ଜମିଜମା ବିବାଦକୁ ନେଇ ସଂଘର୍ଷ, ଦୁଇ ଗୁରୁତର

ବାଲେଶ୍ୱର ଅଫିସ,୨୧ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ୍‌ ପାଟ ହୋଇଛି । ବିପକ୍ଷ ଗୋଷ୍ଠୀର ଖଣ୍ଡା ଏବଂ ଠେଙ୍ଗାମାଡ଼ରେ ଦୁଇ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତରମାନେ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡି ଗାଁର ସେକ୍‌ ଅସ୍‌ରୁଲ ଓ ସେକ୍‌ କମରୁଲ । ଗୁରୁବାର ପୂର୍ବାହ୍ନରେ ପୂର୍ବ ଶତ୍ରୁତା ଓ ଜମିଜମା ବିବାଦରୁ ୩୦ରୁ ୪୦ ଜଣ ଲୋକ ସେକ୍‌ ଅସ୍‌ରୁଲ ଓ ସେକ୍‌ କମ୍‌ରୁଲଙ୍କ ଘର ଉପରକୁ ଆକ୍ରମଣ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ଉଭୟଙ୍କ ଘର ଓ ଆସବାବପତ୍ରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦେଇଥିବା ବେଳେ ପଡ଼ୋଶୀ ଭଡ଼ାଟିଆ ମଧ୍ୟ ଆକ୍ରମଣକାରୀଙ୍କ କବଳରୁ ବାଦ୍‌ ପଡ଼ି ନ ଥିଲେ। ଘରେ ପଶି ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇ ଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି। ତେବେ ଦୁଇ ମାସ ପୂର୍ବରୁ ଘଟଣାର ସୂତ୍ରପାତ ଘଟିଥିବା ବେଳେ ଆଜି ପୁଣି ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଅନ୍ୟପଟେ ଚାନ୍ଦିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।