ବନ୍ଧହୁଡ଼ା କାଟିଦେଲେ ଲୋକେ

ଲାଞ୍ଜିଗଡ଼,୧।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ଏରୋଡ୍ରମ ନିକଟରେ ଥିବା ଶହେ ଏକରରୁ ଅଧିକ ଜମିରେ ପାଣି ମାଡ଼ି ପାରୁନାହିଁ। ବନ୍ଧରୁ ପାଣି ନେଇ ଚାଷୀମାନେ ଜମିରେ ଜଳସେଚନ କରୁଥିଲେ। ଜମି ନିକଟରେ ଥିବା ଛୋଟ ବନ୍ଧ ଯୋଗୁ ଶହେ ଏକରରୁ ଅଧିକ ଜମିରେ ଧାନ ଫସଲ ହେଉଥିଲା। କିନ୍ତୁ ବିନା କାରଣରେ ହିଂସା ପରାୟଣ ହୋଇ କିଛି ଲୋକେ ବନ୍ଧହୁଡ଼ା କାଟିଦେବାରୁ ଚାଷ ଜମିରେ ପାଣି ମାଡ଼ିପାରୁନାହିଁ । ବନ୍ଧ ହୁଡ଼ାକୁ କିଛି ଲୋକେ କାଟିଦେବା ସହିତ ନଦୀରେ ସିନା ପାଣି ଛାଡ଼ିଦେଲେ ଚାଷ ଜମିରେ ଜଳସେଚନ କରାଇ ଦେଲେନାହିଁ। ଏପରି ପରିସ୍ଥିତି ଯୋଗୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗାଁର ୨୦ରୁ ଅଧିକ ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି  । ଏହାକୁ ନେଇ ଚାଷୀମାନେ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷରେ ଚଳିତ ଖରିଫ ଋତୁରେ ବିକ୍ଷିପ୍ତ ବର୍ଷା ଯୋଗୁ ଶତାଧିକ ଏକର ଜମିରେ ମାଟି ଫାଟି ଆଁ କରିଥିବାବେଳେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ଧାରକରଜ କରି ଗରିବ ଚାଷୀମାନେ ଧାନ ଚାଷ କରିଥିବାବେଳେ ପାଣି ଅଭାବରୁ ସେମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ବୋରିଂଝୋଲି ଗାଁର ଲୋକଙ୍କ ଭୁଲ ବୁଝାମଣାର ଯୋଗୁ ନିରୀହ ଚାଷୀମାନେ ଫଳ ଭୋଗୁଛନ୍ତି। ଏହାର ୁବିଚାର କରିବା ସହିତ ବିନା କାରଣରେ ବଂଶଧାରା ନଦୀକୁ ବହି ଯାଉଥିବା ପାଣିକୁ ଅଟକାଇ ଜଳସେଚନ କାର୍ଯ୍ୟରେ ଲଗାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଛତ୍ରପୁର ଗାଁର ବନ ହରିଜନ, ଗଣ୍ୟାସୀ ହରିଜନ, ଭୈରବ ଲୋହରା, ଟିକାନା ଲୋହରା, ସିରିଂଜଲ ଲୋହରାଙ୍କ ସମେତ ଚାଷୀମାନେ ଦାବି କରିଛନ୍ତି।