ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୪।୧୧(ଡି.ଏନ୍‌.ଏ.): ଶୁକ୍ରବାର କାର୍ତ୍ତିକ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥୀ ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ସହିତ ଶ୍ରୀରାଧାଙ୍କ ସୁନା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗଛି। ମନ୍ଦିର ବେଢାରେ ଠାକୁରଙ୍କୁ ଭୋଗ କରାଯାଇଥିବା ଚୁଡାଘସାର ମହକ ଏବଂ ଶତାଧିକ ସଂକୀର୍ତ୍ତନ ମଣ୍ଡଳୀଙ୍କ ହରିନାମ ସେଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।
ଗୁରୁବାର ରାତି ୨ଟାରୁ ମନ୍ଦିର ଦ୍ୱାର ଫିଠା, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୁପ ଓ ଆଳତି ଦେବନୀତି ପରେ ସକାଳ ୬ଟାରୁ ସାହଣ ମେଳା ଦର୍ଶନ ଆରମ୍ଭ ହୋଇଥିଲା। ଏପରିକି ନୂଆ ଚୁଡାରେ ତିଆରି ଚୁଡାଘସା, ଖିର କଦଳୀ ଚକଟା ପ୍ରସ୍ତୁତ କରି ଶ୍ରଦ୍ଧାଳୁ ଠାକୁରଙ୍କୁ ଭୋଗ ଲାଗି କରିଥିଲେ। ଆଇଆଇସି ବିଜୟ କେତନ ବେହେରା, ତହସିଲଦାର ଜୟନ୍ତ ଜୟସିଂ, ବିଡ଼ିଓ ଲୋଚନ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ବସନ୍ତ ପ୍ରଧାନ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭିଡ ଲଗାଇଥିଲେ। ଅଁଳାନବମୀରେ ଭିଡ ନିୟନ୍ତ୍ରଣ କରିବା ନିମନ୍ତେ ମନ୍ଦିର ସମ୍ମୁଖରେ କରାଯାଇଥିବା ଛାୟାପ୍ରଦ ବାରିକେଟ ହଟାଇ ଦିଆଯାଇଥିବାରୁ ମଧ୍ୟାହ୍ନ ଖରାରେ ଶ୍ରଦ୍ଧାଳୁମାନେ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ହେଲେ ଉପସ୍ଥିତ ଅଗ୍ନିଶମ ଅଧିକାରୀ ମନୋଜ କୁମାର ପାତ୍ରଙ୍କ ସହଯୋଗରେ ମନ୍ଦିର ସମ୍ମୁଖରେ ପାଣି ପକାଇବାରୁ ରାସ୍ତା ତାତିରୁ ସାମନ୍ୟ ରକ୍ଷା ମିଳିଥିଲା। ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକ ଓ ଫୁଲମାଳରେ ସଜ୍ଜା ଯାଇଥିବା ବେଳେ ଶ୍ରୀରାଧା ଉତ୍ସବ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି। ଏପରିକି ପଲ୍ଲିଶ୍ରୀ ମେଳା ବୁଲି ଲୋକେ ମଜ୍ଜା ନେଉଛନ୍ତି।