ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭୋରରୁ ହିଁ ମନ୍ଦିର ପରିସର ଓ ମୁଖ୍ୟ ରାସ୍ତାରେ ଭକ୍ତମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ତେବେ ଭକ୍ତଙ୍କ ସଂଖ୍ୟା ଅନୁପାତରେ ସୁଚାରୁ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା ଓ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରବଳ ଖରା ଓ ଅସହ୍ୟ ଗରମ ମଧ୍ୟରେ ହଜାର ହଜାର ଭକ୍ତ ପ୍ରାୟ ଚାରି ଘଣ୍ଟାରୁ ଅଧିକ ସମୟ ଧରି ବ୍ୟାରିକେଡ୍ ମଧ୍ୟରେ ଛିଡ଼ା ହୋଇ ରହିଥିଲେ। ଏହାର ପ୍ରଭାବରେ କେତେକ ମହିଳା, ବୃଦ୍ଧ ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବା ବେଳେ କେହି କେହି ଚେତାଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି। ଦୀର୍ଘ ସମୟ ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଦର୍ଶନ କରିପାରି ନ ଥିବାରୁ ଅନେକ ଭକ୍ତ ନିରାଶ ହୋଇ ଫେରିଯାଇଥିଲେ।
ଅନ୍ୟପଟେ ଭଦ୍ରକ–ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ମଧ୍ୟ ତୀବ୍ର ଯାତାୟାତ ସମସ୍ୟା ଦେଖାଦେଇଥିଲା। ବସ୍ଷ୍ଟାଣ୍ଡଠାରୁ ମନ୍ଦିର ପ୍ରବେଶ ପଥ ପର୍ଯ୍ୟନ୍ତ ଶହ ଶହ ଗାଡ଼ି ଅଟକି ରହିଥିବାରୁ ଯାତ୍ରୀ ଓ ଭକ୍ତମାନେ ନାହିଁନଥିବା ହଇରାଣର ସମ୍ମୁଖୀନ ହୋଇଥିଲେ।
ରଜ ସଂକ୍ରାନ୍ତି ଭଳି ବଡ଼ ପର୍ବରେ ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଶ୍ରାମ ଓ ଛାୟା ବ୍ୟବସ୍ଥା, ଆବଶ୍ୟକ ସ୍ୱାସ୍ଥ୍ୟସେବା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥା କରାଯିବା ଦରକାର ବୋଲି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।ରଜ ଭଳି ମହାପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ସତ୍ତ୍ୱେ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ଅଭିଯୋଗ ହୋଇଛି। ଏହି ଅବ୍ୟବସ୍ଥାକୁ ନେଇ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।