ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା

ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍‌ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା ମାହୋଲ ଫିକା ପଡ଼ିଥିବା ବେଳେ ଏବେ ଗଜଲକ୍ଷ୍ମୀ ପୂଜା ମଧ୍ୟ ଫିକା ପଡ଼ିବ। ଓଡ଼ିଶାରେ ଢେଙ୍କାନାଳ ପରେ ଖୋର୍ଦ୍ଧା ସହରରେ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀ ପୂଜା। ସହରର ପ୍ରାୟ ୩୪ଟି ପୂଜାମଣ୍ଡପରେ ହୋଇଥାଏ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ତେବେ ଚଳିତଥର କରୋନା କଟକଣା ଯୋଗୁ ପୂଜା ବଜାରରେ ନିରାଶ ଛାଇଯାଇଛି। ସୀମିତ ସଂଖ୍ୟକ ବ୍ୟକ୍ତିବିଶେଷ ଏବଂ ନିରାଡ଼ମ୍ବରରେ ଭାବେ ପାଳନ ଲାଗି ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ପାରମ୍ପରିକ ରୀତିନୀତିରେ ବିଧିରକ୍ଷା ଲାଗି ବିନା ଭକ୍ତରେ ଆୟୋଜିତ ହେବ ଧନଲକ୍ଷ୍ମୀ ପୂଜା। ଏ ନେଇ ବିଭିନ୍ନ ପୂଜା କମିଟି ମହଲରେ ନୈରାଶ୍ୟ ଦେଖିବାକୁ ମିଳିଛି। ୪ଫୁଟ ମଧ୍ୟରେ ମୂର୍ତ୍ତି ଏବଂ ୭ଜଣଙ୍କ ମଧ୍ୟରେ ପୂଜା ଆୟୋଜନ ନେଇ ରହିଛି କଟକଣା। ଅନ୍ୟପଟେ ଦୁର୍ଗା ପୂଜା ପରେ ଗଜଲକ୍ଷ୍ମୀଙ୍କ ଦର୍ଶନରୁ ମଧ୍ୟ ବଞ୍ଚତ୍ତ ହେବେ ଭକ୍ତ।
ଖୋର୍ଦ୍ଧାରେ ମା’ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଥାଏ। ସମ୍ପୂର୍ଣ୍ଣ ସହରରେ ଭଳିକି ଭଳି ଆଲୋକମାଲା, ସୁସଜ୍ଜିତ ଏବଂ ସୁଉଚ୍ଚ ଆକର୍ଷଣୀୟ ତୋରଣମାଳାରେ ପୂଜାମଣ୍ଡପ ଝଲସି ଉଠିଥାଏ। ଖୋର୍ଦ୍ଧା ସହର ନବବଧୂ ବେଶରେ ସଜାଇ ହୋଇଥାଏ। ମା’ଙ୍କ ଆଗମନକୁ ଯେପରି ଖୋର୍ଦ୍ଧା ସହରବାସୀ ଅପେକ୍ଷା କରି ରହିଥାନ୍ତିି। ସପ୍ତାହ ବ୍ୟାପୀ ଏଠାରେ ପୂଜାର ମାହେଲ ଦେଖିବାକୁ ମିଳେ। ଚଳିତବର୍ଷ କରୋନା କଟକଣା ଏସବୁରେ ଯବନିକା ଟାଣିଛି। ଏବେ ବିନା ଭକ୍ତରେ କିପରି ପୂଜା ଆୟୋଜନ କରାଯିବ, ସେନେଇ କମିଟିଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ତୋରଣ, ଆଲୋକସଜ୍ଜା ଉପରେ ପ୍ରଶାସନ କଟକଣା ଲଗାଇଥିବାରୁ କେବଳ ସାଧାରଣ ଭାବେ ସମସ୍ତ ଦେବନୀତି ସମ୍ପନ୍ନ କରାଯିବ ବୋଲି ବହୁ କମିଟି ସଦସ୍ୟ କହିଛନ୍ତି। ପ୍ରଶାସନ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ସଦସ୍ୟଙ୍କୁ ନେଇ ପୂଜା ଆୟୋଜନ କରାଯିବା ନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମା’ଙ୍କ ଧରାବତରଣ ଲାଗି ନିରାଡମ୍ବର ଭାବେ ଆୟୋଜନ ଲାଗି ପୂଜା କମିଟି ମଧ୍ୟରେ ବୈଠକରେ ସ୍ଥିର ହୋଇଛି। କୌଣସି ପରିସ୍ଥିତିରେ ମା’ଙ୍କ ପୂଜାର୍ଚ୍ଚନାରେ ବାଧା ନ ରହି ରୀତିନୀତି ପ୍ରକାରେ ପୂଜା କରାଯିବ ବୋଲି ବହୁ କମିଟି ମତ ଦେଇଛନ୍ତି।