Categories: ଗଞ୍ଜାମ

ଜମି ହଡ଼ପ ମାମଲା: ତତ୍କାଳୀନ ଏସ୍‌ଡିପିଓଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରହ୍ମପୁର ଅଫିସ,୯।୩: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍‌ ପିଣ୍ଟୁ ଓ ତାଙ୍କ ସହଯୋଗୀ ସିଏଚ. ତ୍ରିନାଥଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର ଜେଲରୁ ଏଡିଜେ-୨ ରାଜଶ୍ରୀ ମହାପାତ୍ରଙ୍କ କୋର୍ଟରେ ହାଜର କରାଯାଇଥିଲା। ଗୋଳନ୍ଥରା ଥାନାରେ ପିଣ୍ଟୁ ଓ ଅନ୍ୟମାନଙ୍କ ନାମରେ ରୁଜୁ ଜମି ହଡ଼ପ ମାମଲାରେ ସଦର ଥାନାର ତତ୍କାଳୀନ ଏସ୍‌ଡ଼ିପିଓ ତଥା ତଦନ୍ତକାରୀ ଅଧିକାରୀ ଅଶୋକ ମହାନ୍ତି ସାକ୍ଷ୍ୟ ଦେଇଥିଲେ। ଜମି ହଡପ ନେଇ ପିଣ୍ଟୁ ଦାସ ଓ ସିଏଚ. ତ୍ରିନାଥଙ୍କ ନାମରେ ୨୦୧୭ ନଭେମ୍ବର ୨୫ରେ ଗୋଳନ୍ଥରା ଥାନାରେ ନଂ.୧୮୨/୨୨ ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଏସ୍‌ଡ଼ିପିଓ ମହାନ୍ତି ସୋମବାର କୋର୍ଟରେ ବୟାନ ଦେଇଥିଲେ। ସେହିପରି ୨୦୧୮ ନଭେମ୍ବର ୧୨ ରେ ପିଣ୍ଟୁ ଓ ତ୍ରିନାଥଙ୍କ ନାମରେ ହୋଇଥିବା ଅନ୍ୟ ଏକ ଜମି ହଡପ ମାମଲା ୨୦୪/୧୮ରେ ପିଣ୍ଟୁ ଓ ତାଙ୍କ ସହଯୋଗୀ ତ୍ରିନାଥ କୋର୍ଟରେ ହାଜର ହୋଇଥିଲେ। ଏହି ମାମଲାରେ ମଧ୍ୟ ଏସ୍‌ଡ଼ିପିଓ ମହାନ୍ତି କୋର୍ଟରେ ବୟାନ ଦେଇଛନ୍ତି। ମାମଲାର ପରବର୍ତ୍ତୀ ବିଚାର ତାରିଖ ଏପ୍ରିଲ ୬ ଓ ୭ ତାରିଖକୁ ଧାର୍ଯ୍ୟ କରାଯାଇଛି। କନିଷି ଅଞ୍ଚଳର ଅନନ୍ତ ଦାସ ଓ ବଳରାମ ଦାସଙ୍କୁ ଜାତିଆଣ ମନ୍ତବ୍ୟ ବଳରାମ ଦାସଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ସେମାନଙ୍କର ଜମି ହଡ଼ପ କରିବା ନେଇ ପିଣ୍ଟୁ ଓ ଅନ୍ୟମାନଙ୍କ ନାଁରେ ଅଭିଯୋଗ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଥିଲା। ସରକାରଙ୍କ ତରଫରୁ କ୍ୟାଡର୍‌ ଏପିପି ବିକ୍ରମ କୁମାର କୁଣ୍ଡୁ ଓ ମୁଦାଲାଙ୍କ ତରଫରୁ କୈଳାସ ପଣ୍ଡା, ଜଗତମୋହନ ପଟ୍ଟନାୟକ, କୃଷ୍ଣପ୍ରସାଦ ପଟ୍ଟନାୟକ, ଶିବନାରାୟଣ ସାହୁ ଓ କରୁଣାକର ପାଣିଗ୍ରାହୀ ମାମଲା ପରିଚାଳନା କରିଥିଲେ।