ପୂରଣ ହେଲା ଦୀର୍ଘ ବର୍ଷର ସ୍ୱପ୍ନ: ଗୁଡ଼ାରି ତହସିଲ ଝିଗିଡ଼ିବାଟା ଗ୍ରାମର ୨୦ ପରିବାରକୁ ମିଳିଲା…

ଗୁଡ଼ାରି, ୧୭।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ଝିଗିଡ଼ିବାଟା ଗ୍ରାମର ୨୦ଟି ପରିବାରକୁ ସ୍ଥାୟୀ ଘରବାରି ପଟ୍ଟା ପ୍ରଦାନ କରାଯାଇଛି। ତହସିଲଦାର ଏ. ସ୍ନେହଲତାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ସୁନୀଲ ଶବର ଢେପାଗୁଡ଼ା ରାଜସ୍ୱ ନିରୀକ୍ଷକଙ୍କ (RI) କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କରିଛନ୍ତି।

ପୂର୍ବରୁ କରାଯାଇଥିବା ସର୍ଭେ ଆଧାରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ଏହି ପଟ୍ଟା ଦିଆଯାଇଛି। ସ୍ଥାୟୀ ଘରବାରି ପଟ୍ଟା ପାଇବା ପରେ ହିତାଧିକାରୀମାନେ ତହସିଲଦାରଙ୍କୁ କୃତଜ୍ଞତା ଜଣାଇବା ସହ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଥିବା କହିଛନ୍ତି। ଏହି ପଟ୍ଟା ମିଳିବା ଦ୍ୱାରା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟରେ ସେମାନେ ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି।

ଏହାସହ, ଢେପାଗୁଡ଼ା ରାଜସ୍ୱ ସର୍କଲ ଅଧୀନ ୫ଟି ଗ୍ରାମର ୩୧ ଜଣ ହିତାଧିକାରୀଙ୍କ ଜମିଜମା ସମ୍ପର୍କିତ ମାମଲାର ଶୁଣାଣି ମଧ୍ୟ କରାଯାଇଥିଲା। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ମୃତ ଖାତାଦାରଙ୍କ ଉତ୍ତରାଧିକାରୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ତହସିଲଦାର ଏହି ଶୁଣାଣି କରିଥିଲେ। ମୃତ ଖାତାଦାରଙ୍କ ସମସ୍ତ ଉତ୍ତରାଧିକାରୀଙ୍କ ଉପସ୍ଥିତିରେ ପରିବାର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାଙ୍କ ମତାମତ ଗ୍ରହଣ କରାଯାଇ ପ୍ରକ୍ରିୟା ଆଗେଇ ନିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ତହସିଲ ସୁପରଭାଇଜର ମନୋଜ ଶବର, ଢେପାଗୁଡ଼ା ରାଜସ୍ୱ ନିରୀକ୍ଷକ ବିଶ୍ୱନାଥ ସନ୍ତୋଷ କୁମାର, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଶଶୀ ବେହେରାଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share