତ ସ୍ବାସ୍ଥ୍ୟ ସମସ୍ୟା ସମାଧାନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗାନ୍ଧିଜୀଙ୍କ ଭାଷାରେ ପରିମଳ ବ୍ୟବସ୍ଥା ସ୍ବାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ। କଟକ ଓ ଭୁବନେଶ୍ୱର ପାଇଁ ଓଡ଼ିଶା ସମନ୍ବିତ ପରିମଳ ବିକାଶ ପ୍ରକଳ୍ପ ଉତ୍ସର୍ଗ କରି ମୁଁ ବହୁତ ଖୁସି। ଏଥିପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଦ୍ୱାରା ଭୁବନେଶ୍ୱର ଓ କଟକ ସହରରେ ହୋଇଥିବା ଭୂତଳ ସ୍ବେରେଜ ବ୍ୟବସ୍ଥା ସହରର ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ କହିଛନ୍ତି, ଆଜି ସୁଦ୍ଧା ୨ ଲକ୍ଷ ୩୫ ହଜାର ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୧୬୩୬ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ୪ଟି ମହାନଗର ନିଗମର ୨୧,୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ୍‌ ସ୍ବାଗତ ଭାଷଣ ଦେଇଥିବା ବେଳେ ପୌର ପ୍ରଶାସନ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।