ରେଳ ବିଭାଗର ମହିଳା ଯୋଦ୍ଧା

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ଯୋଗାଇବା ସହ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଳ ମନ୍ତ୍ରଣାଳୟ। ଟ୍ରେନ୍‌ ଯୋଗେ ବାହାର ରାଜ୍ୟରେ ଫସି ରହିଥିବା ଲୋକେ ନିଜ ଘରକୁ ଫେରିଛନ୍ତି। ଏସବୁ ସେବା ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟର ବହୁ କରୋନା ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦିନରାତି କାମ କରୁଛନ୍ତି। ତେବେ ଯେଉଁମାନେ ଏକ୍ଷେତ୍ରରେ ସବୁଠାରୁ ଆଗରେ ଅଛନ୍ତି ସେମାନେ ହେଲେ ରେଲ୍‌ଓ୍ବେର ମହିଳା କର୍ମଚାରୀ। ମାର୍ଚ୍ଚ ୨୨ରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ରେଳପଥ ପକ୍ଷରୁ ମାଲ୍‌ବାହୀ ଓ ପାର୍ସଲ୍‌ ଟ୍ରେନ ମାଧ୍ୟମରେ ସମଗ୍ର ଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଟକି ରହିଥିବା ପ୍ରବାସୀ ଓ ସାଧାରଣ ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରବା ପାଇଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ କରିଥିଲା। ଏହି ସମୟରେ ମହିଳା ରେଳ କର୍ମଚାରୀମାନେ ଟ୍ରେନ ଚଳାଚଳ ଓ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଗୋଟିଏପଟେ ଲୋକୋ ପାଇଲଟ, ଷ୍ଟେଶନ ମାଷ୍ଟର, ଗାର୍ଡ ଭାବେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ। ଅନ୍ୟପଟେ ଗ୍ୟାଙ୍ଗ ଓମ୍ୟାନ, ସୁପରଭାଇଜର, ହେଲ୍‌ପର, ଟେକ୍ନିସିଆନ, ଇଲେକ୍ଟ୍ରିସିଆନ, କ୍ୟାରେଜ ଷ୍ଟାଫ୍‌, ଗେଟ୍‌ କିପର ଭାବେ କାର୍ଯ୍ୟକରି ଟ୍ରାକ୍‌, ୱାଗନ, ଓଭରହେଡ୍‌ ଉପକରଣ, କୋଚ ରକ୍ଷଣାବେକ୍ଷଣ, ସିଗ୍‌ନାଲ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଜରୁରିକାଳୀନ ବ୍ରେକ୍‌ଡାଉନ ଉପରେ ଦିନରାତି ନଜର ରଖିଥିଲେ। ରେଳ ସୁରକ୍ଷା ବଳରେ ନିୟୋଜିତ ମହିଳା କର୍ମଚାରୀମାନେ ଟିକେଟ ଯାଞ୍ଚ, ସ୍ବଚ୍ଛତା ଯାଞ୍ଚ ସହିତ ଷ୍ଟେଶନରେ କୋଭିଡ-୧୯ ସୁରକ୍ଷା ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରିବାରେ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ। ଷ୍ଟେଶନରେ ପାଟ୍ରୋଲିଂ ଏବଂ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ମଧ୍ୟ ବହୁ ମହିଳା କର୍ମଚାରୀ ଜଡ଼ିତ ହୋଇଥିଲେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।